ମହିଳାଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତକୁୁ ଗିରଫ ଦାବିରେ ଥାନା ଘେରାଉ

ପିପିଲି : ଓରକଳ ପଂଚାୟତ ଅନ୍ତର୍ଗତ ଗାଁପଡ଼ା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଗତ ୨ ତାରିଖରେ ପିପିଲି ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରୁଥିବାବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଆଜି ଶତାଧିକ ମହିଳା ପିପିଲି ଥାନା ଘେରାଉ କରିଥିଲେ । ଏହାପରେ ଅପରାହ୍ନ ପ୍ରାୟ ୫ଟାରେ ଆନ୍ଦୋଳନରତ ମହିଳାମାନେ ଥାନା ସମ୍ମୁଖ ରାସ୍ତାକୁ ପ୍ରାୟ ଅଧ ଘଣ୍ଟା ଅବରୋଧ  କରି ବସିରହିଥିଲେ ।

ଗାଁପଡ଼ାର ବିବାହତା ମହିଳା ମିଲି ମଲ୍ଲିକଙ୍କ ଅଭିଯୋଗ ମୁତାବକ ସେ ସ୍ୱାମୀଙ୍କ ସହ ଘର କାମ କରୁଥିବାବେଳେ ସ୍ଥାନୀୟ ଅଂଚଳର  ଦୁଇ ତିନି ଜଣ ଯୁବକ ତାଙ୍କ ଘରକୁ ଆସି ଧମକ ଦେବା ସହ ତାଙ୍କୁ ଅସଦାଚରଣ କରିଥିଲେ। ଏକ କଟୁରିରେ ତାଙ୍କୁ ହାଣିବାକୁ ଉଦ୍ୟତ ହେବାବେଳେ କଟୁରି ଚୋଟ ମିଲିଙ୍କର ମୁଁହରେ ବାଜିଥିଲା । ଫଳରେ ସେ ସେଠାରେ ସଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଥଲେ। ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ଘଟଣା ଘଟିବାର ୩ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁୁ ପୁଲିସ ଗିରଫ କରୁ ନଥିବାରୁ ଆଜି ସ୍ଥାନୀୟ ଶତାଧିକ ମହିଳା ପିପିଲି ଥାନା ଘେରାଉ କରିଥିଲେ। ପିପିଲି ଏସ୍‌ଡିିପିଓ ଦିଲ୍ଲୀପ କୁମାର ତ୍ରୀପାଠୀ ଏ ସମ୍ପର୍କରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଅନ୍ଦୋଳନ ହଟିଥିଲା।

ସମ୍ବନ୍ଧିତ ଖବର