ଚାଉଳ ନ ପାଇ ଏମ୍‌ଆଇଙ୍କୁ ତାଲା ପକାଇଲେ ମହିଳା

ନାଚୁଣୀ : ଚିଲିକା ବ୍ଲକର ନଈରୀ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଓ ହିତାଧିକାରୀ ଗତ ୨ ମାସ ହେଲା ଚାଉଳ ପାଇନଥିବା ଅଭିଯୋଗ ହୋଇଛି।ଏହାକୁ ନେଇ ଆଜି ହତାଧିକାରୀମାନେ ବ୍ଲକ୍‌ ଏମଆଇ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଫିସ ଭିତରେ ତାଲା ପକାଇ ଘେରାଉ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨ ମାସ ହେବ ଚାଉଳ ପାଇ ନ ଥିବା ୪୦ରୁ ଊର୍ଦ୍ଧ୍ବ ମହିଳା ପୁରୁଷ ହିତାଧିକାରୀ ନଈରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଥିଲେ। ପରେ ହିତାଧିକାରୀମାନେ ନିକଟସ୍ଥ ଚିଲିକା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କୁ ତୁରନ୍ତ ଚାଉଳ ଦେବାକୁ ଦାବି ଦୋହରାଇବା ସହିତ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣା ସଂପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଚିଲିକା ବିଡିଓ ସୁଷମା ବାରିକ ବ୍ଲକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଈରୀର ଏହି ହିତାଧିକାକାରୀମାନେ ବ୍ଲକରେ ଆଲୋଚନା କରୁଥିବା ବେଳେ ହଠାତ୍ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ହିତାଧିକାରୀ ମାନେ ଏକଜୁଟ ହୋଇ ଏମଆଇ ତ୍ରିଲୋଚନ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ତ୍ରିପାଠୀଙ୍କୁ ଅଫିସରେ ତାଲା ପକାଇ ଦେଇଥିଲେ। ପରିସ୍ଥିତି ଅଣାୟତ ହେବାରୁ ନଈରୀ ଗ୍ରାମର ରବୀନ୍ଦ୍ର ବେହେରା, ଅଜୟ ଖୁଣ୍ଟିଆ, ତ୍ରିନାଥ ପଲାଇ ନାମକ ୩ ଜଣ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାଶୁଝା କରିଥିଲେ। ଶେଷରେ ଉଭୟ ଅଧିକାରୀଙ୍କୁ ତାଲା ଖୋଲା ହେବାପରେ ବୁଝାମଣା ହୋଇଥିଲା। ହିତାଧିକାରମାନଙ୍କୁ ଆଗାମୀ ୨୯ ତାରିଖରେ ସମସ୍ତ ବକେୟା ଚାଉଳ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

ସମ୍ବନ୍ଧିତ ଖବର