ମହିଳାଙ୍କୁ ପିଟିପିଟି ହତ୍ୟା, ଯୁବକ ଗିରଫ

କୋରେଇ/ବୈତରଣୀରୋଡ: କୋରେଇ ଥାନା ଅନ୍ତର୍ଗତ ତାରାକୋଟ ଗ୍ରାମର ବାଜୁକା ସାହିରେ ବାଉଁଶ କିଳାରେ ପିଟିପିଟି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ ମହିଳା ବାଜୁକା ସାହିର ଚନ୍ଦ୍ରମଣି ଜେନାଙ୍କ ପତ୍ନୀ ସଂଯୁକ୍ତା ଜେନା (୫୦)। ସେ ଆଜି ପୂର୍ବାହ୍ଣ ୧୧ ଟାରେ ତାଙ୍କ ନୂଆଘର ପାଖରୁ ପୁରୁଣା ଘର ନିକଟକୁ ଯାଉଥିଲେ। ଏହି ସମୟରେ ସାହିର ବିପିନ ଜେନା (୨୫) ଏକ ବାଉଁଶ କିଳାରେ ସଂଯୁକ୍ତାଙ୍କ ମୁଣ୍ତକୁ ଶକ୍ତ ପ୍ରହାର କରିଥିଲା। ସଂଯୁକ୍ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ଅଚେତ ହୋଇ ପଡ଼ିଯାଇଥିଲେ।

ପାଟି ଶୁଣି ପରିବାର ଓ ସାହିଲୋକ ସେଠାରେ ପହଞ୍ଚି ସଙ୍ଗେସଙ୍ଗେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ସଂଯୁକ୍ତାଙ୍କ ପୁଅ ତପନ କୋରେଇ ଥାନାରେ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ମା’ଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। କୋରେଇ ଥାନା କେସ୍‌ ନମ୍ବର ୩୦୫/୨୨ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀକୁ ପଠାଯାଇଛି। ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଏହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି। ତାରାକୋଟ ଗ୍ରାମରୁ ଅଭିଯୁକ୍ତ ବିପିନକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର