ଭୁବନେଶ୍ବର: ରାଜ୍ୟ ସରକାର ମହିଳା ସଶକ୍ତୀକରଣ କଥା କହୁଛନ୍ତି। ସବ୍ କା ସାଥ୍, ସବ୍ କା ବିକାଶର ନାରା ଦେଉଛନ୍ତି। କିନ୍ତୁ ବିଗତ କିଛିବର୍ଷ ହେଲା ରାଜ୍ୟ ସରକାର ପ୍ରସ୍ତୁତ କରି ଆସୁଥିବା ଜେଣ୍ଡର୍ ବଜେଟ୍, ଚାଇଲ୍ଡ ବଜେଟ୍, ନ୍ୟୁଟ୍ରିସନ ବଜେଟ୍ ଏବଂ ସର୍ବୋପରି ବିଶ୍ବ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିବା ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ଉଦ୍ଦିଷ୍ଟ କ୍ଲାଇମେଟ୍ ବଜେଟ୍ ଏଥର ବର୍ତ୍ତମାନସୁଦ୍ଧା ସାର୍ବଜନୀନ ହୋଇନାହିଁ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ପ୍ରତି ଏହା ସରକାରଙ୍କ ଖାମଖିଆଲି ମନୋଭାବ ବୋଲି ଚର୍ଚ୍ଚା ହେଲାଣି।
୨୦୨୪ ନିର୍ବାଚନରେ ୨୪ ବର୍ଷ ଧରି ନିରନ୍ତର ଶାସନ କରି ଆସୁଥିବା ନବୀନ ପଟ୍ଟନାୟକ ସରକାରର ପତନ ଓଡ଼ିଶାବାସୀ ଘଟାଇଲେ। ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କଲା। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଅର୍ଥ ବିଭାଗ ରଖିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ଆସୁଥିବା ଜେଣ୍ଡର୍ (ଲିଙ୍ଗଗତ) ବଜେଟ୍, ଚାଇଲ୍ଡ (ଶିଶୁ) ବଜେଟ୍, ନ୍ୟୁଟ୍ରିସନ (ପୋଷଣ) ବଜେଟ୍ ଓ କ୍ଲାଇମେଟ୍ (ଜଳବାୟୁ) ବଜେଟ୍ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ବଜେଟ୍ ଆଗତ କରିବାର ଗୋଟିଏ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅର୍ଥ ବିଭାଗର ୱେବସାଇଟ୍ରେ ଏସବୁ ବିଷୟଭିତ୍ତିକ ବଜେଟ୍ ତଥ୍ୟ ମିଳି ପାରିନାହିଁ। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ କରାଯାଉଥିବା ଏହି ବିଷୟଭିତ୍ତିକ ବଜେଟ୍ ଉପରେ କ୍ଲିକ୍ କରିଲେ ଇଂରାଜୀରେ ‘ଡକ୍ୟୁମେଣ୍ଟ୍ ୱିଲ୍ ବି ଆଭେଲବଲ୍ ସୁନ୍’ ଅର୍ଥାତ୍ ଦସ୍ତାବିଜ୍ ଶୀଘ୍ର ଉପଲବ୍ଧ ହେବ ବୋଲି ଲେଖାଯାଉଛି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଅର୍ଥନୀତି ବିଶାରଦ ଓ ବୁଦ୍ଧିଜୀବୀମାନେ ସମାଲୋଚନା କରିବା ଆରମ୍ଭ କରିଛନ୍ତି।
ରାଜ୍ୟର ମୋଟ ଜନସଂଖ୍ୟାର ପାଖାପାଖି ଅଧାଅଧି ହେଉଛନ୍ତି ମହିଳା। ମହିଳାମାନଙ୍କ ପାଇଁ ସରକାର ବଜେଟ୍ରେ କେତେ ଅର୍ଥ ବ୍ୟୟବରାଦ କରି ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଉଦ୍ୟମ କରିଛନ୍ତି ତାହା ଜେଣ୍ଡର୍ ବଜେଟ୍ରୁ ଜଣାଯାଇଥାଏ। ଏହାଦ୍ବାରା ମହିଳା ଓ ଝିଅମାନଙ୍କ ପାଇଁ କେଉଁ ବିଭାଗକୁ କେତେ ଅର୍ଥ ଦିଆଯାଇଛି ତାହା ଜଣାଯାଇଥାଏ। ସେହିଭଳି ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ଶିଶୁ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ସେମାନଙ୍କର ବିକାଶ ଲାଗି ଚାଇଲ୍ଡ ବଜେଟ୍ ବି ପ୍ରକାଶ ପାଇନାହିଁ। ୨୦୧୨-୧୩ରୁ ଓଡ଼ିଶା ସରକାର ଜେଣ୍ଡର ବଜେଟ୍ ଏବଂ ୨୦୧୯-୨୦ରୁ ଶିଶୁ ବଜେଟ୍, ୨୦୨୦-୨୧ରେ ପୋଷଣ ବଜେଟ୍ ପ୍ରସ୍ତୁତ କରି ଆସୁଥିବାବେଳେ ଚଳିତ ଥର କାହିଁକି ଏସବୁ ବଜେଟ୍ ଆଣିଲେ ନାହିଁ ତାହା ମନକୁ ଆନ୍ଦୋଳିତ କରୁଛି। ଏସବୁ ବ୍ୟତୀତ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଛି ତାହା ହେଉଛି ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ। ପରିବେଶ ପ୍ରଦୂଷଣ କାରଣରୁ ରାଜ୍ୟ ଏବଂ ଦେଶରେ ଅଚାନକ ବାଦଲ ଫଟା ବର୍ଷା, ବନ୍ୟା, ଭୂସ୍ଖଳନ, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ବିଶ୍ବସ୍ତରରେ ତାପମାତ୍ରା ହ୍ରାସ ପାଇଁ ବିଭିନ୍ନ ରାଜିନାମା ମଧ୍ୟ ହୋଇଛି।
ଭାରତ ଏହି ରାଜିନାମାର ଅଂଶ ହୋଇ ରହିଛି। କିନ୍ତୁ ରାଜ୍ୟ ସରକାର ଏ ବିଷୟକୁ ମଧ୍ୟ ସଂପୂର୍ଣ୍ଣ ଭୁଲିଯିବା ଭଳି ମନେ ହେଉଛି। ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ ଅଳ୍ପ କିଛି କଥା ଜଳବାୟୁ ପରିବର୍ତ୍ତନ ସଂପର୍କରେ କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଏ ନେଇ ପୂର୍ବରୁ ପ୍ରସ୍ତୁତ ହୋଇ ପ୍ରକାଶିତ ହେଉଥିବା କ୍ଲାଇମେଟ୍ ବଜେଟ୍ ଆଣିବାରେ ବିଫଳ ହୋଇଛନ୍ତି। ବଜେଟ୍ ଭାଷଣ ଆଗତ ହେବାର କିଛି ସମୟ ମଧ୍ୟରେ ସାଧାରଣତଃ ବଜେଟ୍ ଦସ୍ତାବିଜ୍ଗୁଡ଼ିକ ସାର୍ବଜନୀନ କରାଯାଇଥାଏ। ଏହାଦ୍ବାରା ଲୋକମାନେ ବଜେଟ୍ ସଂପର୍କିତ ତଥ୍ୟ ଜାଣିବାର ସୁଯୋଗ ପାଇଥାନ୍ତି। ବଜେଟ୍ କେବଳ ବାର୍ଷିକ ଆୟବ୍ୟୟର ହିସାବ ଫର୍ଦ୍ଦ ନୁହେଁ। ଲୋକଙ୍କ ଆବଶ୍ୟକତା ଏବଂ ରାଜ୍ୟ ସରକାରଙ୍କ ନୀତି ମଧ୍ୟ ଏଥିରେ ପ୍ରତିଫଳିତ ହୋଇଥାଏ। ସରକାର ଯଦି ପୂର୍ବରୁ ପ୍ରକାଶ ପାଇ ଆସୁଥିବା କ୍ଷେତ୍ରଭିତ୍ତିକ ସ୍ବତନ୍ତ୍ର ବଜେଟ୍ ଦସ୍ତାବିଜ୍ ପ୍ରସ୍ତୁତ କରିନାହାନ୍ତି ତାହେଲେ ଏଥିପାଇଁ କିଏ ଦାୟୀ? ଏସବୁ ବଜେଟ୍ ପ୍ରକାଶ ନକରିବା ସରକାରଙ୍କ ନୀତି ନା ପ୍ରାଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଲାଣି।
ଏ ସମ୍ପର୍କରେ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାକୁ ସେ କହିଛନ୍ତି ଯେ ବଜେଟ୍ ପ୍ରସ୍ତୁତି ସହିତ ଅର୍ଥ ଆୟୋଗ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଏକ ସମୟରେ ଚାଲିଛି। ତେଣୁ ସେସବୁ ବଜେଟ୍ ଦସ୍ତାବିଜ୍ ପ୍ରସ୍ତୁତ କରିବା ବିଳମ୍ବ ହୋଇଛି। ଶୀଘ୍ର ଏହା ପ୍ରସ୍ତୁତ ହୋଇଯିବ। ଏହାପରେ ଏସବୁ ରିପୋର୍ଟକୁ ବିଧାନସଭାରେ ଆଗାମୀ ଦିନରେ ଉପସ୍ଥାପିତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/26/Ppsuq8PIbJfH68DwA5cF.jpg)