ଅଭିଯୁକ୍ତକୁ ଗିରଫ କରୁନି ପୁଲିସ: ପ୍ରତିବାଦରେ ମଙ୍ଗଳପୁର ଥାନାରେ ଧସେଇ ପଶିଲେ ମହିଳା

ଦଶରଥପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ପାଲଟପୁର ଓ ବିନ୍ଧାନନ୍ଦିପୁର ଗ୍ରାମରେ ଗତ ୮ ତାରିଖରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରୁନଥିବା ପ୍ରତିବାଦରେ ସୋମବାର ଦିନ ମହିଳାମାନେ ଥାନାରେ ଧସେଇ ପଶିଥିଲେ। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ମହିଳାମାନେ ଦୀର୍ଘ ସମୟ ଧରି ଥାନା ଆଗରେ ଧାରଣା ଦେବା ପରେ ଥାନାରେ ଧସେଇ ପଶିଥିଲେ। ଏସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଉଚ୍ଚ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଅଭିଯୁକ୍ତର ଗିରଫ ଦାବିରେ ମହିଳାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ଆଗରେ ବସିରହିଥିଲେ।

ଅଭିଯୋଗ ଅନୁଯାୟୀ, ପାଲଟପୁର ଗ୍ରାମର ହେମନ୍ତ ମଲ୍ଲିକ ଗତ ଆଠ ତାରିଖରେ ଏହି ଗ୍ରାମର ୭ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଗ୍ରାମରେ ଆତଙ୍କ ଖେଳାଇ ୱାର୍ଡସଭ୍ୟ ବିଶ୍ୱନାଥ ବେହେରାଙ୍କ ସହ ତାଙ୍କ ପତ୍ନୀ ବସନ୍ତଲତା ବେହେରା ଓ ବୋହୂ ଛବିରାଣୀ ବେହେରାଙ୍କୁ ଦିନ ଦିପହରେ ଆକ୍ରମଣ କରିଥିଲା। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଗ୍ରାମବାସୀ ଗୋଲେଖ ସାହୁ, ଅନୁ ବେହେରା, ଅପୂର୍ବ ବେହେରା, ଅଲେଖ ଚନ୍ଦ୍ର ବେହେରା, ଗୋଲେଖ ଦାସଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲା। ଏନେଇ ୱାର୍ଡସଭ୍ୟ ବିଶ୍ୱନାଥ ବେହେରା ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ପୀଡ଼ିତ ପରିବାର ସହ ଶତାଧିକ ଗ୍ରାମବାସୀ ଥାନା ଆଗରେ ଅନଶନରେ ବସିଥିଲେ। ଯାଜପୁର ଏସ୍‌ଡିପିଓ ଏନ. ସି ବାରିକ ଗତ ୯ ତାରିଖରେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ୨ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୨୦ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଶାସକଦଳ ସମର୍ଥକ ହୋଇଥିବାରୁ ଅଭିଯୁକ୍ତକୁ ପୁଲିସ ଗିରଫ କରୁନାହିଁ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋମବାର ସକାଳ ୧୦ ଟାରୁ ଶତାଧିକ ମହିଳା ଓ ପୁରୁଷ ମଙ୍ଗଳପୁର ଥାନା ପରିସରରେ ଧାରଣାରେ ବସିଥିଲେ। ଅପରାହ୍‌ଣ ୩ ଟା ‌ବେଳେ ଶତାଧିକ ମହିଳା ଥାନା ଭିତରକୁ ଧସେଇ ପଶିଥିଲେ। ପୁଲିସ କର୍ମଚାରୀମାନେ ଅନ୍ୟ ଉପାୟ ନପାଇ ଥାନାର କବାଟ ବନ୍ଦ କରିଦେଇଥିଲେ। ହେଲେ ମହିଳାମାନେ ଥାନାର ପୋର୍ଟିକୋ ତଳେ ବସିରହିବା ସହ ଥାନାକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଥିଲେ।

ମଙ୍ଗଳପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନଙ୍କୁ ଧାରଣାରୁ ଉଠାଇ ପାରିନଥିଲେ। ସନ୍ଧ୍ୟାବେଳେ ଏସ୍‌ଡିପିଓ ଏନ. ସି ବାରିକ ମହିଳାଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ମହିଳାମାନେ ଥାନାରୁ ଉଠିବେ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧିତ ଖବର