ମଦ ବନ୍ଦ ଦାବିରେ ତାତିଲେ ମହିଳା, ରାସ୍ତାରେ ଢ଼ାଳିଦେଲେ ମଦ

ରାଇରଙ୍ଗପୁର/ଗୋରୁମହିଷାଣୀ: ଗୋରୁମହିଷାଣୀ ଥାନା ହାତିଆ ପଞ୍ଚାୟତ ଜାମପାଣି ଗ୍ରାମରେ ବହୁଦିନରୁ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟିକୁ ଗ୍ରାମର ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମର ମହିଳାମାନେ ୨୦୧୬ ମସିହାରେ ବନ୍ଦ କରିଥିଲେ। ଯାହା ୫ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏବେ କିଛି ମାସ ଧରି ଗ୍ରାମର ୨ ଜଣ ବ୍ୟକ୍ତି ବେଆଇନ ଦେଶୀ ମହୁଲି ମଦ କାରବାର ଚଳାଇଛନ୍ତି। ଏ ବିଷୟରେ ଗ୍ରାମବାସୀ ବାରମ୍ବାର ବିରୋଧ କରୁଥିଲେ ସୁଦ୍ଧା ଭାଟି ମାଲିକ ଖାତିର କରୁନାହାନ୍ତି।

ଏ ନେଇ ଗ୍ରାମର ସଂୟସହାୟକ ଗୋଷ୍ଠୀର ମହିଳାଙ୍କ ପକ୍ଷରୁ ଏକ ବୈଠକ ବସିଥିଲା। ଆଜି ସକାଳୁ ଗ୍ରାମର ମହିଳା ଓ ସ୍ବୟଂ ସହାୟକ ଗୋଷ୍ଠୀ ମିଳିତ ଭାବେ ମଦଭାଟିରେ ଥିବା ଦେଶୀ ମହୁଲି ମଦ, ଡାବୁ, ଗରା, ବୋତଲ ପ୍ରଭୃତି ସାମଗ୍ରୀ ଜବତ କରିବା ସହ ରାସ୍ତାରେ ମଦ ଢାଳି ଦେଇଥିଲେ। ଫଳରେ ସେଠାରେ ମଦର କୃତ୍ରିମ ବନ୍ୟା ଦେଖିବାକୁ ମିଳିଥିଲା। ମହିଳାଙ୍କ ସମେତ ଗ୍ରାମବାସୀ ମଧ୍ୟ ମଦ ବିକ୍ରିକୁ ବିରୋଧ କରିଥିଲେ। ମଦ ବିରୋଧୀ ଆନ୍ଦୋଳନରେ ଏଥିରେ ସ୍ବୟଂସହାୟକ ଗୋଷ୍ଠୀର ମଞ୍ଜୁଶ୍ରୀ ମୁଣ୍ତା, ଲକ୍ଷ୍ମୀମଣି ସର୍ଦ୍ଧାର, ସୁଜାତା ମୁଣ୍ତା, ସାବିତ୍ରୀ ସର୍ଦ୍ଧାର, ମମିତା ସର୍ଦ୍ଧାର, ଶାନ୍ତି ସର୍ଦ୍ଧାର, କୁଆଁରମଣି ମୁଣ୍ତା, ବାଲିମଣି ସିଂ, ଅନିତା ସର୍ଦ୍ଧାର, କୌଶଲ୍ୟା ମୁଣ୍ତା, ଧୁରମୀ ମୁଣ୍ତା, ପ୍ରିୟା ସର୍ଦ୍ଧାରଙ୍କ ସମେତ ଗ୍ରାମର ବହୁ ମହିଳା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର