କୋକସରା: ରଥଯାତ୍ରା ପାଇଁ ପିଠାପଣା ଧରି ବାଇକ୍‌ରେ ଝିଅଘରକୁ ଯାଉଥିଲେ। ହେଲେ ପୁଲିସ ଗାଡ଼ି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ସ୍ୱାମୀ ଓ ୧୧ ବର୍ଷର ଝିଅ ଏବେ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଭୁର୍ଷାଗୁଡ଼ା ବିଜୁ ଏକ୍ସପ୍ରେସ-ୱେରେ।

Advertisment

ସୂଚନା ଅନୁସାରେ, ଶୁକ୍ରବାର ରଥଯାତ୍ରା ପାଇଁ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁର କୃଷ୍ଣଚନ୍ଦ୍ର ମାଝୀ (୪୫ବର୍ଷ), ତାଙ୍କ ସ୍ତ୍ରୀ କିଆ ମାଝୀ (୪୧ବର୍ଷ) ଓ ଝିଅ ନମିତା ମାଝୀ (୧୧ବର୍ଷ) ବାଇକ୍‌ (ଓଡି ୦୮ଏନ୍‌ ୫୪୬୮)ରେ ଭୁର୍ଷାଗୁଡ଼ାରେ ବାହା ହୋଇଥିବା ବଡ଼ଝିଅ ଘରକୁ ପିଠାପଣା ନେଇ ଯାଉଥିଲେ। ଭୁର୍ଷାଗୁଡ଼ା ପହଞ୍ଚିବା ପୂର୍ବରୁ ଉକ୍ତ ପୁଲିସ ଗାଡ଼ି (ଓଡି ୦୫ ୱାଇ ୪୮୮୧) ସେମାନଙ୍କୁ ଧକ୍କା ଦେଇଥିଲା। ପୁଲିସ ଗାଡ଼ି ଗୋତୋମୁଣ୍ଡାରୁ ଆଇଆର୍‌ବି ଯବାନଙ୍କୁ ରଥଯାତ୍ରା ଡ୍ୟୁଟିରେ ଛାଡ଼ି ଆସୁଥିଲା। ଦୁର୍ଘଟଣାରେ କୃଷ୍ଣଚନ୍ଦ୍ର, କିଆ ଓ ନମିତା ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପୁଲିସ ଗାଡ଼ିରେ କୋକସରା ଡାକ୍ତରଖାନାକୁ ଅଣାଯାଇଥିଲା।

ଡାକ୍ତରଖାନାରେ ସେମାନଙ୍କୁ ଛାଡ଼ି ପୁଲିସ ଗାଡ଼ି ଚାଲିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଆଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପରିବାର ଲୋକେ କୋକସରା ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ ଉପସ୍ଥିତିରେ ଗୁରୁତର ବାପା ଓ ଝିଅଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଓ ଗ୍ରାମବାସୀ କିଆଙ୍କ ଶବକୁ ନେଇ ଆମପାଣି ଥାନା ସମ୍ମୁଖରେ ଜାତୀୟ ରାଜପଥ-୨୬ ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ପୁଲିସ ଗାଡ଼ି ଚାଳକଙ୍କୁ ଗିରଫ, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଗୁରୁତର ଆହତ ବାପା, ଝିଅଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ପୁଲିସ ବିଭାଗ ବହନ କରିବା ପାଇଁ ଦାବି କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ଘଟଣାସ୍ଥଳରେ ଧର୍ମଗଡ଼ ଏସ୍‌ଡିପିଓ ଧିରଜ ଚୋପଦାର, କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି। ରାସ୍ତା ଅବରୋଧ ଫଳରେ ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି।