ଜୟପୁର:  ଗତ କାଲି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପରିବାର ନିୟୋଜନ ଅସ୍ତ୍ରପ୍ରଚାର ଚାଳିଥିବା ବେଳେ ଶଯ୍ୟା ଉପରେ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ (ଏଏସଆର) ଜିଲ୍ଲା ଅର୍ନ୍ତଗତ ମୁଚିମପୁଟ ଥାନା ଅର୍ନ୍ତଗତ ପାଢ଼େରୁ ଫୁନକାପୁଟ ଗାଁର  ରାମରାଜୁ ବଡନାୟକଙ୍କ ପତ୍ନୀ ସୂରୀୟା ତେଜା ବଡନାୟକ (୩୫) ଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତାଙ୍କ ପରିବାରବର୍ଗ ଓ ସଂପର୍କୀୟ ମାନେ ଡାକ୍ତରଖାନା ପରିସରରେ ଧାରଣା ଦେଇଥିଲେ। ତାଙ୍କ ସ୍ବାମୀ ରାମରାଜୁଙ୍କ ଅଭିଯୋଗ ଓ ସଂଦେହକୁ ନେଇ ଦେଇଥିବା ଏତଲା କ୍ରମେ ପୁଲିସ ଅପମୃତକୁ ନେଇ ଏକ ମାମଲା ରୁଜୁ କରିଛି। କିଭଳି ଓକେଉଁ ପରିସ୍ଥିତିରେ ଅସ୍ତ୍ରପ୍ରଚାର ଶଯ୍ୟା ଉପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା, ସ୍ବାସ୍ଥ୍ୟ ସଂପର୍କୀତ ବୈଷୟିକ ଦିଗର ରିପୋର୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ଦେବାକୁ ପୁଲିସ ପକ୍ଷରୁ ଚିଠି କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତରୀ ଟିମ୍ ଗଠନ କରି ଏହାର ବିଧିବଦ୍ଧ ରିପୋର୍ଟ ଦେବେ। ଏହା ସହ ଶବବ୍ୟାବଛେଦ ରିପୋର୍ଟ ଆଦିକୁ ସାମିଲ କରି ମାମଲା ଆଗକୁ ବଢ଼ିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।

Advertisment

ଗତ କାଲି ସଂଧ୍ୟାରେ ପରିବାରବର୍ଗ ଓ ସଂପର୍କୀୟ ମାନେ ଡାକ୍ତରଖାନାରେ  ଅସ୍ତ୍ରପ୍ରଚାରକୁ ନେଇ ସଂଦେହ ପ୍ରକାଶ କରି ମାମଲାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଥିଲେ। ରାତିରେ ‌ଶବ ବ୍ୟାବଛେଦ କରିବା ପାଇଁ ଜିଲ୍ଲାପାଳଙ୍କ ଠାରୁ  ଅନୁମତି ଅଣାଯାଇଥିଲା। ମାଜିଷ୍ଟ୍ରେଟ ଭାବେ ବିଡିଓ ରାଜୀବ ଦାସଙ୍କ ଉପସ୍ଥିତିରେ ଭିଡିଓ ଚିତ୍ରଉତ୍ତୋଳନ କରାଯିବା ସହ ଡାକ୍ତର ଦିଲ୍ଲୀପ କୁମାର ବିଶ୍ବାଳ ଓ ଡାକ୍ତର ଆଶିଷ ପାଣିଗ୍ରାହୀ ଶବର ବ୍ୟାବଛେଦ କରିଥିବା କହିଛନ୍ତି ସଦରଥାନା ଅଧିକାରୀ।

ପ୍ରକାଶଯୋଗ୍ୟ, ଗତ କାଲି ମୃତା ସୁରୀୟା‌ତେଜାଙ୍‌ଖ ସହ  ଲମତାପୁଟ ବ୍ଲକର ଗୁଲେଲ ଅଂଚଳରୁ ୭ଜଣ ମହିଳାଙ୍କୁ ପରିବାରନିୟୋଜନ ଅସ୍ତ୍ରପ୍ରଚାର ପାଇଁ ଆଶାକର୍ମୀ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇକି ଆସିଥିଲେ। ପ୍ରସୁତି ଓ ସ୍ତ୍ରୀ ବିଶେଷଞଙ୍କ ଦ୍ବାରା ଡାକ୍ତରଖାନାର ଅସ୍ତ୍ରପ୍ରଚାର ଗୃହରେ ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ଚାଲିଥିଲା।ଗତ କାଲି  ୨୯ଜଣଙ୍କର ଅସ୍ତ୍ରପ୍ରଚାର କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କ୍ରମାନ୍ବୟ ୨୭ନଂରେ ସୁରୀୟା ତେଜାଙ୍କର ଅସ୍ତ୍ରପ୍ରଚାର ପ୍ରସୁତି ଓସ୍ତ୍ରୀ ବିଶେଷଞ କରୁଥିବା ବେଳେ ଅଚାନକ ଭାବେ ତାଙ୍କର ମୃତ୍ୟୁ ଅପରେସନ୍ ଶଯ୍ୟା ଉପରେ ହୋଇଯାଇଥିଲା। ତେବେ କେଉଁ କାରଣରୁ ମୃତ୍ୟୁ ହେଲା ସେ ନେଇ ଏହି ମହିଳାଙ୍କ ସହ ଆସିଥିବା ପରିବାରବର୍ଗ ଓ ସୁରୀୟାତେଜାଙ୍କ ସଂପର୍କୀୟଙ୍କୁ ଡାକ୍ତରଖାନା ପକ୍ଷରୁ କିଛି ସୂଚନା ମିଳି ନଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।