ଅସୁସ୍ଥ ଶ୍ରଦ୍ଧାଳୁଙ୍କ ସେବାରେ ମହିଳା ପୁଲିସ

ପୁରୀ: ଆଜି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ କରିବାକୁ ଆସିଥିବା ଜଣେ ବୃଦ୍ଧା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପୁଲିସମାନେ ପୁଲିସ ଟେଣ୍ଟକୁ ଆଣି ପ୍ରାଣମିକତ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି।। ବହୁ ସମୟ ଧରି ଧାଡ଼ିରେ ଅପେକ୍ଷା କରିବା ଓ ମହାପ୍ରଭୁଙ୍କ ଦର୍ଶନ କରିବାରେ ଯେଉଁଭଳି ଠେଲ‌ାପେଲା ପରିସ୍ଥିତି ରହିଥିଲା, ସେଥିରେ ସେ ଛିଡ଼ା ହେବାର କ୍ଷମତା ହରାଇ ବସିଥିଲେ। ତେଣୁ ତାଙ୍କୁ ପୁଲିସମାନେ ସେଠାରୁ ଟେକିଆଣି ଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖସ୍ଥ ପୁଲିସ ଟେଣ୍ଟକୁ ନେଇ ଆସିଥିଲେ।

ଏଠାରେ ଥିବା ଜଣେ ମହିଳା କନେଷ୍ଟବଳ ଏହି ବୃଦ୍ଧା ଭକ୍ତଙ୍କ ଗୋଡ଼ ମୋଡ଼ିଦେଇ ସେବା ଯୋଗାଇ ଦେଇଥିଲେ। ବହୁ ସମୟ ଧରି ତାଙ୍କର ‌ଗୋଡ଼କୁ ଘଷାମୋଡ଼ା କରିବାରୁ ସେ ସାମାନ୍ୟ ସୁସ୍ଥ ଅନୁଭବ କରି ମହିଳା ପୁଲିସଙ୍କୁ ଆଶୀର୍ବାଦ ପ୍ରଦାନ କରି ଫେରିଥିବାର ଦେଖିବାକୁ ମିଳିଥିଲା। ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ମଧ୍ୟରେ ପୁଲିସ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଏହି ମହିଳା ପୁଲିସଙ୍କ ସେବା ପୁଲିସର ଭାବମୂର୍ତ୍ତିକୁ ବଦଳାଇ ଦେଇଥିଲା।

ସମ୍ବନ୍ଧିତ ଖବର