ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମହିଳାମାନେ କ୍ରୀଡା ଓ ଶିକ୍ଷା ସମେତ ଅନ୍ୟ ଅନେକ କ୍ଷେତ୍ରରେ ବେଶ୍‌ ଆଗରେ ଅଛନ୍ତି। କିନ୍ତୁ ଜିଲ୍ଲା ରାଜନୀତିରେ ମହିଳାମାନେ ବହୁ ପଛରେ ରହିଛନ୍ତି। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ହାତଗଣତି କେଇ ଜଣ ମହିଳା ଲୋକସଭା ଓ ବିଧାନସଭା ଲଢ଼ିବାରେ ସୁଯୋଗ ପାଇଛନ୍ତି। ସଂସଦ ଓ ବିଧାନସଭାରେ ଏ ଜିଲ୍ଲାରୁ ମାତ୍ର ୨ ଜଣ ମହିଳା ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ଜଣେ ହେଲେ କଂଗ୍ରେସର ସ୍ବର୍ଗତା ଫ୍ରିଡା ଟପ୍ନୋ ଓ ଅନ୍ୟ ଜଣକ ବର୍ତ୍ତମାନ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ। ରାଉରକେଲା ବିଧାନସଭା କ୍ଷେତ୍ରରୁ ତ ତତ୍କାଳୀନ ମହିଳା କମିସନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତିଙ୍କୁ ଛାଡିଦେଲେ ଅନ୍ୟ କୌଣସି ମହିଳାଙ୍କୁ ଟିକେଟ୍‌ ମିଳିନି।

Advertisment

କଂଗ୍ରେସରୁ ଲୋପାମୁଦ୍ରା ମହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥିଲେ। ହେଲେ ତାଙ୍କୁ ପରାଜୟର ମୁହଁ ଦେଖାଇବାକୁ ପଡିଥିଲା। ସହରର ରାଜନୀତିରେ ବିଜେଡିର ନାରୀନେତ୍ରୀ ମିନତୀ ଦେବତା, ପୂର୍ବତନ ନଗରପାଳ ରଶ୍ମିବାଳା ମିଶ୍ର, ବିଜେପିର ସୁ​କେଶୀ ଓରାମ ଓ କଂଗ୍ରେସର ପ୍ରଭାତୀ ମିଶ୍ରଙ୍କ ପରି ଏମିତି କେତେଜଣ ନାରୀନେତ୍ରୀ ଆଗଧାଡିରେ ଅଛନ୍ତି। କିନ୍ତୁ ରାଜନୀତିରେ ଏମାନଙ୍କୁ ସେତିକି ଗୁରୁତ୍ବ ଦିଆଯାଉନି। ଏକଦା ସୁନ୍ଦରଗଡ ଜିଲ୍ଲାର ଟାଣୁଆ ମହିଳା ନେତ୍ରୀ ଭାବେ ସର୍ବଦା ନିଜର ଉପସ୍ଥିତି ଜାହିର କରିଥିଲେ ସ୍ବର୍ଗତା ଫ୍ରିଡା ଟପ୍ନୋ।

୧୯୨୫ ସେପ୍ଟେମ୍ବର ୨୦ରେ ବଡଗାଁରେ ଜନ୍ମିତ ସ୍ବର୍ଗତା ଟପ୍ନୋ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଥରଟିଏ ଲେଖା ଯାଇଥିଲେ। କେବଳ ସେତିକି ନୁହେଁ, ରାଉରକେଲା ସହରର ରଘୁନାଥପାଲୀ ବିଧାନସଭା କ୍ଷେତ୍ରରୁ ଥରେ ବିଜୟୀ ‌ହୋଇ ବିଧାନସଭାକୁ ଯାଇଥିଲେ। ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ବିଧାୟିକା ଥିଲେ। ୧୯୮୫-୮୬ରେ ମତ୍ସ୍ୟ ପଶୁ ସମ୍ପଦ ତଥା ୧୯୮୬-୧୯୯୦ରେ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ଥିଲେ। ୧୯୯୧ରେ ଦଶମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୪-୯୬ରେ ରେଲୱେ ଷ୍ଟାଣ୍ଡିଂ କମିଟିର ସଭ୍ୟ ଥିଲେ। ୧୯୯୬ରେ ପୁନଶ୍ଚ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୮୯-୨୦୦୨ଯାଏ ରାଜ୍ୟସଭା ସଦସ୍ୟା‌ ହୋଇଥିଲେ। ଜିଲ୍ଲାରେ ବର୍ତ୍ତମାନ ତାଙ୍କ ତୁଳନୀୟ ନେତ୍ରୀ ଭାବେ କୁସୁମ ଟେଟେଙ୍କୁ ଗ୍ରହଣ କରା ଯାଇପାରେ। ସୁନ୍ଦରଗଡ ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ବ କରୁଥିବା କୁସୁମ ଟେଟେ ବିଜେପିର ଜଣେ ଆଗ ଧାଡିର ନେତ୍ରୀ। ସେ ସୁନ୍ଦରଗଡ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଦାୟିତ୍ବ ତୁଲାଇଛନ୍ତି।

୨୦୧୯ରେ ତାଙ୍କୁ ବିଧାନସଭା ଆସନ ପାଇଁ ବିଜେଡ଼ି ଟିକେଟ ମିଳି ନଥିଲା। ତେଣୁ ବିଜେଡି ଛାଡି ସେ ବିଜେପିରେ ସାମିଲ ହୋଇ ବିଜେଡିର ଯୋଗେଶ ସିଂହକୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରେ ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସର ସେରେଫୋନା ଟପ୍ନୋ ସେତେବେଳେ ଜେଏମ୍ଏମ୍‌ର ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ବିରୋଧରେ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିର ମାଗଦାଲି କାଙ୍ଗାଡି, ଜର୍ଜ ତିର୍କୀଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥିଲେ। କିନ୍ତୁ ତାଙ୍କୁ ହାର ମାନିବାକୁ ପଡିଥିଲା। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରୁ ଓ ବିଜେଡିରୁ ସୁନିତା ବିଶ୍ବାଳ ସୁନ୍ଦରଗଡ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ଉଭୟଙ୍କୁ ପରାଜୟର ସାମନା କରିବାକୁ ପଡିଥିଲା। ଗତ ନିର୍ବାଚନରେ ରାଉରକେଲା ବିଧାନସଭା ଆସନ ପାଇଁ ବିଜେଡିରୁ ନାରୀନେତ୍ରୀ ମିନତୀ ଦେବତା ଦୌଡରେ ଥିଲେ।

କିନ୍ତୁ ତାଙ୍କୁ ଟିକେଟ୍ ମିଳି ନଥିଲା। ଟିକେଟ୍ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ମିନତୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପରେ ସେ କିନ୍ତୁ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ। ଏମାନଙ୍କୁ ଛାଡ଼ିଦେଲେ ବଣାଇ, ତଲସରା ଓ ରାଜଗାଙ୍ଗପୁରରୁ ବିଧାନସଭା କ୍ଷେତ୍ରରୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ମହିଳାଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ସୁଯୋଗ ମଧ୍ୟ ମିଳିନାହିଁ। କେବଳ ରାଉରକେଲା ସହରରେ ହିଁ କୋଡ଼ିଏରୁ ଅଧିକ ମହିଳା ଅଟୋଚାଳିକା ଅଛନ୍ତି। ଏଥିରୁ ଅନୁମାନ କରା ଯାଇପାରେ, ଏ ଜିଲ୍ଲାରେ ମହିଳାମାନେ କିପରି ପୁରୁଷଙ୍କ ସହିତ ପ୍ରାୟ ପ୍ରତିଟି କ୍ଷେତ୍ରରେ କାନ୍ଧକୁ କାନ୍ଧ ମିଳାଇ ଚାଲିବାର ସାହସ କରିଛନ୍ତି। କିନ୍ତୁ ରାଜନୀତିରେ ସେମାନେ ସୁଯୋଗ ନପାଇବା ଉଭୟ ଆଶ୍ଚର୍ଯ୍ୟଜନକ ଓ ଦୁର୍ଭାଗ୍ୟଜନକ।