ହିତାଧିକାରୀଙ୍କ ସନ୍ତୋଷ ହିଁ ସଫଳତା: ମୁଖ୍ୟମନ୍ତ୍ରୀ

‘ମୋ ସରକାର’ରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ

ଭୁବନେଶ୍ବର: ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ। ଏହି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ସରକାର ସିଧାସଳଖ କଥା ହେବେ । ଆଜି ଲୋକସେବା ଭବନ‌ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା, ଶିଶୁ ବିକାଶ ଓ ମିସନ୍ ଶକ୍ତି ବିଭାଗ ଅଧୀନରେ ମା’ ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍ ଭାବେ ପହଞ୍ଚିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ର‌ାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗର କର୍ମଚାରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କର ନିଷ୍ଠାପର ଉଦ୍ୟମ ଦ୍ବାରା ମମତା କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି। ଓଡ଼ିଶାରେ ମିସନ୍ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ଼ ହେବା ସହିତ ମା’ମାନଙ୍କ ସଶକ୍ତୀକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି। ଏହିସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ଼ ସଫଳତା। ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ‌େଲାକଙ୍କ ମତାମତ ଭିତ୍ତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତି କରିବା ନିମନ୍ତେ ଚେଷ୍ଟା କରାଯାଉଛି। ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ମହିଳା, ଶିଶୁ ବିକାଶ ଓ ମିସନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ‘ମୋ ସରକାର’ କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ କହିଥିଲେ, ବିଭିନ୍ନ ଅଙ୍ଗନବାଡ଼ିକୁ ଯୋଗାଇ ଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମଲ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହାକୁ ଜିଲ୍ଲାପାଳମାନେ କଡ଼ାକଡ଼ି ଭାବେ ପାଳନ କରନ୍ତୁ। ସେହିପରି ଶିଶୁମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ଯାଞ୍ଚ୍ ରିପୋର୍ଟ ଓ ଅନୁଦାନ ପ୍ରଦାନ ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସେବା ପ୍ରଦାନକାରୀମାନଙ୍କ ବିଲ୍‌ ମଞ୍ଜୁରି ଓ ମିସନ୍ ଶକ୍ତିର ବିଭିନ୍ନ ପାଣ୍ଠି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ସତର୍କ କରାଇ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନରେ ତଦାରଖ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ବିଭାଗୀୟ ଉପଦେଷ୍ଟା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର