କେନ୍ଦୁଝର: ପାଣି ପାଇଁ ରାସ୍ତାରୋକ, ଜଙ୍ଘିରା-ନୁଦୁରୁପଡ଼ା ରାସ୍ତାରେ ଦୀର୍ଘ ୭ ଘଣ୍ଟା ଧରି ଯାତାୟାତ ଠପ୍

ହରିଚନ୍ଦନପୁର : ପିଇବା ପାଣି ପାଇଁ ଗାଁ’ର ମହିଳାମାନ‌େ ଏକଜୁଟ୍ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗରାମାଠିଆ ଧରି ତେନ୍ତଳାପଶି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ କରିବା ଯୋଗୁଁ ଜଙ୍ଘିରା-ନୁଦୁରୁପଡ଼ା ରାସ୍ତାରେ ଦୀର୍ଘ ୭ ଘଣ୍ଟା ଯାତାୟାତ ଠପ୍ ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ୭ ଟାରୁ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତେନ୍ତଳାପଶି ଗ୍ରାମର ମହିଳାମାନେ ଗରାମଠିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଥିଲେ ମଧ୍ୟ ତାହା ନିୟମିତ ଦିଆଯାଉନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନଳକୂପ ରହିଛି। ସେହି ନଳକୂପରୁ ସାହିବାସୀ ପାନୀୟଜଳ ନେଉଥିଲେ। କିଛି ମାସ ପୂର୍ବରୁ ଉକ୍ତ ନଳକୂପର ପଞ୍ଚାୟତ ପକ୍ଷରୁ  ହ୍ୟାଣ୍ଡେଲ ଖୋଲି ସେଥିରେ ମୋଟର ବସାଇ ପଞ୍ଚାୟତ କାର୍ଯ୍ୟାଳୟକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେଠାରେ ଏକ ପାଣି ଟାଙ୍କି ମଧ୍ୟ କରାଯାଇଛି। ସେଥିରୁ ସାହିବାସୀ ପାନୀୟଜଳ ସଂଗ୍ରହ କରୁଥିଲେ।୫ ଦିନ ହେଲା ନଳକୂପରେ ଲଗାଯାଇଥିବା ମୋଟରଟି ପୋଡ଼ି ଯାଇଛି। ପାନୀୟଜଳ ହଇରାଣ ହରକତ ହେଉଛନ୍ତି।

ଏଥିସହିତ ଗ୍ରାମରେ ଅନ୍ୟ ୩ ଟି ନଳକୂପ ଥଲେ ମଧ୍ୟ ଦୁଇଟି ଅଚଳ ହୋଇଯାଇଛି। ଯେଉଁ ନଳକୂପଟି ଭଲ ଅଛି ସେଥିରୁ ଗୋଳିଆ ପାଣି ବାହାରୁଛି। ତୁରନ୍ତ ପାନୀୟଜଳ ଯୋଗାଣ ଦାବିରେ ମହିଳାମାନେ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଜଙ୍ଘିରା-କେନ୍ଦୁଝର ଭାୟା ନୁଦୁରପଡ଼ା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ପଣ୍ଡାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ରାସ୍ତାରୋକରୁ ହଟି ନଥିଲେ। ଅପରାହ୍ଣରେ ହରିଚନ୍ଦନପୁର ତହସିଲଦାର ପ୍ରଶାନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ନଳକୂପରେ ଲାଗିଥିବା ମୋଟରକୁ ଓହ୍ଲାଇ ସେଥିରେ ପୂର୍ବପରି ହ୍ୟାଣ୍ଡେଲ ଲଗାଇବାର ବ୍ୟବସ୍ଥା କରିଥିଲେ। ପାନୀୟଜଳର ସୁବିଧା ହେବାପରେ ମହିଳାମାନେ ରାସ୍ତାରୋକରୁ ହଟିଥିଲେ।

ସମ୍ବନ୍ଧିତ ଖବର