ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ମେକ୍ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତି ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମୋର ଦୃଢ ବିଶ୍ବାସ, ମା’ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଏସଏଚଜିମାନଙ୍କୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ ଏସଏଚଜି ଲାଭ ପାଉଛନ୍ତି।
ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶଟିଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଓଡ଼ିଶାର ରୂପାନ୍ତରଣରେ ମା’ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା’ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, ମିଶନ ଶକ୍ତି-ସ୍କେଲିଂ ଅପ୍ ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରିଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।ସେହିପରି ଏସଏଚଜିମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ
କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ସ୍ଵାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/cm-naveen.jpg)