ଭୁବନେଶ୍ବର : ସମ୍ବିଧାନ ପ୍ରଣେତା ଡ. ବି ଆର୍ ଆମ୍ବେଦକର ଏକଦା କହିଥିଲେ, 'ଏକ ଦେଶର ପ୍ରଗତି ଏହାର ମହିଳାମାନେ ହାସଲ କରିଥିବା ପ୍ରଗତି ସହ ତୁଳନା କରିବା ଆବଶ୍ୟକ। ଯେଉଁ ଦେଶର ମହିଳାମାନେ ପ୍ରଗତି ପଥରେ ଅଗ୍ରସର ହୋଇ ନାହାନ୍ତି, ସେ ଦେଶର ଉନ୍ନତି ଅସମ୍ଭବ।' ମହିଳାମାନଙ୍କୁ ଗୁରୁତ୍ବ ଦେବା ତଥା ବିକଶିତ ଦେଶ ପାଇଁ ଆମ୍ବେଦକରଙ୍କ ଏହି ଉକ୍ତିଟି ଆଜି ବି ମହତ୍ତ୍ବ ରଖେ। ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ରାଜନୀତିଠୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି।
ଠିକ୍ ଏମିତି ସମୟରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ମୋଟ ୬୨୭ଜଣ ଦୁର୍ନୀତିଗ୍ରସ୍ତ ଧରାପଡ଼ିଛନ୍ତି। ସେଥିମଧ୍ୟରୁ ୯୯ଜଣ ଅର୍ଥାତ୍ ପ୍ରାୟ ୧୫.୭୮% ମହିଳା। ଭିଜିଲାନ୍ସ ପରିସଂଖ୍ୟାନ ଆହୁରି କହୁଛି, ମହିଳା ଦୁର୍ନୀତି ଅଭିଯୁକ୍ତଙ୍କ ମଧ୍ୟରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୪ଜଣ ଓ ଲାଞ୍ଚ କାରବାର ବେଳେ ୩୭ଜଣ ଗିରଫ ହୋଇଛନ୍ତି। ବିଭାଗୀୟ ଦୁର୍ନୀତିର ତଦନ୍ତରୁ ଏବଂ ବେଆଇନ ନଗଦ ଟଙ୍କା ନେଇ ଯାଉଥିବା ବେଳେ ୪୮ଜଣ ଧରାପଡ଼ିଛନ୍ତି।
କେବଳ ସେତିକି ନୁହେଁ, ମହିଳାଙ୍କ କ୍ଷେତ୍ରରେ ଲାଞ୍ଚ ଓ ଆୟ ବହିର୍ଭୂତ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୨୦ରେ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ମାମଲାରେ ମୋଟ ୧୬ଜଣ ମହିଳାଙ୍କୁ ଭିଜିଲାନ୍ସ ଧରିଥିଲା। ମହାମାରୀ କରୋନା ସତ୍ତ୍ବେ ୨୦୨୧ରେ ଏହି ସଂଖ୍ୟା ବେଶ୍ ଆଖିଦୃଶିଆ (୬୯%) ବୃଦ୍ଧିପାଇଛି। ଅର୍ଥାତ୍ ୧୬ରୁ ବଢ଼ି ୨୭କୁ ଛୁଇଁଛି। ଚଳିତ ବର୍ଷର ୫ମାସ ମଧ୍ୟରେ ୮ଜଣ ମହିଳା ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଖୁଆଡ଼ରେ ଭର୍ତ୍ତି ହୋଇସାରିଲେଣି। ସେଥିମଧ୍ୟରୁ ୩ଜଣ ମହିଳା ପୁଲିସ କର୍ମଚାରୀ ରହିଛନ୍ତି। ସେହିଭଳି ଲାଞ୍ଚ କାରବାର ସମୟରେ ଅଢ଼େଇ ବର୍ଷରେ ୩୭ଜଣ ଗିରଫ ହୋଇଥିବା ଏହି ରିପୋର୍ଟ କହୁଛି। ନିକଟରେ ଖୋଦ୍ ମାନସୀ ଜେନା ୧୦ଲକ୍ଷ ଟଙ୍କା ନେବା ସମୟରେ ସହଯୋଗୀଙ୍କ ସହିତ ଧରାପଡ଼ିଥିଲେ। ଆଜି ରାଜ୍ୟ ସରକାର ଗୋଟିଏ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। କିନ୍ତୁ ଭିଜିଲାନ୍ସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ସ୍ବଚ୍ଛତାକୁ ପ୍ରଶ୍ନଜାଲରେ ଛନ୍ଦି ଦେଇଛି। ଏହା ପୂର୍ବରୁ ୨୦୨୦ରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ, କୋରାପୁଟ ମୁଜାଙ୍ଗ ସରପଞ୍ଚ ରଇଲା ମାଝୀ, କୋରାପୁଟ ନନ୍ଦପୁର ବ୍ଲକ୍ର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ପ୍ରମୁଖ ଲାଞ୍ଚ କାରବାର ସମୟରେ ଧରାପଡ଼ିଛନ୍ତି।
/sambad/media/post_attachments/wp-content/uploads/2022/06/vigilance-2-300x179.png)
ଏହାବ୍ୟତୀତ ଆୟବହିର୍ଭୂତ ମାମଲାରେ ୧୪ଜଣ ଗିରଫ ହୋଇଥିବା ବେଳେ ୨୦୨୦ ଡିସେମ୍ବରରେ ବ୍ରହ୍ମପୁର ମୁନିସିପାଲ୍ କର୍ପୋରେସନ୍ର କୋଟିପତି ଅଙ୍ଗନବାଡ଼ି କର୍ମୀ ନମିତା ଦଳେଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଶ୍ଚର୍ଯ୍ୟ ହୋଇଥିଲା। ତାଙ୍କ ନିକଟରୁ ୨କୋଟି ୨୦ଲକ୍ଷ ଟଙ୍କାରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ବରଗଡ଼ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଚନ୍ଦ୍ରା ସାହୁଙ୍କ ସମ୍ପତ୍ତି ମଧ୍ୟ ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚା ହୋଇଥିଲା। ତାଙ୍କ ନିକଟରୁ ପ୍ରାୟ ୮କୋଟି ୬୦ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିଲା।
ଅଧିକରୁ ଅଧିକ ମହିଳା କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଥିବା ଘଟଣାରେ ପୂର୍ବତନ ପୁଲିସ ଡିଜି ଗୋପାଳ ଚନ୍ଦ୍ର ନନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି, ଦୁର୍ନୀତି କରିବା ଜଣଙ୍କର ବ୍ୟକ୍ତିଗତ ନିଷ୍ପତି। ମହିଳା କରିବେ ବା କେବଳ ପୁରୁଷ କରିବେ ଏମିତି କିଛି ନାହିଁ। ପୂର୍ବରୁ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଖୁବ୍ କମ୍ ଥିଲା। ଏବେ ସଂରକ୍ଷଣ ଆଦି କାରଣରୁ ମହିଳାଙ୍କ ସଂଖ୍ୟା ବିଭିନ୍ନ କ୍ଷେତ୍ରରେ ବଢ଼ୁଛି। ଏହି କ୍ରମରେ ଦୁର୍ନୀତିରେ ମଧ୍ୟ ମହିଳାଙ୍କ ସଂଖ୍ୟା ବଢ଼ିବାରେ କିଛି ଅସ୍ବାଭାବିକତା ନାହିଁ।
ମହିଳା ସମାଜସେବୀ ତଥା ଆଇନଜୀବୀ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି, ବିକାଶର ସବୁଠୁ ବଡ଼ବାଧକ ହେଉଛି ଦୁର୍ନୀତି। ଯେତେବେଳେ ଗୋଟେ ବ୍ୟବସ୍ଥାର ଉପରୁ ତଳ ପର୍ଯ୍ୟନ୍ତ ଅନେକଙ୍କୁ ଦୁର୍ନୀତି ସ୍ପର୍ଶ କରିଛି, ସେଠାରେ ଜଣେ କଣ କରିପାରିବ? ସେ ମହିଳା ହୁଅନ୍ତୁ କି ପୁରୁଷ ସେ ବ୍ୟବସ୍ଥାରୁ ବାହାରିଯାଇ ଅଲଗା ହୋଇ ରହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଅପରପଟେ ବ୍ୟକ୍ତିତ୍ବ ଉପରେ ମଧ୍ୟ ଦୁର୍ନୀତି ହେବ ନା ନାହିଁ ତାହା ନିର୍ଭର କରେ। ଯେଉଁ ପିଲାମାନେ ଏବେ ନିଯୁକ୍ତି କ୍ଷେତ୍ରରେ ପାଦ ଥାପୁଛନ୍ତି, ସେମାନେ ବସ୍ତୁବାଦକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ପରିବାର ଲୋକେ ମଧ୍ୟ ଟଙ୍କା ଆୟକୁ ଦେଖୁଛନ୍ତି। ବେଆଇନ୍ ଉପାୟରେ ଅର୍ଥ ନ ରୋଜଗାର କରିବା ଲାଗି ବା ଦୁର୍ନୀତି ନ କରିବା ପାଇଁ ସଂସ୍କାର ଶିଖାଉନାହାନ୍ତି; ଯେଉଁଥି ପାଇଁ ଦୁର୍ନୀତି ଏବେ ଧୀରେ ଧୀରେ ନୀତିରେ ପରିଣତ ହୋଇଛି।