କୁଚିଣ୍ଡା: ଘରୋଇ କଳହକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଓ୍ବାର୍ଡ ନମ୍ବର ୧୧ କିଷାନପଡ଼ାରେ। ଏହି ପଡ଼ାରେ ରହୁଥିବା ଗୋବିନ୍ଦ ମାଝୀ (୪୫) ନାମକ ଜଣେ ଯୁବକ ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୩ଟାରେ ସ୍ତ୍ରୀ ଦମୟନ୍ତୀ ମାଝୀ (୪୭)କୁ ଟାଙ୍ଗିଆରେ ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ ଅପରାହ୍‌ଣରେ ଗୋବିନ୍ଦ ମାଝୀ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ସ୍ତ୍ରୀ ଦମୟନ୍ତୀଙ୍କୁ ପଖାଳ ଖାଇବାକୁ ମାଗିଥିଲା।

Advertisment

publive-image

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଗରେ ଗୋବିନ୍ଦ ଘରେ ଥିବା ଏକ ଟାଙ୍ଗିଆରେ ଚୋଟ ପରେ ‌ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ଦମୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଖବରପାଇ କୁଚିଣ୍ଡା ଆଇଆଇସି ଶୋଭକର ସେଠ, ଏସଡିପିଓ ରାଜ କିଶୋର ମିଶ୍ର ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ କରାଯିବ। ଗୋବିନ୍ଦ ଓ ଦମୟନ୍ତୀଙ୍କ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ପୁଲିସ ଫେରାର ଗୋବିନ୍ଦକୁ ଠାବକରି ଅଧିକ ପଚରାଉଚରା କରୁଛି। ମା’ଙ୍କ ମୃତ୍ୟୁ ଓ ବାପା ଜେଲ ଯିବା ପରେ ସନ୍ତାନ ଦୁଇଟି ବେସାହାରା ହୋଇଯାଇଛନ୍ତି।