କ୍ରିକେଟ କୁଇନ୍‌ଙ୍କ ଅନ୍ତୁଡ଼ିଶାଳ ବଲାଣି : ଝାଡ଼ଖଣ୍ଡ ଓ ଓଡ଼ିଶା ଟିମ୍‌‌ରେ ଖେଳୁଛନ୍ତି ୮ ଜଣ ପ୍ରତିଭାବାନ ମହିଳା କ୍ରିକେଟର

କେନ୍ଦୁଝର, (ସୁବ୍ରତ ସ୍ବାଇଁ): କିଏ ରେଲୱେ ସାଇଡିଂରେ କାମ କରେ ତ କିଏ ବସ୍ତିର ଝୁମ୍ପୁଡ଼ିରେ ରୁହେ। କାହାର ବାପା ନାହାନ୍ତି ତ କାହାରି ବାପାମାଆ ମୂଲମଜୁରି ଲାଗିଲେ ଘରେ ଚୁଲି ଜଳେ। ମାତ୍ର ଏମିତି ପ୍ରତିକୂଳ ପରିସ୍ଥିତିରେ ଥାଇ ପୁରୁଷ ପ୍ରଧାନ କ୍ରିକେଟ ଖେଳରେ ସମସ୍ତେ ପାଲଟି ଯାଇଛନ୍ତି କ୍ରିକେଟ କୁଇନ୍‌। କେନ୍ଦୁଝର ଜିଲ୍ଲା ବଣଜଙ୍ଗଲ ଓ ଖଣି ଖାଦାନ ଘେରା ବଲାଣି ଅଞ୍ଚଳରୁ ଜଣେ କି ଦୁଇ ଜଣ ନୁହନ୍ତି, ୮ ଜଣ ପ୍ରତିଭାବାନ ମହିଳା କ୍ରିକେଟ ଖେଳାଳି ଏବେ ଝାଡ଼ଖଣ୍ଡ ଓ ଓଡ଼ିଶା ଟିମ୍‌‌ରେ ପ୍ରତିନିଧିତ୍ବ କରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ବି ସମ୍ଭବ ହୋଇପାରେ ତାହା ଏହି ମହିଳା କ୍ରିକେଟରମାନେ ପ୍ରମାଣ କରିଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବଲାଣି ହେଉଛି ଏକ ଛୋଟିଆ ଖଣିଭିତ୍ତିକ ସହର। ଏଠାରେ ମୁଖ୍ୟତଃ ଦୁଇ ପ୍ରକାର ପରିବାର ରହିଥାନ୍ତି। ପ୍ରଥମଟି ସ୍ଥାନୀୟ ସେଲ୍‌ କମ୍ପାନିରେ ନିଯୁକ୍ତି ପାଇଥିବା ପରିବାର। ଦ୍ବିତୀୟଟି ଏଠାରେ ବିଭିନ୍ନ ଖଣି ଠିକାଦାରଙ୍କ ପାଖରେ ଶ୍ରମିକ ଓ ଡ୍ରାଇଭର ଭାବେ କାମ କରୁଥିବା ପରିବାର। ଯେଉଁମାନେ ଏଠାରେ ଖଣି ଶ୍ରମିକ ଓ ଡ୍ରାଇଭର ଭାବେ କାମ କରନ୍ତି, ସେମାନଙ୍କ ରହିବା ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନ ଥିବାରୁ ସେମାନେ ବସ୍ତିରେ ରହିଥାନ୍ତି। ଏହି ବସ୍ତିରେ ରହୁଥିବା ଝିଅ ପିଲାମାନଙ୍କ କ୍ରୀଡ଼ା ପ୍ରତିଭାକୁ ପରିପୁଷ୍ଟ କରିବା ପାଇଁ ‘ସେଲ୍‌’ ସହଯୋଗରେ କ୍ରୀଡାବିତ୍‌ ଅମରେନ୍ଦ୍ର ମହାନ୍ତି ୨୦୧୨ରେ କିଛି ଝିଅଙ୍କୁ କ୍ରିକେଟ ଖେଳ ଶିଖାଇବା ଆରମ୍ଭ କରିଥିଲେ। ଏହି ଛୋଟିଆ ଉଦ୍ୟମ ଯେ ବଲାଣିକୁ କ୍ରିକେଟ କୁଇନ୍‌ଙ୍କ ଅନ୍ତୁଡ଼ିଶାଳରେ ପରିଣତ କରିଦେବ, ତାହା ସମସ୍ତଙ୍କ ଚିନ୍ତାର ବାହା‌ରେ ଥିଲା। ଦିନ ଥିଲା ଏହି ଝିଅ ପିଲାମାନେ ‌କ୍ରିକେଟ ଖେଳ ଆରମ୍ଭ କରିବା ବେଳେ ଦେଖଣାହାରୀ ହସୁଥିଲେ। କିନ୍ତୁ ଆଜି ଏ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି।

ଏବେ ବଲାଣିର ଗୁରୁଦ୍ବାର ହଟିଂ ବା ଗୁରୁଦ୍ବାର ବସ୍ତିରେ ରହୁଥିବା ରଶ୍ମି ଗୁଡ଼ିଆ, ଆତ୍ରୀ ହଟିଂରେ ରହୁଥିବା ପିଙ୍କି ତିର୍କି, ବିର୍ସା ହଟିଂରେ ରହୁଥିବା ପୂଜା ବାନ୍ଦ୍ରା, ଶାନ୍ତିନଗର ହଟିଂରେ ରହୁଥିବା ଇସ୍ରାନୀ ସୋରେନ ଓ ଅଞ୍ଜଳି ଦାସ ଝାଡ଼ଖଣ୍ଡ ମହିଳା କ୍ରି‌କେଟ ଟିମ୍‌ରେ ସାମିଲ ହୋଇଛନ୍ତି। ଆତ୍ରୀ ହଟିଂରେ ରହୁଥିବା ପୂର୍ଣ୍ଣିମା ରାଏ, ସେଲ କଲୋନିରେ ରହୁଥିବା କୁସୁମ ତିରିଆ, ମଡର୍ଣ୍ଣ ହଟିଂରେ ରହୁଥିବା ରାନୀ ପ୍ରସାଦ ଏବେ ଓଡ଼ିଶା ମହିଳା କ୍ରିକେଟ ଟିମ୍‌ରେ ଖେଳୁଛନ୍ତି। ଏହି ୮ ଜଣ ମହିଳା କ୍ରିକେଟରଙ୍କ ସାମାଜିକ ପରିସ୍ଥିତି ଯେତିକି ସଂଘର୍ଷପୂର୍ଣ୍ଣ ସେତିକି କଷ୍ଟଦାୟକ ମଧ୍ୟ। ରଶ୍ମି ଗୁଡ଼ିଆ ଏବେ ଝାଡ଼ଖଣ୍ଡ ମହିଳା ସିନିୟର କ୍ରିକେଟ ଟିମ୍‌ ପାଇଁ ଖେଳୁଛନ୍ତି। ତାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରିଥାନ୍ତି। ସେହିପରି ପିଙ୍କି ତିର୍କି ଏବେ ଝାଡ଼ଖଣ୍ଡ ମହିଳା କ୍ରିକେଟ ଟିମ୍‌ର ଅଣ୍ଡର-୨୩ରେ ଖେଳୁଥିବାବେଳେ ସେ ନିଜେ ବଲାଣି ରେଲୱେ ସାଇଡିଂରେ ଶ୍ରମିକ ଭାବେ କାମ କରିଥାନ୍ତି। ଝାଡ଼ଖଣ୍ଡର ଅଣ୍ଡର-୧୯ ପାଇଁ ଖେଳୁଥିବା ପୂଜା ବାନ୍ଦ୍ରାଙ୍କ ବାପା ଜଣେ ଦିନ ମଜୁରିଆ। ଝାଡ଼ଖଣ୍ଡ ଅଣ୍ଡର-୨୩ ପାଇଁ ଖେଳୁଥିବା ଇସ୍ରାନୀ ସୋରେନଙ୍କ ପରିବାରର ସମସ୍ତେ ଶ୍ରମିକ। ଓଡ଼ିଶା ମହିଳା ଟିମ୍‌ର ଅଣ୍ଡର-୨୩ରେ ସ୍ଥାନ ପାଇଥିବା ପୂର୍ଣ୍ଣିମା ରାଏଙ୍କ ବାପା ଡ୍ରାଇଭର। ଓଡ଼ିଶା ଟିମ୍‌ର ଅଣ୍ଡର-୧୯ ପାଇଁ ଖେଳୁଥିବା ରାନୀ ପ୍ରସାଦଙ୍କ ବାପା ଗାଈ ରଖି ପରିବାର ପୋଷିଥାନ୍ତି। ସବୁଠୁ ବଡ଼ କଥା ହେଉଛି, ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି, ଆର୍ଥିକ ଅନଟନ ଓ ପୁରୁଷ ପ୍ରଧାନ ଖେଳ କ୍ରିକେଟ ହୋଇଥିଲେ ବି ଏହି ଝିଅମାନେ ଯେଭଳି ଭାବେ କ୍ରିକେଟ ପ୍ରତି ଆକର୍ଷିତ ହୋଇ ସଫଳତା ହାସଲ କରିଛନ୍ତି, ତାହା ଅନ୍ୟ ଝିଅଙ୍କ ପାଇଁ ଉଦାହରଣ ପା‌ଲଟିଛି।

ଏ ସଂପର୍କରେ କୋଚ୍‌ ଅମରେନ୍ଦ୍ର ମହାନ୍ତି କହନ୍ତି, ଝିଅମାନେ କ୍ରିକେଟ ଖେଳିବା କଥା ଦେଖିଲେ ପ୍ରଥମେ ପ୍ରଥମେ ଏହି ଛୋଟିଆ ସହର ବଲାଣିରେ ଲୋକେ ଘଡ଼ିଏ ଚାହୁଁଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳିଛି। ଏହି ଝିଅମାନେ ସଫଳତା ପାଇବା ପରେ ଏମାନଙ୍କୁ ନେଇ ଖାଲି ବଲାଣି ସହରବାସୀ ନୁହନ୍ତି, ବରଂ ସମଗ୍ର କେନ୍ଦୁଝର ଜିଲ୍ଲା ଓ ରାଜ୍ୟ ବି ଆଶାବାଦୀ। ହୁଏତ ଦିନ ଆସିବ ଏହି ବଣଜଙ୍ଗଲ ଘେରା ବଲାଣିର ଝିଅମାନେ ଅନ୍ତର୍ଜାତୀୟସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି କୋଚ୍‌ ଅମରେନ୍ଦ୍ର ମହାନ୍ତି। ଝାଡ଼ଖଣ୍ଡ ମହିଳା ଟିମ୍‌ର ଅଣ୍ଡର ୨୩ରେ ଖେଳୁଥିବା ପିଙ୍କି ତିର୍କି କହିଛନ୍ତି, ମୋ ଇଚ୍ଛା ମୁଁ ଇଣ୍ଡିଆ ଟିମ୍‌ରେ ଖେଳିବି। ସେଥିପାଇଁ ଅଧିକ ପରିଶ୍ରମ କରିବା ଜାରି ରଖିଛି। ତେବେ ଆର୍ଥିକ ସମସ୍ୟା ଅନେକ ସମୟରେ ଆମକୁ ବାନ୍ଧି ରଖି ଦେଉଛି ବୋଲି ସେ କ୍ଷୋଭର ସହିତ କହିଛନ୍ତି।

ସମ୍ବନ୍ଧିତ ଖବର