ପ୍ରାଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଧ୍ୟାପିକା, ମହିଳା କର୍ମଚାରୀ : ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି

କଟକ : ମହିଳାଙ୍କ ପ୍ରତି ଦୁଷ୍କର୍ମ, ଅସଦାଚରଣ, ବର୍ବର ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସତ୍ତ୍ବେ ଏଭଳି ଘଟଣା ଥମିବାର ନାଁ ଧରୁନି। କଟକ ସହରରେ ଏକ ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ, ନିର୍ଯାତନା, ଅଶ୍ଳୀଳ ଭା‌ଷାରେ ଗାଳିଗୁଲଜ ଏବଂ ଧମକ ଭଳି ଅଭିଯୋଗ ସାମନାକୁ ଆସିଛି। ମହିଳା କର୍ମଚାରୀଙ୍କ ପକ୍ଷରୁ ଏ ସଂପର୍କରେ ନଭେମ୍ବର ୬ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲେ ବି ତଦନ୍ତ ନିର୍ଦ୍ଦେଶ ଦେବାକୁ ପାଖାପାଖି ମାସେ ସମୟ ଲାଗି ଯାଇଛି। ଏଭଳି ଏକ ଘଟଣା ଏବେ ସହରର ବୁଦ୍ଧିଜୀବୀ ମହଲରେ ଉଦବେଗ ସୃଷ୍ଟି କରିଛି। ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକାମାନେ ଅସୁରକ୍ଷିତ ଅନୁଭବ କରି ସରକାରଙ୍କ ଠାରୁ ସୁରକ୍ଷା ମାଗିବା ଘଟଣା ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଠାଇଛି।

କଟକର ଦରଖା ପାଟଣାସ୍ଥିତ କୁସୁମଦେବୀ ସତସଙ୍ଗ ମହିଳା ମହାବିଦ୍ୟାଳୟର ୧୯ ଜଣ ପ୍ରାଧ୍ୟାପିକା, ଅଧ୍ୟାପିକା ଏବଂ ମହିଳା କର୍ମଚାରୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଅର୍ଥନୀତି ବିଭାଗର ଜଣେ ପ୍ରାଧ୍ୟାପକ ଲଗାତର ଭାବେ ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରୁଛନ୍ତି। ମାନସିକ ନିର୍ଯାତନା ଦେଉଛନ୍ତି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ଅସାମ୍ବିଧାନିକ ଏବଂ ଆଦୌ ଗ୍ରହଣୀୟ ନହେଲା ଭଳି କଥା କହୁଛନ୍ତି। ଫୋନରେ ହତ୍ୟା ଧମକ ଦେଉଛନ୍ତି। ତେଣୁ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରି ଏହି ଅଧ୍ୟାପିକା, ମହିଳା କର୍ମଚାରୀମାନେ ନଭେମ୍ବର ୬ ତାରିଖରେ କଲେଜର ଅଧ୍ୟକ୍ଷାଙ୍କୁ ଚିଠି ଦେବା ସହିତ ଏହାର ନକଲ ପରିଚାଳନା କମିଟି ସଭାପତି, ଉପ ଜିଲ୍ଲାପାଳ, ଉଚ୍ଚ ଶିକ୍ଷା ବିଭାଗ କମିସନର ସଚିବ, ନିର୍ଦ୍ଦେଶକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପଠାଇଥିଲେ।

କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ହାଇଦ୍ରାବାଦ ଘଟଣା ପରେ ହୁଏତ ଅଧିକାରୀଙ୍କ ନିଦ ଭାଙ୍ଗି ଥିଲା। ଗଲା ୫ ତାରିଖ ଦିନ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଏ ସଂକ୍ରାନ୍ତରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି (ନଂ ୨୮୬୩୬) ଲେଖି ୭ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଆଜି ଅର୍ଥାତ ଡିସେମ୍ବର ୭ ତାରିଖରେ କଲେଜର ଅଧ୍ୟକ୍ଷାଙ୍କୁ ଚିଠି (ନଂ ୧୧୦୭୨) ଲେଖିଛନ୍ତି। ଡିସେମ୍ବର ୯ ତାରିଖ‌ ଅପରାହ୍ନ ୪ଟା ସୁଦ୍ଧା ଘଟଣାର ତଦନ୍ତ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ବନ୍ଦ ଲଫାପାରେ ରିପୋର୍ଟ ଦେବାକୁ ଅଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପ୍ରାଧ୍ୟାପକଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆସିଛି ସେ ମଧ୍ୟ ସେହି ସମୟ ଭିତରେ ତାଙ୍କର ସ୍ପଷ୍ଟୀକରଣ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ବନ୍ଦ ଲଫାପାରେ ପ୍ରଦାନ କରିବେ। ଡିସେମ୍ବର ୧୦ ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ କଲେଜକୁ ଆସି ଅଭିଯୋଗର ତଦନ୍ତ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କିନ୍ତୁ ସହରର ଏକ ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିବା ଏବଂ ତଦନ୍ତ ନିର୍ଦ୍ଦେଶ ଦେବାକୁ ମାସେ ଲାଗିଯିବା ଘଟଣା ଏବେ ବି ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଦିଗରେ ପ୍ରାଶାସନିକ ନିଷ୍କ୍ରିୟତାକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର