ମଦ ଦୋକାନ ନିର୍ମାଣକୁ ମହିଳାଙ୍କ ବିରୋଧ

ତିହଡ଼ିି/ପୀରହାଟ : ଭଦ୍ରକ ଜିଲ୍ଲା ତିହିଡ଼ିି ଥାନା ଅନ୍ତର୍ଗତ ପୀରହାଟ ଦୌଲତପୁର ପଞ୍ଚାୟତର ଶାନ୍ତିଶୈଳେନ୍ଦ୍ର ହାଇସ୍କୁଲ ଠାରୁ ଅନତି ଦୂରରେ ନିର୍ମାଣ ହେବାକୁ ଯାଉଥିବା ମଦ ଦୋକାନ ଗୃହକୁ ଶତାଧିକ ମହିଳା ବିରୋଧ କରିଛନ୍ତି। ସରକାର ମଦ ଦୋକାନ ପାଇଁ ବିଭିନ୍ନ ଉପାୟରେ ପ୍ରଶ୍ରୟ ଦେଉଥିବା ବେଳେ ମହିଳା ମାନେ ଏଥିରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି। ବଣଜଙ୍ଗଲରେ ମଦ ଦୋକାନ ହେଲେ ମଧ୍ୟ ତାକୁ ଆମେ ବିରୋଧ କରିବୁ ବୋଲି ମହିଳାମାନେ ନିଜର ମତ ସ୍ପଷ୍ଟ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୀରହାଟ ଶାନ୍ତିଶୈଳେନ୍ଦ୍ର ହାଇସ୍କୁଲ ଅନତି ଦୂରରେ ନିର୍ମାଣ ହେଉଥିବା ମଦ ଦୋକାନ ଗୃହକୁ ବନ୍ଦ କରିବା ପାଇଁ ଦୌଲତପୁର ଧବଳେଶ୍ୱର ମହିଳା ମହାସଂଘର ଶତାଧିକ ମହିଳା ମଦ ବିରୋଧୀ ନାରାଦେଇ ବଜାର ପରିକ୍ରମା କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ। ଗୃହ ନିର୍ମାଣ କରୁଥିବା ମାଲିକଙ୍କୁ ଉକ୍ତ ଗୃହରେ ଯେପରି ମଦ ବେପାର ନହୁଏ ସେଥିପ୍ରତି ସଚେତନ ରହିବାକୁ ଚେତାବନୀ ଦେଇଥିଲେ। ଏହି ମଦ ବିରୋଧୀ ପ୍ରତିବାଦରେ ସଭାନେତ୍ରୀ ରଶ୍ମିରେଖା ବଳ, ମୀନାକ୍ଷି ନାୟକ, କୌଶଲ୍ୟା ବେହେରା, ମଞ୍ଜୁଲତା ବେହେରା, ରାକ୍ଷୀ ଦାସ, ଝୁମୁରୀ ଦାସ, ଶାନ୍ତିଲତା ବଳ, ପ୍ରଭାତୀ ବିଶ୍ୱାଳ, ଶାନ୍ତିଲତା ମହାନ୍ତି, ଲକ୍ଷ୍ମୀପ୍ରିୟା ଦାସ, ଲକ୍ଷ୍ମୀ ନାୟକ, ବାସନ୍ତୀ ଦାସ, ମାଳତୀ ନାୟକ ପ୍ରମୁଖ ଶତାଧିକ ମହିଳା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର