କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଥମୁନି। ପ୍ରତ୍ୟେକ ଦିନ ହାତୀ କେଉଁଠି ଘର ଭାଙ୍ଗୁଛି ତ ଫସଲ ନଷ୍ଟ କରୁଥିବାର ସୂଚନା ମିଳୁଛି। ଏଥିସହ ହାତୀ ଆକ୍ରମଣରେ ଅନେକ ମୃତାହତ ମଧ୍ୟ ହେଉଛନ୍ତି। ଆଜି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ବାଂଶପାଳ ବ୍ଲକ କୋଡ଼ିପଶା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଇ ଗ୍ରାମ ନିକଟ ଚେକାକଟା ଜଙ୍ଗଲକୁ ପତ୍ର, କାଠି ସଂଗ୍ରହ କରିବା ପାଇଁ ଯାଇଥିବା ସୁକାନ୍ତି ଜୁଆଙ୍ଗ (୪୦)ଙ୍କୁ ଦନ୍ତାହାତୀ କଚାଡ଼ି ମାରିଦେଇଛି।
ଆଜି ସୁକାନ୍ତି ଚେକାକଟା ଜଙ୍ଗଲକୁ ଶାଳପତ୍ର ସଂଗ୍ରହ ପାଇଁ ଯାଇଥିବା ବେଳେ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବା ବେଳେ ହାତୀଟି ପିଛାକରି ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେବା ସହ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜଙ୍ଗଲରେ ଥିବା ଅନ୍ୟ ଲୋକମାନେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହି ଦନ୍ତାହାତୀଟି ଗତକାଲି ରାତିରେ ସାରୁକୁଦର, ତଳରଢୁଆଁରେ ଥିବାବେଳେ ଆଜି ସକାଳେ କୁଣ୍ଡେଇ ପାଖ ଚେକାକଟା ଜଙ୍ଗଲକୁ ଚାଲିଆସି ଜଣକ ଜୀବନ ନେଇଛି।
ଖବର ପାଇ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ମାନସ କୁମାର ମୁର୍ମୁ ଏବଂ ଅନ୍ୟ ବନ କର୍ମଚାରୀ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀକୁ ତୁରନ୍ତ ଅନ୍ୟତ୍ର ଘଉଡେଇବା ଦାବି କରିଥିଲେ । ବନ ବିଭାଗ ପକ୍ଷରୁ ଶବ ସତ୍କାର ପାଇଁ ମୃତକଙ୍କ ପରିବାରକୁ ୪୦ହଜାର ଟଙ୍କାର ଚେକ୍ କୋଡିପଶା ସରପଞ୍ଚ ଲକ୍ଷ୍ମିପ୍ରୀୟା ମୁଣ୍ଡାଙ୍କ ଉପସ୍ଥିତିରେ ମୃତମହିଳାଙ୍କ ସ୍ୱାମୀ ମୁରଲୀ ଜୁଆଙ୍ଗଙ୍କୁ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ପରିବାରକୁ ନିୟମ ମୁତାବକ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା କ୍ଷତିପୂରଣ ସହାୟତା ମିଳିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/23-16.jpg)