ହରଭଙ୍ଗା, (ରତ୍ନାକର ବେହେରା): ଘଟଣାଚକ୍ରରେ ଯେଉଁ ସମାଜସେବାକୁ ସେ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ, ତାହାରି ମାଧ୍ୟମରେ ଶତାଧିକ ମିଳାଙ୍କୁ ବଞ୍ଚିବାର ବାଟ ଦେଖାଇ ପାରିଛନ୍ତି। ଶିଶୁ ଓ ମହିଳାଙ୍କ ବିକାଶ ସହିତ ସ୍ବାବଲମ୍ବୀ ହେବାପାଇଁ ସେମାନଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି। ସକଳ ବାଧାବିଘ୍ନ ସତ୍ତ୍ବେ ନିଜ କ୍ଷେତ୍ରରେ ସଫଳ ହୋଇଥିବା ଏହି ମହିଳା ହେଉଛନ୍ତି ବୌଦ୍ଧ ଜିଲ୍ଲା ସରସରା ଗ୍ରାମର ପୁଷ୍ପିତା ପ୍ରଧାନ।
ପୁଷ୍ପିତା ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ ପାଞ୍ଚଗୋଛିଆ ଗ୍ରାମର ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କର ଚତୁର୍ଥ କନ୍ୟା ପୁଷ୍ପିତା। ୧୯୯୧ ମସିହାରେ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସରସରା ଗ୍ରାମର ମଙ୍ଗଳ ସାହୁଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଥିଲା। କିଛିବର୍ଷର ହସଖୁସି ଜୀବନରେ ହଠାତ୍ କଳାବାଦଲ ଢାଙ୍କିଗଲା, ଯେତେବେଳେ ୨୦୦୫ ମସିହା ଅକ୍ଟୋବର ୭ ତାରିଖରେ ସ୍ବାମୀ ମଙ୍ଗଳା ପ୍ରାଣ ହରାଇଲେ। ପୁଷ୍ପିତା ଉପକୂଳର ଝିଅ, ପଶ୍ଚିମ ଓଡ଼ିଶାର ବୋହୂ। ବାପ ଛେଉଣ୍ଡ ୧୨ ବର୍ଷର ଝିଅକୁ ନେଇ ସେ କେମିତି ବାଟ ଚାଲିବେ, ତାଙ୍କ ନିକଟରେ ଏକ ବଡ଼ ଆହ୍ବାନ ଥିଲା। ମାତ୍ର, ସେ ଭାଙ୍ଗି ପଡ଼ିନଥିଲେ। ସ୍ବାମୀଙ୍କ େକତେଜଣ ସାଙ୍ଗଙ୍କ ସହାୟତାରେ ସ୍ବାମୀଙ୍କ ସ୍ବେଚ୍ଛାସେବୀ ସଙ୍ଗଠନ ‘ଲୋକକଳା ବିକାଶ କେନ୍ଦ୍ର’ର ପରିଚାଳନା ଭାର ଗ୍ରହଣ କଲେ। ନିଜର ନିରନ୍ତର ପ୍ରୟାସ ବଳରେ ଏହା ଏବେ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନରେ ପରିଣତ ହୋଇଛି।
ଏହି ସଙ୍ଗଠନ ଏବେ ମହିଳା ଓ ଶିଶୁଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ସହିତ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ପ୍ରେରଣା ଯୋଗାଉଛି। ପ୍ରତିବର୍ଷ ତାଲିମ୍ ମାଧ୍ୟମରେ ଶହଶହ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ପାରିଛନ୍ତି। ଏହା ଏବେ ଜିଲ୍ଲାର ଏକମାତ୍ର ସ୍ବେଚ୍ଛାସେବୀ ସଙ୍ଗଠନ ଯାହାର ମୁଖ୍ୟ ଭାବେ ପୁଷ୍ପିତା ପ୍ରତ୍ୟେକ କମିଟି ତଥା ଡିଏଲ୍ଏସଏ, ସିଡବ୍ଲୁସି, ଡିଭିଏମ୍ସି, ପିସି-ପିଏନ୍ଡିଟି, ଜଙ୍ଗଲ, ଜଙ୍ଗଲ ସୁରକ୍ଷା, ଏଲସିସି ଚେୟାରପର୍ସନର ସଦସ୍ୟା ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।
‘ବର୍ତ୍ତମାନ କରୋନା ମହାମାରୀ ସମୟରେ ଆମ ସଂସ୍ଥାର କର୍ମକର୍ତ୍ତାମାନେ ପ୍ରତି ମୁହୂର୍ତ୍ତରେ ଗାଁ ଗାଁ ବୁଲି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଓ ଆଠମଲ୍ଲିକ ବ୍ଲକ୍ର ବେଲାଦୁଲା ପ୍ରାୟ ୯୦୦ ଗରିବ, ଅସହାୟ, ଭିନ୍ନକ୍ଷମ, ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା, ଏକାକୀ ଜୀବନ ବିତାଉଥିବା ମହିଳା, ବିଧବାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ବୋଲି’ କୁହନ୍ତି ପୁଷ୍ପିତା। ପୁଷ୍ପିତା ଏବେ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/FICCI-Harbhanga-Puspita-Pradhan-f.jpg)