ବ୍ରହ୍ମପୁର: ଘରଣୀ ବିନା ଘର ପରିପୂର୍ଣ୍ଣ ନୁହେଁ। ପ୍ରତ୍ୟେକ ମହିଳା ଜଣେ ଜଣେ ସଫଳ ନେତ୍ରୀ। ସେମାନେ ନିଜ ପରିବାରକୁ ଦେଖିବା ସହିତ ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଯାହାକି ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହଯୋଗ କରୁଛି। ଏଣୁ ମହିଳାମାନେ ହେଉଛନ୍ତି ପରିବାରର ଅଦୃଶ୍ୟ ଶକ୍ତି ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି। ମହିଳାମାନେ ଆଗକୁ ବଢ଼ିବା ପାଇଁ ହେଲେ ସେମାନଙ୍କୁ ସଶକ୍ତ ହେବାକୁ ପଡ଼ିବ। ସଶକ୍ତୀକରଣ ଅର୍ଥାତ, ଯେଉଁଠି କ୍ଷମତାର ସୁବିନିଯୋଗ, ନିଜ ବିଷୟରେ ନିଜେ ଫଇସଲା ନେବାର ସ୍ବାଧୀନତା, ଅବାଧ ବିଚରଣ, ମୁକ୍ତ ଚେତନା, ସ୍ବାବଲମ୍ବୀ, ପାରିପାର୍ଶିକ ସ୍ଥିତିରେ ଯୋଗଦାନ ଏବଂ ଯେଉଁଠି ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ସହାୟତା ରହିଛି, ସେଠି ମହିଳା ସଶକ୍ତୀକରଣ ସମ୍ଭବ ହେବ ବୋଲି କୁଳପତି ପ୍ରଫେସର ଦାଶ ମତବ୍ୟକ୍ତ କରିଛନ୍ତି।

Advertisment

ଦକ୍ଷିଣାଞ୍ଚଳର ୭ଟି ଜିଲ୍ଲାର ମହିଳା ଉଦ୍ୟୋଗୀଙ୍କୁ ନେଇ ‘ସମ୍ବାଦ’ ତରଫରୁ ବ୍ରହ୍ମପୁର ହିଲ୍‌ପାଟଣା ସଂସ୍କୃତି ଭବନରେ ‘ଓଡ଼ିଶା-୫୦’ ମହିଳା ଉଦ୍ୟୋଗୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦାଶ, ସମ୍ମାନିତ ଅତିଥି ଭାବେ ମହିଳା ଉଦ୍ୟୋଗୀ ତଥା ସମାଜସେବୀ ଆରତି ଦେବୀ ଯୋଗ ଦେଇଥିଲେ। ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ମଧ୍ୟ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି କୁଳପତି ପ୍ରଫେସର ଦାଶ ତାଙ୍କ ବକ୍ତବ୍ୟରେ ଜାତିସଂଘର ରିପୋର୍ଟ ଅନୁସାରେ ପୃଥିବୀରେ ଯାହା ବି କାମ ହେଉଛି ତା’ର ଦୁଇ ତୃତୀୟାଂଶ କାମ ମହିଳା କରୁଛନ୍ତି। କିନ୍ତୁ ମହିଳାଙ୍କୁ ମାତ୍ର ୧ ପ୍ରତିଶତ ସ୍ଥାୟୀ ମାଲିକାନାସତ୍ତ୍ବ ମିଳିଛି। କ୍ରମଶଃ ଏଥିରେ ସୁଧାର ଆସୁଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଶାର ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଗ୍ରାମୀଣ ମହିଳାଙ୍କ ବିକାଶ ପାଇଁ ଗୁରୁତ୍ବ ଦିଆଯାଉଛି। ଏଣୁ ମହିଳାମାନେ ନିଜେ ନିଜର ନିଷ୍ପତ୍ତି ନିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ ବୋଲି ପ୍ରଫେସର ଦାଶ ଉପସ୍ଥିତ ମହିଳାଙ୍କୁ ଆହ୍ବାନ କରିଥିଲେ। ଗ୍ରାମୀଣ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏବେ ଏସ୍‌ଏଚ୍‌ଜିଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷାକ୍ଷେତ୍ରରେ ମଧ୍ୟ ନିଜକୁ ସୁଦୃଢ଼ କରିବାକୁ ହେବ। ନେପୋଲିଆନ୍‌ କହିଥିଲେ, ‘ମୋତେ ଶିକ୍ଷିତ ମା’ ଦିଅନ୍ତୁ, ମୁଁ ଏକ ବିକଶିତ ଦେଶ ଦେବି’। ଏଥିରୁ ସ୍ପଷ୍ଟ ହେଉଛି ଯେ ଆମେ ଯେତିକି ଶିକ୍ଷିତ ହେବା ସେତେ ଅଧିକ ସଶକ୍ତ ହୋଇପାରିବା। ମା’ ହେଉଛି ପିଲାଙ୍କ ପ୍ରଥମ ଶିକ୍ଷକ। ମା’ ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହେବ। ପରିବାର ଶିକ୍ଷିତ ହେଲେ ସମାଜ ଶିକ୍ଷିତ ହେବ ବୋଲି କୁଳପତି କହିଥିଲେ।

publive-image

ସମ୍ମାନିତ ଅତିଥି ସମାଜସେବୀ ଆରତି ଦେବୀ ତାଙ୍କ ବକ୍ତବ୍ୟରେ ଏକ କିମ୍ବା ଏକାଧିକ ମହିଳା ମିଳିତ ଭାବେ କାମ କରି ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବା ହେଉଛି ମହିଳା ସଶକ୍ତୀକରଣ। ମହିଳା ସଶକ୍ତୀକରଣ ପାଇଁ ଅର୍ଥନୈତିକ ବିକାଶ ସହିତ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ମଧ୍ୟ ଆବଶ୍ୟକ। ସେ ନିଜର ଉଦାହରଣ ଦେଇ କହିଲେ, ବ୍ୟାଙ୍କ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ। ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜ୍ୟରେ ପ୍ରଥମ ମହିଳା ଗ୍ରାମସଭା କରିଥିଲେ। ସେହି ଗ୍ରାମସଭାରେ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ବହୁ ପ୍ରତିଭା ରହିଥିବା ଦେଖିବାକୁ ପାଇଥିଲେ। ଏଣୁ ସେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ବୋଲି ସେ ସୂଚନା ଦେଇଥିଲେ। ଉଦ୍ୟୋଗ କରିବା ବଡ଼ କଥା ନୁହେଁ, ପ୍ରଥମେ ତା’ର ମାର୍କେଟିଂ ବ୍ୟବସ୍ଥା ଦେଖିବାର ଅଛି। ଯଦି ସାମଗ୍ରୀ ବିକ୍ର ହେବ ନାହିଁ, ତେବେ ଉଦ୍ୟୋଗ ବଞ୍ଚିବ କେମିତି ବୋଲି ସେ କହିଥିଲେ। ମହିଳା ସଶକ୍ତୀକରଣ ଦ୍ବାରା ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ବିକାଶ ସମ୍ଭବ ହୋଇପାରୁଛି। ଆଜି ଯେଉଁ ମହିଳାମାନେ ଏସ୍‌ଏଚ୍‌ଜି ଜରିଆରେ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି, ଆଗାମୀ ଦିନରେ ସେମାନେ ଶିଳ୍ପାୟନ ପ୍ରତି ଅଗ୍ରସର ହୁଅନ୍ତି ବୋଲି ସମାଜସେବୀ ଆରତୀ କହିଥିଲେ।

‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ, ମହିଳା ସଶକ୍ତୀକରଣ ପାଇଁ ଶିକ୍ଷା, ରୋଜଗାର ନିହାତି ଆବଶ୍ୟକ। ଏହା ହାସଲ କଲେ ନିଜର ପତିଆରା ବଢ଼ିବ। ଏହା ସହ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କୁ ‘ମନ’ର ପଞ୍ଚସୂତ୍ରୀ ଫର୍ମୂଲା ଆପଣେଇବାକୁ ପରାମର୍ଶ ଦେଇଥିଲେ। ‘ମ’ରେ ମା’କୁ ସମ୍ମାନ, ମାଟିକୁ ଆଦର, ମାତୃଭାଷାକୁ ଭୁଲିବା ନାହିଁ, ମୋବାଇଲ୍‌ ଜରିଆରେ ବିଜ୍ଞାନ ଓ କାରିଗରୀ ବିଦ୍ୟାର ବ୍ୟବହାର କରିବା ଏବଂ ଶେଷରେ ମଦମୁକ୍ତ ଓଡ଼ିଶା ଗଠନ କରିବାକୁ ସେ ଆହ୍ବାନ କରିଥିଲେ। ବର୍ତ୍ତମାନ ରାଜ୍ୟରେ ଥିବା ଏସ୍‌ଏଚ୍‌ଜିର ୭୦ଲକ୍ଷ ମହିଳା ଚାହିଁଲେ ତାହା ସମ୍ଭବ ହୋଇପାରିବ ବୋଲି କହିଥିଲେ। ସେହିପରି ‘ନ’ରେ ନିରୋଗ ରହିବା, ନିରହଂକାର, ନିରାଡ଼ମ୍ବର, ନିଡ଼ର ଓ ନିଶାମୁକ୍ତ ସମାଜ ଗଠନ କରିବାକୁ ସେ ଆହ୍ବାନ ଦେଇଥିଲେ। କାମ କରିବା ପାଇଁ ଶରୀର ସୁସ୍ଥ ରଖିବାକୁ ପଡ଼ିବ। ଏଣୁ ନିଜ ଶରୀର ପ୍ରତି ଯତ୍ନବାନ ହେବା। ଅହଂକାର କରିବା ନାହିଁ, ଯିଏ ଅହଂକାର କରିଛି ତା’ର ଖୁବଶୀଘ୍ର ପରିସମାପ୍ତି ଘଟିଛି। ନିରାଡ଼ମ୍ବର ଜୀବନକୁ ଆପଣେଇବା, ଯେତିକି ଆବଶ୍ୟକ ସେତିକିରେ ଚଳିବା ଶିଖିବା। ସେହିପରି ସତ୍ୟକୁ ସଙ୍ଗାତ କରି ନିଡ଼ର ହେବା। ସତ କହିବାକୁ ଡରିବା ନାହିଁ କି ପ୍ରଶ୍ନ ପଚାରିବାକୁ ଭୟ କରିବା ନାହିଁ ବୋଲି ସେ କହିଥିଲେ।

publive-image

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ କହିଲେ, ଆମେ ଯାହା ବି ସଫଳତା ପାଉଛେ, ତା’ର ଶ୍ରେୟ ମହିଳାଙ୍କୁ ଦିଆଯିବ। କାରଣ ଆଜି ଯେଉଁ ମହିଳା ଉଦ୍ୟୋଗୀ ଅଛନ୍ତି, ସେମାନେ ଘର କାମ କରି ନିଜ ପାଇଁ ସମୟ ବାହାର କରୁଛନ୍ତି। ସୀମିତ ସମୟରେ ମହିଳା ଗୋଷ୍ଠୀଙ୍କୁ ନେଇ ବିଭିନ୍ନ କାମ କରି ନିଜକୁ ସଶକ୍ତ କରୁଛନ୍ତି। ସେଭଳି ମହିଳାଙ୍କୁ ଗତ ୨ବର୍ଷ ହେଲା ‘ସମ୍ବାଦ’ ତରଫରୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ପାଇଥିବା ମହିଳା ଅନ୍ୟମାନଙ୍କୁ ସେ ବିଷୟରେ ଅବଗତ କରି ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ଚଳିତ ବର୍ଷ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କହିଥିଲେ। ବାର୍ତ୍ତା ବିଭାଗ ମୁଖ୍ୟ ଶ୍ରୀ ଦାସ, ଓଡ଼ିଶା-୫୦ କାର୍ଯ୍ୟକ୍ରମର ତାପ୍ତର୍ଯ୍ୟ ଉପରେ ସୂଚନା ଦେଇଥିଲେ। ପୁରୁଷ ସହିତ ମହିଳାଙ୍କୁ ଆମେ ସମାନ ଚକ୍ଷୁରେ ଦେଖୁଛେ। ଅଥଚ କର୍ମକ୍ଷେତ୍ରରେ କାହିଁକି ମହିଳାଙ୍କ ସଂଖ୍ୟା କମ୍‌ ରହୁଛି। କାର୍ଯ୍ୟକ୍ଷେତ୍ରରେ ମାତ୍ର ୨୭ ପ୍ରତିଶତ ମହିଳାଙ୍କ ଯୋଗଦାନ ରହୁଛି। ଏହି ତାରତମ୍ୟକୁ ଦୂର କରିବା ପାଇଁ ଓଡ଼ିଶା-୫୦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସେ କହିଥିଲେ। ପ୍ରତ୍ୟେକ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଂଶୀଦାର ରହିବା ଦିଗରେ ସମସ୍ତେ ଗୁରୁତ୍ବ ଦେବାକୁ ସେ କହିଥିଲେ।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ ପ୍ରଧାନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ଜୟପୁର ସଂସ୍କରଣ ବରିଷ୍ଠ ସହସଂପାଦକ ନବୀନ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ରହ୍ମପୁର ସଂସ୍କରଣ ବାର୍ତ୍ତା ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ ଦ୍ବିତୀୟ ଅଧିବେଶନର ଆଲୋଚନାଚକ୍ର ପରିଚାଳନା କରିଥିଲେ। ପ୍ରକଳ୍ପ ଚୟନ, ପୁଞ୍ଜି ଯୋଗାଡ଼, ବଜାର ବ୍ୟବସ୍ଥା ଓ ପାରିବାରିକ ସହଯୋଗ ଭଳି ଶୀର୍ଷକକୁ ନେଇ ଆୟୋଜିତ ଆଲୋଚନାଚକ୍ରରେ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ପ୍ରିୟାଂଶୁ ପଟ୍ଟନାୟକ, ଓଏଲ୍ଏମ୍‌ର ଡିପିଏମ୍‌ ନବୀନ ସେନାପତି, ଓର୍‌ମାସ୍‌ର ଡେପୁଟି ସିଇଓ ସତ୍ୟସୁନ୍ଦର ପାଇଟାଲ୍‌ ଓ ମିସନ୍‌ ଶକ୍ତିର ଡିପିସି ଶାଶ୍ବତ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ବାର୍ତ୍ତା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।