ମୁରିବାହାଲ : ମୁରିବାହାଲ ବ୍ଲକ୍‌ ଅଞ୍ଚଳର ଗାଁ ଗାଁରେ ଅପମିଶ୍ରିତ କୁଚିଆ ଦେଶୀ ଓ ବିଦେଶୀ ମଦ ବେପାର ଚାଲିଛି। ଏନେଇ ବାରମ୍ବାର ଥାନା ଓ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ଟୁପାଉଡ଼ାର ପଞ୍ଚାୟତ ବଡ଼ଉଡ଼ାର ଗାଁର ଏସ୍‌ଏଚ୍‌ଜି ମହିଳାମାନେ ମଦ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ସେମାନେ ରବିବାର ମୁରିବାହାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Advertisment

ସେମାନଙ୍କ ଅଭିଯୋଗ ଅନୁସାରେ, ଗାଁରେ ଅବାଧରେ ୧୦ରୁ ଅଧିକ କୁଚିଆ ମଦଦୋକାନ ଚାଲିଛି। ଏହାକୁ ବନ୍ଦ କରିବା ପାଇଁ ଗାଁର ୩ ୱାର୍ଡସଭ୍ୟା ଓ ମହିଳା ଗୋଷ୍ଠୀ ଆଗରୁ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଗାଁର କୁରୁପତି ବେହେରା, ରୋହିତ ବେହେରା, ଦିଲୀପ ବେହେରା, ଛୋଟା ବେହେରା, ଆଦମ ବେହେରା, ବନ ବେହେରା, ଅଶୋକ ବେହେରା, ଫଟା ବେହେରା, ଭୁକ୍ତା ଗହୀର, କହ୍ନେୟାଲାଲ ମହାନନ୍ଦ ପ୍ରମୁଖ ପାଖ ଲେବଡ଼ା ମଦଭାଟିରୁ ଦେଶୀ ମଦ ଆଣି ଅପମିଶ୍ରିତ କରି କୁଚିଆ ଆକାରରେ ଗାଁରେ ବିକ୍ରି କରୁଛନ୍ତି। ତେଣୁ ଗାଁରେ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।

ଏହି ସମୟରେ ୱାର୍ଡସଭ୍ୟା ଚନ୍ଦ୍ରକାନ୍ତି ରଣା, ଲୀଳାବତୀ ଲୁହା, ଦ୍ରୌପଦୀ ଭୋଇ, ଜଗତ୍‌ଜନନୀ ଗୋଷ୍ଠୀ ସଭାନେତ୍ରୀ ଖୁସିବତୀ ବାଗ, ସମ୍ପାଦିକା ଯାମିନୀ ପାଣ୍ଡେ, ଛୁଟିମାଉଳୀ ଗୋଷ୍ଠୀ ସଭାନେତ୍ରୀ ଚଂପାବତୀ ଭୋଇ, ସମ୍ପାଦିକା ପୂଜା ଭୋଇ, ଯାଜ୍ଞାସେନୀ ଭୋଇ, ଅହଲ୍ୟା ଭୋଇ, ଗୀତାଞ୍ଜଳି ଭୋଇ, ସ୍ବପ୍ନା ଭୋଇ, ଖୟବତୀ ଭୋଇ, ପଦ୍ମାବତୀ ଗହୀର, ଭାଗ୍ୟବତୀ ଭୋଇ ଓ ବାସନ୍ତୀ ଭୋଇଙ୍କ ସମେତ ୫ରୁ ଅଧିକ ମହିଳା ଗୋଷ୍ଠୀ ଥାନା ଆଇଆଇସିଙ୍କୁ ପୁଣି ଦାବିପତ୍ର ଦେଇଛନ୍ତି। ଏହାର ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରତିଶ୍ରୁତି ଦେଇଛନ୍ତି।