ନୂଆପଡ଼ା : ମଦ ବିରୋଧରେ ତେଜିଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଓ୍ଵାର୍ଡ ନଂ ୭ କୁର୍ଲୁମୁଣ୍ଡାର ମହିଳାମାନେ। ଶନିବାର ସବୁଆଡ଼େ ଆଧ୍ୟାତ୍ମିକ ପରିବେଶରେ ଶ୍ରଦ୍ଧାଳୁମାନେ ତିନି ଠାକୁରଙ୍କ ରଥ ଟାଣୁଥିବା ବେଳେ ଏହି ମହିଳାମାନେ ବେଆଇନ ଭାବେ ଚାଲିଥିବା ଏକ ମଦ ଦୋକାନକୁ ଠେଲାଗାଡ଼ିରେ ବୋଝେଇ କରିବା ସହ ଟାଣି ଟାଣି ଜୋଙ୍କ ଥାନାକୁ ନେଇଥିଲେ। ସେଠାରେ ଜବତ କରିଥିବା ମଦ ଓ ଉକ୍ତ ଦୋକାନକୁ ପୁଲିସ ଜିମାରେ ଦେଇଥିଲେ। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁର୍ଲୁମୁଣ୍ଡାର ମହିଳମାନେ ଅଭିଯୋଗ କରିଛନ୍ତି ଯେ, ବେଆଇନ ମଦ କାରବାର ଯୋଗୁଁ ମଦୁଆମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମହିଳାମାନଙ୍କୁ କମେଣ୍ଟ ମାରୁଛନ୍ତି। ମଦ ପିଇ ଲୋକେ ସର୍ବସ୍ୱାନ୍ତ ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଛି। ବେଆଇନ ମଦ ବିକ୍ରି କରୁଥିବା ବିକ୍ରେତାଙ୍କୁ ସେମାନେ ପୂର୍ବରୁ ଚେତାବନୀ ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତଥାପି ମଦ ବିକ୍ରି ବନ୍ଦ ହୋଇ ନଥିଲା। ଶେଷରେ ଶନିବାର ଉକ୍ତ ପଡ଼ାର ମହିଳାମାନେ ମଦ ପାଉଚ୍ଗୁଡ଼ିକୁ ଜବତ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ନଶୁଣିବାରୁ ବାଧ୍ୟ ହୋଇ ସେମାନେ ମଦ ବିକ୍ରି କରାଯାଉଥିବା ଟିଣ ତିଆରି ଉକ୍ତ ଦୋକାନକୁ ଠେଲା ଗାଡ଼ିରେ ଲଦି ଜୋଙ୍କ ଥାନାକୁ ନେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିଲା।