ଚିଟଫଣ୍ଡରେ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଓ ଗିରଫ ଦାବିରେ ତାତିଲେ ମହିଳା, ଏସପିଙ୍କ ଅଫିସ ସାମ୍ନାରେ ଦେଲେ ଧାରଣା

ଭଦ୍ରକ: ଚିଟଫଣ୍ଡରେ ଜଣେ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗରେ ଭଦ୍ରକରେ ତାତିଲେ କ୍ଷତିଗ୍ରସ୍ତ ମହିଳା | ପାଖାପାଖି ୨୦୦ ଜଣ ମହିଳା ଆଜି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି | ମହିଳାମାନଙ୍କ ଅଭିଯୋଗ ମୁତାବକ ବିଟ କଏନ ନାମକ ଚିଟଫଣ୍ଡ ସଂସ୍ଥା ଭଦ୍ରକ, ଭଣ୍ଡାରିପୋଖରୀ, ବନ୍ତ ଅଞ୍ଚଳରୁ ଅଧିକ ଅର୍ଥ ମିଳିବାର ମିଥ୍ୟା ପ୍ରତିଶୃତି ଦେଇ ୫୦ ଲକ୍ଷରୁ ଉର୍ଧ୍ଵ ଟଙ୍କା ଆଦାୟ କରିଥିଲା | ଗ୍ରାମାଞ୍ଚଳର ମହିଳାମାନଙ୍କୁ ମିଛ କହି ପାଖାପାଖି ୨୦୦ ମହିଳାଙ୍କ ପାଖରୁ ଟଙ୍କା ଆଦାୟ କରାଯାଇଥିଲା |

୪ ବର୍ଷ ତଳେ ଟଙ୍କା ଆଦାୟ କରାଯାଇଥିଲେ ବି କ୍ଷତିଗ୍ରସ୍ତ ମହିଳାଙ୍କୁ ଟଙ୍କା ଦିଆଯାଇନଥିଲା | ତେବେ ଏ ନେଇ ଟାଉନ ଥାନାରେ ଏକ ଏତଲା ଦିଆଯାଇଥିଲା | ପୁଲିସ ଏହି ଅଭିଯୋଗ କ୍ରମେ ସିଲି ନାୟକ ଓ ପ୍ରତାପ ବେହେରା ନାମକ ଦୁଇଜଣଙ୍କୁ ଗିରଫ କରିଥିଲା |

ତେବେ ଅଭିଯୋଗ ହୋଇଛି ଯେ ସିଲି ନାୟକ ଭଦ୍ରକ ଥାନାରେ କାର୍ଯ୍ୟ କରୁଥିବା ଏଏସଆଇ ସନ୍ତୋଷ ନାୟକଙ୍କ ପତ୍ନୀ ହୋଇଥିବାବେଳେ ସେ ଏବେ ଫେରାର ଅଛନ୍ତି | ସେହିପରି ଏହି ଠକେଇର ମାଷ୍ଟରମାଇଣ୍ଡ ବ୍ରଜ ସୁନ୍ଦର ମିଶ୍ର ମଧ୍ୟ ଫେରାର ଥିବାରୁ ଏହି ଦୁଇଜଣଙ୍କୁ ଗିରଫ କରିବାକୁ ଏବେ ଦାବି ଉଠିଛି | ଏନେଇ ମହିଳାମାନେ ଏସପି ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି |

ସମ୍ବନ୍ଧିତ ଖବର