ମଦ ଦୋକାନ ସ୍ଥାନାନ୍ତର ଦାବିରେ ଧାରଣା

ଖୋର୍ଧା : ଜଟଣୀ-ପିପିଲି ମୁଖ୍ୟ ରାସ୍ତାର କୁଦିଆରୀ ବଜାର ନିକଟ ବସନ୍ତ ବାର୍‌ ନାମକ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଆଜି ଜଟଣୀର ନାରୀ ଶକ୍ତି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ସଂଗଠନର ସମ୍ପାଦିକା ନମିତା ପାଲଙ୍କ ନେତୃତ୍ଵରେ ଶତାଧିକ ମହିଳା ଏହି ଧାରଣାରେ ସାମିଲ ହୋଇଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କୁ ସାକ୍ଷାତ କରି ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଜଟଣୀର ନାରୀ ଶକ୍ତି ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ତାମାନେ ଅଭିଭାଷଣରେ ଉକ୍ତ ମଦ ଦୋକାନକୁ ସେଠାରୁ ହଟାଇବା ପାଇଁ ଦାବି କରିଥିଲେ। ମଦ ଦୋକାନ ନିକଟରେ ୪୦ ଶଯ୍ୟା ବିଶିଷ୍ଟ ଏକ ନର୍ସିଂ ହୋମ୍‌, ପୁରାତନ ପୋଖରୀ, ମନ୍ଦିର, ମସଜିଦ, କଲ୍ୟାଣ ମଣ୍ଡପ ଏବଂ ଶିକ୍ଷା କେନ୍ଦ୍ର ଆଦି ରହିଥିବା ବେଳେ ସଂଲଗ୍ନ ମୁଖ୍ୟ ରାସ୍ତା ଦେଇ ଦୈନିକ କୋମଳମତି ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ଜନତା ଯାତାୟତ କରୁଛନ୍ତି। ମଦଦୋକାନର ଉପସ୍ଥିତି ଯୋଗୁଁ ତାହାର କୁପ୍ରଭାବ ଉକ୍ତ ଅଞ୍ଚଳରେ ପଡ଼ୁଛି। ତେଣୁ ଏହାକୁ ତୁରନ୍ତ ସ୍ଥାନାନ୍ତର କରିବା ଏବଂ ସ୍ଥାନାନ୍ତର ନ ହେବା ଯାଏ ମଦ ଦୋକାନ ବନ୍ଦ ରଖିବା ସହ ଜଗନ୍ନାଥଙ୍କ ଜମିରେ ଏହି ଦୋକାନ କିପରି ଗଢି ଉଠୁଛି ଓ ଏହାର କିପରି ପ୍ରତିବର୍ଷ ନବୀକରଣ କରାଯାଉଛି ତାହାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣାକାରୀମାନେ ଦାବି କରିଥିଲେ। ନାରୀ ଶକ୍ତି ସଂଗଠନର ସମ୍ପାଦିକା ଶ୍ରୀମତୀ ପାଲଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କୁ ସାକ୍ଷାତ କରି ତାଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଆସିଲେ ତାଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଜିର ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିମା ବେହେରା, କନକ ପ୍ରଧାନ, ପୁଷ୍ପଲତା ଦାସ, ନିରୁପମା ପରିଡ଼ା, ଖୋର୍ଧା ଜିଲ୍ଲା ନିଶା ନିବାରଣ ଯୁଗ୍ମ ସମ୍ପାଦକ ଅର୍ଜୁନ ସାମନ୍ତରାୟ ଏବଂ ଆଇନଜୀବୀ ବସନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ପାଲ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର