ନ୍ୟାୟ ବ୍ୟବସ୍ଥା ପରିଚାଳନା ମାତୃଭାଷାରେ ହେଉ: ସୌମ୍ୟ

ଅଖିଳ ଭାରତୀୟ ସଂଯୁକ୍ତ ଅଧିବକ୍ତା ପରିଷଦ ପକ୍ଷରୁ ‘ମହିଳା ସଶକ୍ତୀକରଣ’ ଆଲୋଚନାଚକ୍ର

ଭୁବନେଶ୍ବର : ନ୍ୟାୟ ବ୍ୟବସ୍ଥାର ପରିଚାଳନା ଓ ପଦ୍ଧତି ମାତୃଭାଷା‌ରେ ହେବା ଉଚିତ। ତେବେ ଯାଇ ଆମ ମା’, ଭଉଣୀମାନେ ଜଟିଳ ନ୍ୟାୟ ବ୍ୟବସ୍ଥା ଓ ଆଇନକୁ ବୁଝିପାରିବେ। ଏହାଦ୍ବାରା ଅନେକ ମହିଳା ସଚେତନ ଓ ଉପକୃତ ହୋଇପାରି‌ବେ। ‘ଅନ୍ତର୍ଜାତୀୟ ମହିଳା ଦିବସ’ର ଅବ୍ୟବହିତ ପୂର୍ବରୁ ‘ଅଖିଳ ଭାରତୀୟ ସଂଯୁକ୍ତ ଅଧିବକ୍ତା ପରିଷଦ’ ପକ୍ଷରୁ ଆଜି ପାନ୍ଥନିବାସଠାରେ ଆୟୋଜିତ ‘ମହିଳା ସଶକ୍ତୀକରଣ’ ଶୀର୍ଷକ ଆଲୋଚନାଚକ୍ରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଛନ୍ତି।

ପରିଷଦର ଅଧ୍ୟକ୍ଷା ହରପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ମହିଳାଙ୍କୁ ସଶକ୍ତ କରିବା ଦିଗ‌ରେ ଦୁଇଟି ପଦକ୍ଷେପ ଗ୍ରହଣ କରାଯାଇପାରେ। ପ୍ରଥମଟି ସେମାନଙ୍କୁ ରୋଜଗାରକ୍ଷମ କରାଇବା ଏବଂ ଦ୍ବିତୀୟଟି ହେଲା, ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା। କିନ୍ତୁ ଅନେକ ସମୟରେ ଆଇନ ବ୍ୟବସ୍ଥାଟି ଏକ ଜଟିଳ ପ୍ରକ୍ରିୟା ଦେଇ ଗତି କରେ। ସେଥିରେ ସୁରକ୍ଷା ପାଇବା ସମ୍ଭବ ହୁଏ ନାହିଁ। ଏଣୁ ମହିଳା ଓକିଲମାନେ ଏ ଦିଗରେ ସମ୍ବେଦନଶୀଳ ହେବା ଉଚିତ। ଅଧିକରୁ ଅଧିକ ମହିଳା ଓକିଲାତି କରିବା ସହ ସାଧାରଣବର୍ଗଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

‘ତଲାସ ଫାଉଣ୍ଡେସନ୍‌’ର ଅଧ୍ୟକ୍ଷ ମହେନ୍ଦ୍ର କୁମାର କୌଶିକ ମୁଖ୍ୟ ଅତିଥି ଭ‌ାବେ ଯୋଗ ଦେଇ କହି‌ଲେ, ବର୍ତ୍ତମାନ ଯୁଗରେ ନାରୀ ଜାଗରଣର ଆବଶ୍ୟକତା ରହିଛି। ମା’ ଓ ମହିଳାମାନଙ୍କୁ ଆମେ ଶିକ୍ଷିତ ଓ ସଚେତନ କରାଇ ପାରିଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବପର ହୋଇପାରିବ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର, ଡିଏଚ୍‌ସିବିଏର କାର୍ଯ୍ୟନିର୍ବାହୀ ସଦସ୍ୟ ଆଇନଜୀବୀ ନଗିନ୍ଦର ବେନିପାଲ୍‌, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଇନଜୀବୀ ସୁଧା ବର୍ମା ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ। ନିଜର ପ୍ରବଳ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଫଳରେ ଯେ କୌଣସି ମହିଳା ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ଆଇନରେ ମହିଳାମାନଙ୍କ ପାଇଁ ବହୁ ସୁବିଧା/ସୁଯୋଗ ରହିଛି। ଏ ନେଇ ସଚେତନ ହେବା ତଥା ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବା ଫଳରେ ଅଧିକ ମହିଳା ଏହାର ଲାଭ ଉଠାଇପାରିବେ ବୋଲି ଅତିଥିମାନେ ଏହି ଅବସରରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବହୁ ପ୍ରତିଭାବାନ୍‌ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବୀ ସୁଧା ବର୍ମା ଓ ସୀମା ନାୟକଙ୍କୁ ଚଳିତ ବର୍ଷର ‘ଶ୍ରେଷ୍ଠ ମହିଳା ସମ୍ମାନ’, ଆଇନଜୀବୀ ମହେନ୍ଦ୍ର କୁମାର କୌଶିକ, ନଗିନ୍ଦର ବେନିପାଲ୍‌, ଧର୍ମେନ୍ଦ୍ର ମାଲ୍‌ଭିୟା ଓ ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ‘ଅଟଳ ସମ୍ମାନ’ ଏବଂ ଇତି ସାମନ୍ତ, ଜିତା ପଶାୟତ, ମନୀଷା ଦାସ ଓ ସାଚଲ୍‌ ଦାଶଙ୍କୁ ‘ଜଗତଜିତା ନାରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରିଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ‘କରୋନା ଯୋଦ୍ଧା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଷ୍ଣୁପ୍ରିୟା ପୃଷ୍ଟି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର