ମହିଳା ଟାଣନ୍ତି ସୁଭଦ୍ରାଙ୍କ ରଥ: ୨ ଦିନ ଟଣାଯାଏ ରଥ

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ରଥଯାତ୍ରାର ପ୍ରସିଦ୍ଧି ଅନନ୍ୟ। ତେବେ ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରାଠାରୁ ଏଠାକାର ରଥଯାତ୍ରା ପରମ୍ପରାରେ କେତେକ ଭିନ୍ନତା ରହିଛି। ଶ୍ରୀକ୍ଷେତ୍ର ରଥଯାତ୍ରାର ଦିନକ ପରେ ବାରିପଦାରେ ରଥ ଟଣାହୁଏ। ଏଠାରେ ୨ ଦିନ ରଥ ଟଣା ଯାଉଥିବା ବେଳେ ଦେବୀ ସୁଭଦ୍ର‌ାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ବାରିପଦା ରଥଯାତ୍ରାର ଇତିହାସ ମଧ୍ୟ ବହୁ ପୁରୁଣା। ୧୫୬୫ ଖ୍ରୀଷ୍ଟାବ୍ଦରେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ନିଜ ଜେଜେମା’ ତଥା ପ୍ରତାପରୁଦ୍ର ଦେବଙ୍କ ରାଜ‌ଜେମା ମନତାଙ୍କଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ଜ୍ଞାତ ହୋଇ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପାଟ ପଟୁଆର ସହ ପୁରୀ ବାହାରିଥିଲେ। ଅଠରନଳା ପାଖରେ ହୋଇଥିବା ବେଳେ ତାଙ୍କ ଆଗମନ ଖବରପାଇ ପୁରୀ ଗଜପତିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ମହାରାଜାଙ୍କୁ ସୈନ୍ୟସାମନ୍ତ ସହ ପୁରୀ ଭିତରେ ପ୍ରବେଶ ଅନୁମତି ଦିଆଯାଇନଥିଲା। ଯଦି ରାଜା ଚାହିଁବେ ତେବେ ଜଣକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଥିଲା। ମାତ୍ର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଏ କଥ‌ାରେ ରାଜି ହୋଇନଥିଲେ। ପ୍ରଜାମାନେ ଜଗନ୍ନାଥଙ୍କୁ ଦର୍ଶନ କରିବେନି, ମୁଁ ଏକା ଦର୍ଶନ କରିବି? ଜଣେ ରାଜା ପକ୍ଷେ ଏହା ଶୋଭାପାଏନି ବୋଲି କହି ରାଜା ବୈଦ୍ୟନାଥ ସେହି ଅଠରନଳା ପାଖରେ ହିଁ ଡେରା ପକାଇଥିଲେ।

ଶେଷରେ ମହାପ୍ରଭୁ ତାଙ୍କୁ ସ୍ୱପ୍ନାଦେଶ ଦେଇ କହିଥିଲେ; ତୁମେ ଫେରିଯାଅ ବୈଦ୍ୟନାଥ, ବାରିପଦାରେ ମୋ ମନ୍ଦିର ନିର୍ମାଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା କର। ମୁଁ ଶ୍ରୀକ୍ଷେତ୍ର ପୁରୀ ଭଳି ବାରିପଦାରେ ବି ଭକ୍ତମାନଙ୍କୁ ଦର୍ଶନ ଦେବି। ଏହାପରେ ମହାରାଜା ବୈଦ୍ୟନାଥ ବାରିପଦାରେ ଭବ୍ୟ ମନ୍ଦିର ନିର୍ମାଣ ଯୋଜନା ପ୍ରସ୍ତୁତ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରେ ୧୫୬୮ ମସିହାରେ ବାରିପଦାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୭ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ୧୫୭୫ ମସିହାରେ ଶେଷ ହୋଇଥିଲା। ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ବାରିପଦାରେ ବି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୈନିକ ପୂଜାର୍ଚ୍ଚନା ଆରମ୍ଭ ହେଲା। ଠାକୁରଙ୍କ ନୀତିକାନ୍ତି ପାଇଁ ମହାରାଜା ପୂଜାପଣ୍ଡା, ପଢ଼ିହାରୀ ପ୍ରଭୃତି ସେବକ ନିଯୁକ୍ତ କରି ସେମାନଙ୍କୁ ଜାଗିରି ଜମି ପ୍ରଦାନ କରିଥିଲେ। ଠାକୁରଙ୍କ ପାଇଁ ସମସ୍ତ ସ୍ବର୍ଣ୍ଣ ଆଭୂଷଣ ଗଢ଼ାଇଥିଲେ। ୧୫୭୫ ମସିହା ବେଳକୁ ଓଡ଼ିଶାରେ ମୋଗଲମାନଙ୍କ ଶାସନ ଥିବାରୁ ସେତେବେଳେ ରଥଯାତ୍ରା କରିବାକୁ ହିନ୍ଦୁ ରାଜାମାନେ ସାହସ କରୁ ନଥିଲେ। ତେବେ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଶ୍ରୀଜଗନ୍ନାଥଙ୍କ କୃପାରୁ ଦୁଃସାହସିକ ପଦକ୍ଷେପ ନେଇ ସଫଳତାର ସହ ରଥଯାତ୍ରା ସମ୍ପାଦନ କରିଥିଲେ। ସେତେବେଳେ ସୁରକ୍ଷା ଦୃଷ୍ଟିରୁ ରାଜା ଓ ତାଙ୍କର ସାମନ୍ତ ରାଜାମାନେ ନିଜ ନିଜର ସୈନ୍ୟବାହିନୀ ଧରି ରଥର ଆଗ ଓ ପଛରେ ଚାଲୁଥିଲେ। ରାଜା ବୈଦ୍ୟନାଥ ଭଞ୍ଜଦେଓ ନିଜେ ଆଗରେ ସୁସଜ୍ଜିତ ହାତୀ ଉପରେ ବସି ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରୁଥିଲେ। ୧୫୭୫ ପରଠୁ ଏଠାରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।

ବାରିପଦା ରଥଯାତ୍ରାରେ ଅନେକ ନିଆରା ପରମ୍ପରା ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଠାକୁର ଧାଡ଼ି ପହଣ୍ଡିରେ ରଥାରୁଢ଼ ହେଉଥିବା ବେଳେ ବାରିପଦାରେ ଗୋଟି ପହଣ୍ଡିରେ ରଥାରୁଢ଼ ହୁଅନ୍ତି। ପୁରୀ ଶ୍ରୀକ୍ଷେତ୍ରକୁ ସମ୍ମାନ ଜଣାଇ ଏଠାକାର ତିନିରଥର ଉଚ୍ଚତା ପୁରୀଠାରୁ କମ୍‌ ରଖାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଦିନ ଏଠାରେ କେବଳ ପହଣ୍ଡି ହୋଇ ଶ୍ରୀ ବିଗ୍ରହ ରଥାରୁଢ଼ ହୋଇଥାନ୍ତି। ପ‌ରଦିନଠାରୁ ୨ ଦିନ ଧରି ଏଠାରେ ରଥ ଟଣାହୁଏ। ବାହୁଡ଼ାରେ ମଧ୍ୟ ୨ ଦିନ ଧରି ରଥ ଟଣାଯିବାର ପରମ୍ପରା ରହିଛି। ରଥଟଣା ପରେ ଭକ୍ତମାନଙ୍କ ପାଇଁ ରଥ ଉପରୁ ଗୁଡ଼ରେ ନିର୍ମିତ ସ୍ୱତନ୍ତ୍ର ଗୁଡ଼ ଲଡ଼ୁ ବଣ୍ଟନ ପରମ୍ପରା ମଧ୍ୟ ନିଆରା। ୧୯୭୬ ମସିହାଠାରୁ ବାରିପଦାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣିବା ପରମ୍ପରା ଆରମ୍ଭ ହୋଇଛି। ଏଠାରେ ମହାପ୍ରଭୁଙ୍କ ମନ୍ଦିରକୁ ଶ୍ରୀଶ୍ରୀ ହରିବଳଦେବ ଜିଉ ମହାପ୍ରଭୁଙ୍କ ମନ୍ଦିର ଭାବେ ନାମିତ କରାଯାଇଛି।

ସମ୍ବନ୍ଧିତ ଖବର