ମଦ ବିରୋଧୀ ଆନ୍ଦୋଳନ ବେଳେ ଗଣ୍ଡଗୋଳ : ଢ଼େଲା ମାଡ଼ରେ ଭାଙ୍ଗିଲା ପୁଲିସ ଗାଡ଼ି

୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ମାମଲା ରୁଜୁ

ଜଳେଶ୍ୱର : ଚୋରାମଦ କାରବାର ରୋକିବା ଦାବିରେ ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ବାଇଗଣବାଡ଼ିଆ ଗାଁ ଲୋକେ ତାତିଛନ୍ତି। ଗତ ରାତିରେ ସେମାନେ ରାସ୍ତାରୋକ କଲା ବେଳେ ପୁଲିସ ଉପରେ ବି ଆକ୍ରମଣ କରିଛନ୍ତି। ଲୋକମାନଙ୍କ ଢ଼େଲାମାଡ଼ରେ ପୁଲିସ ଗାଡ଼ି ଭାଂଗିଛି। ମଦ ବେପାର ସଂପର୍କରେ ପୁଲିସ ଜାଣି ମଧ୍ୟ ଚୁପ୍‌ ରହୁଛି ବୋଲି ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି।

ଗତ ସନ୍ଧ୍ୟାରେ ବାଇଗଣବାଡ଼ିଆ ଗାଁଲୋକେ ମଦ ଦୋକାନ ବନ୍ଦ ଦାବିକରି ରାସ୍ତାରେ ବସିଥିଲେ। ଖବର ପାଇ ଫାଣ୍ଡି ପୁଲିସ ପହଞ୍ଚିଥିଲା। ଲୋକମାନଙ୍କୁ ବୁଝାଇ ସୁଝାଇ ରାସ୍ତାରୁ ହଟାଇବାକୁ ପୁଲିସ ଅଧିକାରୀ ଉଦ୍ୟମ କରୁଥିଲେ। ଏତିକି ବେଳେ କିଛି ଲୋକ ପୁଲିସ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। କ୍ରମେ ଏହାକୁ ନେଇ ଉତ୍ତେଜନା ବଢ଼ିଥିଲା। ଉତ୍ତେଜିତ ଲୋକେ ପୁଲିସ ଗାଡ଼ିକୁ ଢ଼େଲା, ପଥର ମାଡ଼ କରିଥିଲେ। ଫଳରେ ଗାଡ଼ି ଭାଂଗିରୁଜି ଯାଇଛି। ତେବେ ଟେକାମାଡ଼ରେ କେହି ପୁଲିସ କର୍ମଚାରୀ ଆହତ ହୋଇ ନାହାନ୍ତି। ଏ ନେଇ ଆଜି ଥାନାରେ ଏସ୍‌ଆଇ ଭାସ୍କର ପାତ୍ରଙ୍କ ଅଭିଯୋଗ ଅନୁସାରେ କେସ୍‌ ନମ୍ବର ୩୨୧/୧୭ରେ ମାମଲା ରୁଜୁହୋଇଛି।

ପୁଲିସ ଆନ୍ଦୋଳନକାରୀ ସବିତା ନନ୍ଦୀ, ସଂଗୀତା ପ୍ରଧାନ, ପରମାମନନ୍ଦ ଗିରି, ସଂଜୟ ଗିରି ପ୍ରମୁଖ ୬୦ ଜଣଙ୍କ ନାଁରେ କେସ୍‌ କରିଛି। ଏପଟେ ଝାଡ଼ପିପଳ ଗାଁର ଅରବିନ୍ଦ ସାହୁ ଓ ତାଙ୍କ ପତ୍ନୀ ଆଶାଲତା ଚୋରା ମଦ କାରବାର କରୁଥିବା ନେଇ ସେହି ଗାଁର ରବୀନ୍ଦ୍ର ନନ୍ଦୀଙ୍କ ପତ୍ନୀ ସବିତା ଅଭିଯୋଗ କରିଛନ୍ତି। ଏହାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିରୋଧ କରିବାରୁ ଅରବିନ୍ଦ ଓ ତାଙ୍କ ପତ୍ନୀ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ସବିତା ଥାନାରେ ଏତଲା ଦେଇଛନ୍ତି। ଏ ନେଇ ପୁଲିସ କେସ୍‌ ନମ୍ବର ୩୨୦ରେ ମାମଲା ରୁଜୁ କରିଛି। ତେଣେ ଆଶାଲତାଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍‌ ନମ୍ବର ୩୨୨ରେ ଅନ୍ୟ ଏକ ମାମଲା ରୁଜୁ କରିଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ସତର୍କ ନଜର ରଖିଛି।

 

ସମ୍ବନ୍ଧିତ ଖବର