ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ; ମହିଳାଙ୍କୁ କୁରାଢିରେ ଛେଚି ହତ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁରାଢିରେ ଛେଚି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଅଭିଯୋଗ ଅନୁଯାୟୀ ଜାମଦା ଥାନା ମାନବୀର ଗ୍ରାମର ମେଚ ସିଂଙ୍କୁ ହତ୍ୟା କରାଯାଇଛି। ଜମିଜମା ବିବାଦକୁ ନେଇ ପଡୋଶୀ ଦେବେନ୍ଦ୍ର ନାଏକ କୁରାଢିରେ ମେଚ ସିଂଙ୍କୁ ଆକ୍ରମଣ କରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆକ୍ରମଣରେ ମେଚ ସିଂଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିବାରୁ ସେ ସେହିଠାରେ ହିଁ ଟଳି ପଡିଥିଲେ। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ଦେବେନ୍ଦ୍ର ନାଏକ ଜାମଦା ଥାନାରେ ଆତ୍ମସମର୍ପଣ କରିଥିଲା। ମେଚଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନରେ ଭର୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଘଟଣାସ୍ଥଳରେ ଜାମଦା ଥାନା ପୁଲିସ ଓ ବାରିପଦାର ସାଇନ୍ଟିଫିକ୍ଟ ଟିମ୍ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ପୁଲିସ ମୃତଦେହ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନକୁ ପଠାଇଥିଲେ। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଘଟଣା କେଉଁ କାରଣ ପାଇଁ ଘଟିଛି ପୁଲିସ ତାହା ତଦନ୍ତ କରୁଛି। ଏନେଇ ଜାମଦା ଥାନାରେ କେସ ନଂ ୨୨/୨୧ ରେ ଏକ ମାମଲା ରୁଜୁ ହୋଇଛି। ତେବେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡିନାହିଁ। ଥାନା ଅଧିକାରୀ ଦେବାଶିଷ ଶତପଥୀ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର