ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ଆଜି ବି ସରକାରଙ୍କର ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ଏହି ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାର ଲୋକେ ବସବାସ କରୁଛନ୍ତି। ଏମାନଙ୍କର ଉନ୍ନତି ଏବଂ ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରିଚାଲିଛନ୍ତି। ଏପରିକି ଏମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ବଣ୍ଡା ଉନ୍ନୟନ ସଂସ୍ଥା ମଧ୍ୟ ସରକାର ଖୋଲିଛନ୍ତି। କିନ୍ତୁ ବଣ୍ଡାଘାଟିର ବିକାଶର ଚିତ୍ର ଆଜି ପର୍ଯ୍ୟନ୍ତ ବଦଳିଲା ନାହିଁ, ଯାହାର ସଦ୍ୟତମ ଉଦାହରଣ ହେଉଛି ଏହି ଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ମଧ୍ୟରୁ ଅଣ୍ଡ୍ରାହାଲ ପଞ୍ଚାୟତର ସିନ୍ଧିଗୁଡା ଗ୍ରାମ।ପାହାଡ ଉପରେ ରହିଥିବା ସିନ୍ଧିଗୁଡା ଗ୍ରାମରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି।
ସମସ୍ତେ ବଣ୍ଡା ସଂପ୍ରଦାୟର ଲୋକେ।ପାହାଡ ଉପରେ ଚାଷବାସ କରିବା ସହ ଜଂଗଲ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ହାଟମାନଙ୍କରେ ସେଗୁଡିକ ବିକ୍ରି କରି ନିଜର ଦୈନନ୍ଦିନ ସାମଗ୍ରୀ ଘରକୁ ନିଅନ୍ତି। ଆଜି ଲୋକେ ସରକାରଙ୍କ ସମସ୍ତ ସୁବିଧା ପାଇ ପାରୁନାହାନ୍ତି। ସବୁଠାରୁ ବଡ ଦୁଃଖ ହେଲା ଏହି ଗ୍ରାମରେ ରହିଥିବା ଜଳ ସଂକଟ। ଗ୍ରାମର ମହିଳାମାନେ ପାହାଡ ଉପରେ ପ୍ରାୟ ଦୁଇ କିଲୋମିଟର ପାଦରେ ଚାଲି ଚାଲି ଚୁଆରୁ ପାଣି ସଂଗ୍ରହ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି। ପ୍ରଶାସନ ସବୁ ଜାଣି ଅଜଣା ପାଲଟିଛି। ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଉନ୍ନୟନ ସଂସ୍ଥା ପର୍ଯ୍ୟନ୍ତ ପାଣି ପାଇଁ ଗୁହାରି କରି ଥକିଗଲେ। ଶେଷରେ ଚୁଆ ପାଣି ଉପରେ ନିର୍ଭର କରି ଚଳୁଛନ୍ତି।
/sambad/media/post_attachments/wp-content/uploads/2024/03/Mkg-Banda-ghati-story-4.jpg)
ବର୍ଷାଦିନ ହେଲେ ପାଣି ମିଳିବା କଷ୍ଟସାଧ୍ୟ ବୋଲି ବଣ୍ଡା ମହିଳାମାନେ କହନ୍ତି। କେବଳ ପାଣି ହିଁ ପହଞ୍ଚି ନାହିଁ। ଏହାବ୍ୟତୀତ ରାସ୍ତା ନାହିଁ, ସ୍କୁଲ ନାହିଁ। ଅଙ୍ଗନବାଡି ନାହିଁ।ଲୋକେ ଅତି ଦୟନୀୟ ଭାବେ ବଞ୍ଚି ରହିଛନ୍ତି। ସରକାର ଏମାନଙ୍କ ପାଇଁ ଏତେ ଟଂକା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି ଟଂକା କୁଆଡେ ଯାଉଛି ତାହାର ତଦନ୍ତ କରୁନାହାନ୍ତି।ଜୀବନଜୀବିକା ନଥିବାରୁ ବଣ୍ଡା ପୁରୁଷମାନେ ଦିନ ତମାମ ଜଂଗଲ ଭିତରେ ବିଭିନ୍ନ ଜଂଗଲଜାତ ଦ୍ରବ୍ୟ ଖୋଜିଥାନ୍ତି। ଆଜି ବି ଲୋକେ ଅଦଳ ବଦଳ ପ୍ରଥା ଉପରେ ବିଶ୍ବାସ କରନ୍ତି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ବାଧ୍ୟ ହୋଇ ଏମାନେ ନିଜ ପାଖରେ ଯାହା ଥାଏ ତାହା ଦେଇ ନିଜର ଅତ୍ୟାବଶକୀୟ ଜିନିଷ ମାଗିଥାନ୍ତି। ବଣ୍ଡାକୁ ନେଇ ରାଜ୍ୟ ସରକାରଙ୍କର ଦରଦ ରହିଥିଲେ ମଧ୍ୟ ସେମାନେ ଆଜି ବି ମୁଖ୍ୟସ୍ରୋତରେ ସାମିଲ ହୋଇପାରୁନାହାନ୍ତି। କାଁ ଭାଁ ପିଲା ପାଠ ପଢି ଆଗକୁ ବଢିଛନ୍ତି ସତ। କିନ୍ତୁ ବହୁ ପିଲା ଅପାଠୁଆ ହୋଇ ଘରେ ପରିବାରକୁ ସହଯୋଗ କରୁଥିବା ଦେଖିବାକୁ ମିଳେ।ବଣ୍ଡାଘାଟିର ଏହି ଗ୍ରାମ ଉପରେ ସରକାର ଓ ପ୍ରଶାସନର ନଜର ପଡିଲେ ଲୋକେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Mkg-Banda-ghati-story-1.jpg)