ଭୁବନେଶ୍ୱର : ନିଯୁକ୍ତି ଦାବି ନେଇ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛି। ଲୋୟର ପିଏମ୍ଜିଠାରେ ଶହ ଶହ ତାଲିମ୍ପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀ ବସି ରହି ସରକାର ବିରୋଧୀ ନାରାବାଜି କରୁଛନ୍ତି। ଡିସେମ୍ବର ୧ ସୁଦ୍ଧା ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନ ନେଲେ, ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ କର୍ମୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଚେତାବନୀ ଦେଇଛନ୍ତି।
ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ କହିଛନ୍ତି, ୧୩ ବର୍ଷ ହେବ ୧୭ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ୍ ପାଇ ବେକାର ହୋଇ ବସିଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଚିନ୍ତା କରୁନାହାନ୍ତି। ଏଣେ ତାଲିମ୍ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନକୁ ସ୍ବୀକୃତି ଦେଉଛନ୍ତି। ମୋ’ ସରକାର ଅଧୀନରେ ସରକାର ଯେଉଁ ‘୫-ଟି’ କଥା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ପ୍ରହସନ। ମହିଳାମାନେ ଯେଉଁଠି ସ୍ବାବଲମ୍ବୀ ନୁହନ୍ତି, ସେଠାରେ ଏହି ‘୫-ଟି’ର କୌଣସି ମୂଲ୍ୟ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣୀ ପ୍ରଧାନ, ପ୍ରାଚୀ ପ୍ରଧାନ, ସୁପ୍ରିୟା ଦାସ, ପୂର୍ଣ୍ଣମୀ ନାୟକ, ହେମଲତା ପଣ୍ଡା, ଡଲିମା ନାୟକ, ମଞ୍ଜୁ ପଟେଲ, ସୁଜାତା ମହାରଣା, ମମତା ଜେନା, ଶୁଭସ୍ମିତା ନାୟକ, ମମତା ସାହୁ, ମଧୁସ୍ମିତା ସାହୁ, ସାବିତ୍ରୀ ଲେଙ୍କା, ମୌସୁମୀ ବେହେରା ପ୍ରମୁଖ ଏହି ଅନଶନରେ ସାମିଲ ହୋଇଛନ୍ତି।
ଅନଏମ୍ପ୍ଲୟଡ୍ ପୁରୁଣା ସିଟି/ବିଏଡ୍ ସଂଘର ଗଣଧାରଣା
ଭୁବନେଶ୍ବର : ୫ ଦଫା ଦାବି ନେଇ ଅଲ ଓଡ଼ିଶା ଅନଏମ୍ପ୍ଲୟଡ ପୁରୁଣା ସିଟି/ବିଏଡ୍ ସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି। ସଭାପତି ଗୋପବନ୍ଧୁ ମୁଦୁଲି, ସଂପାଦକ ବାବାଜୀ ଚରଣ ବାରିକ ଓ କାର୍ଯ୍ୟକାରୀ ସଭାପତି ଧନଞ୍ଜୟ ତ୍ରିପାଠୀଙ୍କ ନେତୃତ୍ବରେ ୧୯୯୦-୯୧ ଓ ୨୦୦୦-୦୧ ଶିକ୍ଷାବର୍ଷ ମଧ୍ୟରେ ନିଯୁକ୍ତିରୁ ବଞ୍ଚିତ ପୁରୁଣା ସିଟି/ବିଏଡ୍ମାନଙ୍କୁ ସ୍ବତନ୍ତ୍ର ପ୍ୟାକେଜ୍ରେ ନିଯୁକ୍ତି ଦେବାକୁ ସଂଘର କର୍ମକର୍ତା ଦାବି କରିଛନ୍ତି।ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ବନ୍ଦ କରାଯିବା ସହ ଜାଲ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ବହିଷ୍କାର, ଚଳିତବର୍ଷ ଫେବ୍ରୁଆରି ଓ ମାର୍ଚ ମାସରେ ଅନ୍ତରୀଣ ମନ୍ତ୍ରୀ ପରିଷଦ ବୈଠକରେ ଆଗତ ହୋଇଥିବା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏହାସହ ଜୁଲାଇ ମାସ ବର୍ଷାକାଳୀନ ଅଧିବେଶନରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଦ୍ବାରା ଆଗତ ପ୍ରସ୍ତାବ ଓ ବାଚସ୍ପତିଙ୍କ ଦ୍ବାରା ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଥିବା ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଧାରଣାରେ ବିଜୟ ଦାସ, ଗଙ୍ଗାଧାର ସାହୁ, ନିର୍ମଳ କୁମାର ଗିରି, ନିହାରକାନ୍ତ ଗିରି, ଉଜ୍ଜଳ କୁମାର ଦାସ, ଗଗନ ବିହାରୀ ମିଶ୍ର ଓ ଅନ୍ୟମାନେ ସାମିଲ ହୋଇଛନ୍ତି।