ପୁରୀ : ଓଡ଼ିଶାରେ ମହିଳା ଶୋଷଣ ସର୍ବାଧିକ। ଓଡ଼ିଶା ସରକାର ମହିଳାଙ୍କୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଗୋବିନ୍ଦ ସାହୁ ମୃତ୍ୟୁ ମାମଲା ଏହାର ଜ୍ବଳନ୍ତ ଉଦାହରଣ। ଯେଉଁଠି ଜଣେ ମହିଳାଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରୁଛନ୍ତି, ସେଠି ନିଶ୍ଚିତପକ୍ଷେ କିଛି ମନ୍ଦ ଉଦ୍ଦେଶ୍ୟ ଥାଇପାରେ। ଏହାକୁ କେବେ ବି ଆମେ ଆତ୍ମହତ୍ୟା ବୋଲି ଗ୍ରହଣ କରି ପାରିବୁନି ବୋଲି ଦିଲ୍ଲୀ ବିଜେପି ସଭାନେତ୍ରୀ ଯୋଗିତା ସିଂହ କହିଛନ୍ତି।
ଗୁରୁବାର ଦିନ ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସିଂହ କହିଛନ୍ତି, ଯଦି ମହିଳା, ଶିଶୁଙ୍କ ଦୁର୍ଦ୍ଦଶା ସ୍ଥିତି ଦେଖାଯାଏ, ଓଡ଼ିଶାରେ ସର୍ବାଧିକ ମହିଳା, ଶିଶୁ ଶୋଷଣର ଶିକାର ହେଉଛନ୍ତି। କେନ୍ଦ୍ର ସରକାର ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଜ୍ଜ୍ବଳା, ସୁକନ୍ୟା ଭଳି କେନ୍ଦ୍ରୀୟ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ ବି ରାଜ୍ୟ ସରକାର ଏହି ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ପ୍ରସ୍ତୁତ ନୁହନ୍ତି। ଯଦ୍ବାରା ଅନେକ ଗରିବ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଯେବେଠୁ କୋଭିଡ୍ ଆସିଛି, ସେବେଠୁ ମୋଦୀ ସରକାର ଗରିବଙ୍କୁ ରାସନ୍ ଦେଇ ଆସୁଛନ୍ତି। କେନ୍ଦ୍ର ସରକାର ଏ ଭିତରେ ଯେଉଁ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତଦ୍ବାରା ସାଧାରଣ ଜନତା, ବିଶେଷ କରି ମହିଳାମାନ ଲାଭବାନ ହୋଇପାରୁଛନ୍ତି ବୋଲି ଶ୍ରୀମତୀ ସିଂହ କହିଛନ୍ତି।