ମଦ ବନ୍ଦ ପାଇଁ ମହିଳା ଅଣ୍ଟା ଭିଡ଼ିଲେ : ଗାଁ ଗାଁରେ ଦସ୍ତଖତ ଅଭିଯାନ

ଆଜି ଜିଲ୍ଲାପାଳଙ୍କୁ ଭେଟିବେ, ପ୍ରଶାସନକୁ ୫ ଦିନ ମହଲତ

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଜକର ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ ଜୋର୍ ଧରିଛି। ଗାଁରୁ ମଦ ଦୋକାନ ହଟାଇବା ଦାବିରେ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନା‌ରେ ଟାୟାର୍ ଜାଳି ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୨ ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଏଥିରେ ସାମିଲ ହେବା ସହ ବ୍ଲକ କାର୍ଯ୍ୟାଳୟ ଯାଇ ଜିପିଓ ଓ କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲେ। ଆଉ ଆଜି ପୁଣି ଗାଁର ୧୦ଟି ସାହିର ୫ଶହରୁ ଅଧିକ ମହିଳା ଗୋପୀନାଥ ମନ୍ଦିରରେ ଏକାଠି ହୋଇ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଛନ୍ତି। ଆସନ୍ତାକାଲି ଜିଲ୍ଲାପାଳଙ୍କୁ ସମସ୍ତେ ଭେଟିବା ସହ ମଦ ଦୋକାନ ବନ୍ଦ ପାଇଁ ୫ ଦିନର ମହଲତ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନଚେତ୍ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।

ମଦ ବିରୋଧୀ ଆନ୍ଦୋଳନରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଓ ସମର୍ଥନ ଜୁଟାଇବା ଲକ୍ଷ୍ୟରେ ଆଜି ଗ୍ରାମର ମମତା ମହାନ୍ତିଙ୍କ ନେତୃତ୍ବରେ ଏକ ବୈଠକ ବସିଥିଲା। ବୈଠକରେ ନାରୀ ନେତ୍ରୀ କସ୍ତୁରୀ ନାହାକ, ଲକ୍ଷ୍ମୀ ମହାନ୍ତି, ଭାନୁମତି ମହାନ୍ତି, ସୁନ୍ଦରୀ ସମୁଦ୍ର, ବନିତା ମହାନ୍ତି, ଅମୂଲ୍ୟ ମହାରଣା, ମଞ୍ଜୁଳା ଗୌଡ଼, ପ୍ରତିମା ମିଶ୍ର, ସ୍ନେହଲତା ନାୟକ ପ୍ରମୁଖ ସାମିଲ ହୋଇଥିଲେ। ବୈଠକରେ ବହୁ ବୃଦ୍ଧା ବି ଯୋଗ ଦେଇଥିଲେ। ମଦ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର