ସମ୍ବଲପୁର: ମହିଳାଙ୍କ ଯୋଗଦାନ ରହିଲେ କୌଣସି ପରିବାରର ଅର୍ଥନୀତି ଦୁର୍ବଳ ରହେ ନାହିଁ। ମହିଳାମାନେ ଉପାର୍ଜନ ସହ ସଂଚୟ କରିବାର କଳା ଜାଣନ୍ତି। ପରିବାର ଆର୍ଥିକ ସଂକଟର ସମ୍ମୁଖୀନ ହେଲେ ମହିଳାମାନେ ହିଁ ନିଜ ସଂଚୟ ବଳରେ ସେଥିରୁ ଉଦ୍ଧାର କରନ୍ତି ବୋଲି ଓଡ଼ିଶା ୫୦ର ତୃତୀୟ ସଂସ୍କରଣ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ତରଫରୁ ସମ୍ବଲପୁର ତପସ୍ବିନୀ ଜିଲ୍ଲା ପ୍ରେକ୍ଷାଳୟଠାରେ ଆୟୋଜିତ ପଶ୍ଚିମ ଓଡ଼ିଶାସ୍ତରୀୟ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଂଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଶ୍ରୀ ନାୟକ କହିଲେ, ଆଜି ଟ୍ରେନ୍ର ଲୋକ ପାଇଲଟ୍ ହୁଅନ୍ତୁ ବା ସହରର ସ୍ବଚ୍ଛସାଥୀ ହୁଅନ୍ତୁ ପ୍ରତ୍ୟେକ କର୍ମ କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଦେଶର ମହାମହିମ ରାଷ୍ଟ୍ରପତି ଓ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦ ସୁଯୋଗ୍ୟ ମହିଳାମାନେ ମଣ୍ଡନ କରିଛନ୍ତି। ମହିଳାଙ୍କ ପ୍ରବେଶ କର୍ମକ୍ଷେତ୍ରକୁ ଅଧିକ ଶୃଂଖଳିତ ଓ ବ୍ୟବସ୍ଥିତ କରିଛି। ମହିଳାମାନେ କେବଳ ପରିବାର କି ସମାଜ ନୁହେଁ, ସାମଗ୍ରିକ ଭାବେ ଏହି ଦେଶକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ। ସେମାନଙ୍କ ଯୋଗଦାନ ବଳରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କଲା ବେଳକୁ ବିଶ୍ବର ୧ ନମ୍ବର ଦେଶ ପାଲଟି ସାରିଥିବ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଥିଲେ।
ସମ୍ବାଦ ଗ୍ରୁପ୍ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର କହିଲେ, ପୁରୁଷଙ୍କ ତୁଳନାରେ ସମାଜ ପ୍ରତି ମହିଳାଙ୍କ ଅବଦାନ ଢେର ଅଧିକ। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତ ୧:୨। ଅର୍ଥାତ୍ ଛାତ୍ର ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଦୁଇଗୁଣା। ଅଧିକାଂଶ ବିଷୟରେ ଛାତ୍ରୀମାନେ ଟପର୍ ହେଉଛନ୍ତି। କେବଳ ପାରଂପରିକ ଶିକ୍ଷା ନୁହେଁ, ମେଡିକାଲ୍, ଇଂଜିନିୟରିଂ ହେଉ କି ଯେକୌଣସି ବୈଷୟିକ ବା ପେସାଦାର ଶିକ୍ଷା ସବୁଥିରେ ଛାତ୍ରୀଙ୍କ ଆଧିପତ୍ୟ ରହିଛି। ତେଣୁ ମହିଳାଙ୍କୁ ସୁଯୋଗ ମିଳିଲେ ସେମାନଙ୍କ ସଫଳତାକୁ କେହି ଅଟକାଇ ପାରିବେ ନାହିଁ। ମହୁଲର ବିକଳ୍ପ ବ୍ୟବହାର ସଂପର୍କରେ ସୂଚନା ଦେଇ ପ୍ର. ମିଶ୍ର କହିଲେ ଯେ ନିକଟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ମହିଳାମାନଙ୍କ ଶିବିର ଆୟୋଜନ କରାଯାଇ ମହୁଲରୁ ମିଠା, କେକ୍, କୁକିଜ୍ ଆଦି ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ସଂପର୍କରେ ତାଲିମ ଦିଆ ଯାଇଥିଲା। ଏଭଳି ପନ୍ଥା ଆପଣାଇ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସମାଜକୁ ମଦମୁକ୍ତ କରିବାରେ ସହାୟକ ହୋଇପାରିବେ ବୋଲି ପ୍ର. ମିଶ୍ର ମତ ଦେଇଥିଲେ।
ସଭାପତି ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ, କିଛି ବର୍ଷ ପୂର୍ବରୁ ଓଡ଼ିଶା ବାତ୍ୟା, ମରୁଡ଼ି, ଅନାହାର ମୃତ୍ୟୁ ଭଳି ବିପର୍ଯ୍ୟୟ ଓ ଅପବାଦକୁ ନେଇ ପରିଚିତ ଥିଲା। କିନ୍ତୁ ଆଜି ସଶକ୍ତ ମାତୃଶକ୍ତି ହେଉଛି ଓଡ଼ିଶାର ପରିଚୟ। ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଏତେ ବଡ଼ ଆନ୍ଦୋଳନ ଛିଡ଼ା ହୋଇପାରିବ, କିଛି ବର୍ଷ ପୂର୍ବରୁ ଏହା କେହି କଳ୍ପନା କରି ନଥିଲେ। ମହିଳାମାନେ ସାଧାରଣତଃ ଅଳ୍ପରେ ସନ୍ତୁଷ୍ଟ ହୋଇଯାଆନ୍ତି। କିନ୍ତୁ କର୍ମ ଓ ସଫଳତାର ଶେଷ ନାହିଁ। ତେଣୁ ନିଜ ଉପରେ ଆତ୍ମବିଶ୍ବାସ ରଖି ଆଗକୁ ବଢ଼ି ଚାଲନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ।
ଉପସ୍ଥିତ ମହିଳାମାନଙ୍କୁ ଆହ୍ବାନ ଦେଇ ସେ କହିଲେ, ପରିବାରରେ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ବ ଦିଅନ୍ତୁ। ସମାନ ଚକ୍ଷୁରେ ଦେଖନ୍ତୁ। ସମାନ ସୁଯୋଗ ଦିଅନ୍ତୁ। ଝିଅମାନେ ପୁଅଙ୍କଠୁ କମ୍ ନୁହନ୍ତି, ଏହା ସେମାନେ ବାରମ୍ବାର ପ୍ରମାଣିତ କରିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।
କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ସମ୍ବାଦର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ କହିଲେ, ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ଓଡ଼ିଶା ୫୦ କାର୍ଯ୍ୟକ୍ରମ ରାଜ୍ୟର ଅଗଣିତ ଗ୍ରାମୀଣ ମହିଳାଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ପ୍ରେରିତ କରିଛି। ନିଜର ଉଦ୍ୟୋଗ ଆରମ୍ଭ କରିବା ପାଇଁ ସ୍ବପ୍ନ ଦେଖୁଥିବା ମହିଳାମାନଙ୍କୁ ଏହା ଆତ୍ମବିଶ୍ବାସ ଦେଇ ଆଗକୁ ବଢ଼ିବାରେ ସହାୟକ ହୋଇଛି। ସମ୍ବାଦ ପୃଷ୍ଠାରେ ପ୍ରକାଶିତ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ର ଏମ୍ କିରଣ୍ମୟୀଙ୍କ କାହାଣୀର ଉଦାହରଣ ଦେଇ ଶ୍ରୀ ଦାସ କହିଥିଲେ, ଏକଦା ୭୦% ପୋଡ଼ି ହୋଇ ନିଜ ସ୍ବାମୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିବା ଏହି ସାହସୀ ମହିଳା ନିଜ ଅସୀମ ଦମ୍ଭ ବଳରେ ଆଜି ବାର୍ଷିକ ୨୦ ଲକ୍ଷ ଟଙ୍କାର ବ୍ୟବସାୟ ଛିଡ଼ା କରି ପାରିଛନ୍ତି। ଏଭଳି ବହୁ ବହୁ କିରଣ୍ମୟୀଙ୍କୁ ଓଡ଼ିଶା୫୦ ଲୋକଲୋଚନକୁ ଆଣିବା ସହ ଅନ୍ୟମାନଙ୍କୁ ପ୍ରେରିତ କରିଛି ବୋଲି କହିଥିଲେ। ସମ୍ବାଦ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ଅତିଥି ପରିଚୟ ଦେଇଥିବାବେଳେ ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ସମସ୍ତଙ୍କୁ ସ୍ବାଗତ କରିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ସ୍ବାବଲମ୍ବୀ ମହିଳା: ସଫଳତାର ସୂତ୍ର’ ଶୀର୍ଷକ ଆଲୋଚନାଚତ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ଜିଲ୍ଲା ଓଡ଼ିଶା ଜୀବିକା ମିସନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଡ. ପୁଷ୍ପଶ୍ରୀ ନାୟକ, ଓରମାସ୍ର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଗ୍ରାମୀଣ ଆତ୍ମନିର୍ଭର ତାଲିମ କେନ୍ଦ୍ର (ଆର୍ସେଟି)ର ନିର୍ଦ୍ଦେଶ ମୁକେଶ କୁମାର ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପିକା ବନ୍ଦନା ମେହେର ବିଶେଷଜ୍ଞ ବକ୍ତା ଭାବେ ଯୋଗ ଦେଇଥିଲେ। ଶେଷରେ ସମ୍ବାଦ ପଶ୍ଚିମ ଓଡ଼ିଶା ସଂସ୍କରଣର ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏହି ସମାବେଶରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ୫ଶହରୁ ଅଧିକ ମହିଳା ଉଦ୍ୟୋଗୀ ଯୋଗଦେଇଥିଲେ।