ଧର୍ମଶାଳା: ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ଦେଉଳି ଗାଁ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଜାଗରଯାତ୍ରାକୁ ଯାଉଥିବା ଜଣେ ନବବିବାହିତ ମହିଳାଙ୍କ ହାଇୱା ଧକ୍କାରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ସରଡ଼ା ଗ୍ରାମର ନିରୋଦ ପଣ୍ତାଙ୍କ ପତ୍ନୀ ଯାଜ୍ଞସେନୀ ପଣ୍ତା(୨୬)। ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ହାଇୱା (ଓଡି୦୪ଏନ-୭୬୦୫)କୁ ଜବତ କରିବା ସହିତ ୧୦୬/୨୨ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ଜାଗରଯାତ୍ରା ଦେଖିବା ପାଇଁ ଏହି ଦମ୍ପତି ଏକ ବାଇକ୍‌ରେ ଚଣ୍ତିଖୋଲର ମହାବିନାୟକ ପୀଠକୁ ଯାଉଥିଲେ। ଦେଉଳି ଗାଁ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟରେ ହାଇୱାଟି ବାଇକ୍‌ ପଛପଟୁ ଧକ୍କା ଦେଇଥିଲା। ଯାଜ୍ଞସେନୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଯାଜ୍ଞସେନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନିରୋଦ ଗୁରୁତର ଅଛନ୍ତି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି। ଗତ ଜାନୁଆରି ମାସରେ ଉଭୟଙ୍କ ବିବାହ ହୋଇଥିଲା। ନବବିବାହିତାଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି।