ମହିଳା ତିଆରି କରୁଛନ୍ତି ଜୈବିକ ଖତ: ୬ ଲକ୍ଷ ଟଙ୍କାର ଖତ ବିକ୍ରି କଲେଣି ଏସ୍‌ଏଚ୍‌ଜି ସଦସ୍ୟା

ବାସଗୃହରୁ ନିର୍ଗତ ଅଳିଆ ଆବର୍ଜନାରୁ ତିଆରି କରୁଛନ୍ତି

ରାଉରକେଲା: ଇସ୍ପାତ ସହରର ବିଭିନ୍ନ ବାସଗୃହରୁ ନିର୍ଗତ ଅଳିଆଆବର୍ଜନାର ସୁପରିଚାଳନା କରି ଜୈବିକ ଖତ ତିଆରି କରାଯାଉଛି। ଆଉ ଏହାର ନେତୃତ୍ବ ନେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟା। ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ର ଭିତ୍ତିଭୂମିକୁ ବ୍ୟବହାର କରି ତଥା ବୈଷୟିକ ସହାୟତା ଦ୍ବାରା ଜୈବିକ ଖତ ତିଆରିକରି ସ୍ବାବଲମ୍ବୀ ହୋଇପରିଛନ୍ତି ଏସ୍‌ଏଚ୍‌ଜି ସଦସ୍ୟା। ଇତିମଧ୍ୟରେ ପାଖାପାଖି ୩୦ ଟନ୍‌ର ଜୈବିକ ଖତ ବିକ୍ରି କରି ସାରିଲେଣି। ଆଗାମୀ ଦିନରେ ଉତ୍ପାଦନ ପରିମାଣରେ ବୃଦ୍ଧି ହେବା ଆକଳନ କରାଯାଉଛି।

ପ୍ରାୟ ୧୦ ମାସ ପୂର୍ବେ ଜୈବିକ ଖତ ତିଆରିବାକୁ ଆର୍‌ଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏହି କ୍ରମରେ ବାସଗୃହରୁ ନିର୍ଗତ ବର୍ଜ୍ୟଗୁଡ଼ିକୁ ପୃଥକ୍‌ ପୃଥକ୍‌ଭାବେ ସଂଗ୍ରହ କରାଯାଉଛି। ଶୁଖିଲା ଓ କଞ୍ଚା ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ବର୍ଜ୍ୟଗୁଡ଼ିକୁ ପ୍ରଥମେ ସହରର ବିଭିନ୍ନ ସ୍ଥାନରେ ଥିବା ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌କୁ ନିଆଯାଉଛି। ବିପିୟୁଟି ପରିସରରେ ଦୁଇଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌ ସ୍ଥାପନ କରାଯାଇଥିବାବେଳେ ମ୍ୟୁନିସିପାଲ କଲେଜ ପାଖରେ, ବୀର୍ସା ଷ୍ଟାଡିୟମ ପାଖ, ବାସନ୍ତୀ କଲୋନି ଆଇସ୍‌ ଫ୍ୟାକ୍ଟ୍ରି ପାଖ, ଫର୍ଟିଲାଇଜର, ତରକେରା ଓ ବାଲୁଘାଟ କାଞ୍ଜିଆ ହୁଦା ପାଖରେ ଗୋଟିଏ ଲେଖାଏଁ ସେଣ୍ଟର୍‌ ସ୍ଥାପିତ ହୋଇଛି। ପ୍ରତ୍ୟେକ ସେଣ୍ଟର୍‌ରେ ୯୦ ଲିଟର ବିଶିଷ୍ଟ ୧୪ଟି ଲେଖାଏଁକୁଣ୍ଡ ରହିଛି। ପ୍ରଥମେ ଦହି, ଗୁଡ଼ ଓ ପାଣିକୁ ମିଶାଇ ୭ ଦିନ ଧରି କୁଣ୍ଡରେ ରଖି ସଲ୍ୟୁସନ୍‌ ତିଆରି କରାଯାଉଛି। ଏହାପରେ ପୂର୍ବରୁ ସଂଗୃହିତ କଞ୍ଚା ବର୍ଜ୍ୟକୁ ସଲ୍ୟୁସନରେ ମିଶ୍ରଣ କରି ୪୨ ଦିନ ପର୍ଯ୍ୟନ୍ତ ରଖାଯାଉଛି। ଉକ୍ତ କୁଣ୍ଡରେ ପାଣି ନିର୍ଗତ ହେବାର ବ୍ୟବସ୍ଥା ଥିବାରୁ ଏହା ସ୍ବତଃସ୍ପୂର୍ତ୍ତଭାବେ ଶୁଖିଯାଉଛି। ପରବର୍ତ୍ତୀ ସମୟରେ ଉକ୍ତ ସଲ୍ୟୁସନ ମିଶ୍ରିତ ଶୁଖିଲା ବର୍ଜ୍ୟକୁ ଗୁଣ୍ଡ କରି ଜୈବିକ ଖତ ତିଆରି କରାଯାଉଛି।

ଏଭଳି ପ୍ରକ୍ରିୟାରେ ତିଆରି ହୋଇଥିବା ଜୈବିକ ଖତକୁ ବିଭିନ୍ନ ସରକାରୀ ସଂସ୍ଥା, ଯଥା- ବନ ବିଭାଗ, ଉଦ୍ୟାନ ବିଭାଗ, ରାଉରକେଲା ସ୍ବତନ୍ତ୍ର କାରାଗାର ତଥା ଡିଏମ୍‌ଏଫ୍‌ ପାଣ୍ଠି ଅନ୍ତର୍ଗତ ‘ୱାଡି’ ପ୍ରକଳ୍ପ ପାଇଁ ଖତକୁ ବିକ୍ରି କରାଯାଉଛି। ଇତିମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କାର ୩୦ ଟନ୍‌ ଜୈବିକ ଖତ ବିକ୍ରି କରାଯାଇସାରିଥିବାବେଳେ ଆଗାମୀ ଦିନରେ ଏହାକୁ ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ୍‌ର ପରିଚାଳନା ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ପ୍ଲାଣ୍ଟ୍‌ରେ ୬ ଜଣ ଲେଖାଏଁ ଏସ୍‌ଏଚ୍‌ଜି ସଦସ୍ୟା ଥିବାବେଳେ ୮ଟି ପ୍ଲାଣ୍ଟ୍‌ ପାଇଁ ମୋଟ୍‌ ୪୮ ଜଣ ସଦସ୍ୟା ନିଯୁକ୍ତ ଅଛନ୍ତି। ଏହି ୪୮ ଜଣଙ୍କୁ ଆର୍‌ଏମ୍‌ସି ପକ୍ଷରୁ ଦିନିକିଆ ମଜୁରୀ ଆକାରରେ ବେତନ ଦିଆଯାଉଛି। ଏହି ପ୍ରକଳ୍ପ ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ସ୍ବାବଲମ୍ବୀ କରିବାସହ ଜୈବିକ ଖତ ଦ୍ବାରା ଉନ୍ନତ ମାନର ପନିପରିବା ଚାଷ କରାଯାଉଛି; ଯାହାକି ଏବେ ଚାରିଆଡ଼ୁ ପ୍ରଶଂସିତ ହୋଇପାରିଛି।

ସମ୍ବନ୍ଧିତ ଖବର