ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବାଉଁଶୁଣି: ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଥାନା ସଂଗ୍ରାମପୁର ଗ୍ରାମର ସୁଶୀଲ ବେହେରାଙ୍କ ପତ୍ନୀ ସ୍ବାଧୀନୀ ବେହେରା (୫୦ବର୍ଷ)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ସ୍ବାଧୀନୀ ଶୁକ୍ରବାର ଜଣେ ସଂପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ନୂଆପଡ଼ା ଗ୍ରାମକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଟିକିଏ ସୁସ୍ଥ ହେବାରୁ ଡାକ୍ତରଖାନାରୁ ସନ୍ଧ୍ୟାରେ ତାଙ୍କୁ ଘରକୁ ଅଣାଯାଇଥିଲା।

ମାତ୍ର ରାତିରେ ପୁଣି ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଥାନାଏଏସ୍‌ଆଇ ମଧୁସୂଦନ କହଁର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର