ଭୁବନେଶ୍ବର : ମଧ୍ୟାହ୍ନଭୋଜନ ଦାୟିତ୍ୱରୁ ମୁକ୍ତ ହେବେ ଶିକ୍ଷକ ଶିକ୍ଷୟିତ୍ରୀ। ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ((ଏସ୍‌ଏଚ୍‌ଜି) ମଧ୍ୟାହ୍ନଭୋଜନ ପରିଚାଳନା ଭାର ନେବେ। ମିସନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯିବା ସହ ନିୟମାବଳୀ ଜାରି କରାଯାଇଛି। ପ୍ରାରମ୍ଭିକ ଭାବେ ରାଜ୍ୟର ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ମଧ୍ୟାହ୍ନଭୋଜନର ଦାୟିତ୍ୱ ଏସ୍‌ଏଚ୍‌ଜିକୁ ଦିଆଯିବ। ଯେଉଁ ବିଦ୍ୟାଳୟରେ ସେଣ୍ଟ୍ରାଲ କିଚେନ ତଥା ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ଦାୟିତ୍ୱ ଦିଆଯାଇଛି, ସେଠାରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ୫୩ ହଜାରରୁ ଅଧିକ ବିଦ୍ୟାଳୟରେ ୧୫ ହଜାର ଏସ୍‌ଏଚ୍‌ଜି ମଧ୍ୟାହ୍ନ ଭୋଜନର କଥା ବୁଝିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Advertisment

ମଧ୍ୟାହ୍ନ‌ଭୋଜନ ପରିଚାଳନାରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲୁଓ), ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ), ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି), ପ୍ରଧାନଶିକ୍ଷକ ଓ ଏସ୍‌ଏଚ୍‌ଜିଙ୍କୁ ସାମିଲ କରାଯାଇଛି। ଜିଲ୍ଲାର କେଉଁ ବିଦ୍ୟାଳୟରେ ଶହେରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି ଡିଇଓମାନେ ତାହାର ତାଲିକା ଡିଏସ୍‌ଡବ୍ଲୁଓଙ୍କୁ ପ୍ରଦାନ କରିବେ। ମିସନ ଶକ୍ତି ନିର୍ଦେଶାଳୟ ନିୟମ ଅନୁଯାୟୀ ଜିଲ୍ଲାପାଳମାନେ ଏସ୍‌ଏଚ୍‌ଜିଙ୍କୁ ଚୟନ କରି ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିବେ। ମଧ୍ୟାହ୍ନଭୋଜନ ପରିବହନ ଦାୟିତ୍ବରେ ଥିବା ଠିକା ସଂସ୍ଥାଗୁଡ଼ିକ ମଧ୍ୟାହ୍ନଭୋଜନ ଚାଉଳକୁ ଏସ୍‌ଏଚ୍‌ଜି ନିକଟରେ ପହଞ୍ଚାଇବେ। ମଧ୍ୟାହ୍ନଭୋଜନ ସାମଗ୍ରୀର ସଂରକ୍ଷଣ, ସୁରକ୍ଷା ଦାୟିତ୍ବ ଏସ୍‌ଏଚ୍‌ଜି ଉପରେ ନ୍ୟସ୍ତ ରହିବ।

ଜିଲ୍ଲାପାଳମାନେ ଏସ୍‌ଏଚ୍‌ଜି ଚୟନ କରିବା ସହ ମଧ୍ୟାହ୍ନଭୋଜନର ପର୍ଯ୍ୟବେକ୍ଷଣ, ସୁରକ୍ଷା, ଗୁଣବତ୍ତା ଓ କ୍ୟାଲୋରି ଠିକ୍‌ ରହୁଛି କି ନାହିଁ ଯାଞ୍ଚ କରିବେ। କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ‌ଭୋଜନ ମିଳିବାରେ ସମସ୍ୟା ସୃଷ୍ଟି ହେଲେ ତାହାର ସମାଧାନ କରିବେ। ଡିଇଓମାନେ ସ୍କୁଲଗୁଡ଼ିକୁ ଚିହ୍ନଟ କରିବା ସହ ତ୍ରୈମାସିକ ମଧ୍ୟାହ୍ନଭୋଜନ ଚାଉଳ ପଠାଇବେ, ଚାଉଳ ସମ୍ପର୍କ‌ରେ ମାସିକିଆ ତଥ୍ୟ ପ୍ରଦାନ କରିବେ, ରୋଷେଇ ଅର୍ଥ, ଫୁଡ୍‌ ସିକ୍ୟୁରିଟି ଆଲାଓନ୍ସ ଆଦି ଅର୍ଥ ପ୍ରଦାନ କରିବେ, ମଧ୍ୟାହ୍ନଭୋଜନ ଠିକ୍‌ ଭାବେ ପରିଚାଳିତ ହେଉଛି ବୋଲି ସୁନିଶ୍ଚିତ କରିବେ। ବିଡିଓମାନେ ନିୟମିତ ଭାବେ ତଦାରଖ କରିବେ। ଅଚାନକ ଚଢ଼ାଉ କରି ମଧ୍ୟାହ୍ନଭୋଜନ ମାନ ଯାଞ୍ଚ କରିବେ। ଯଦି କୌଣସି ବିଦ୍ୟାଳୟରେ ବିବାଦ ଉପୁଜିବ ତାହାର ସମାଧାନ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ପ୍ରଧାନଶିକ୍ଷକମାନେ ମଧ୍ୟାହ୍ନ-ଭୋଜନର ପରିଚାଳନା ଦାୟିତ୍ବ ଏସ୍‌ଏଚ୍‌ଜିକୁ ‌ହସ୍ତାନ୍ତର କରିବା ସହ ପ୍ରତିଦିନର ଖାଦ୍ୟ ଚାଟ୍‌ ପ୍ରଦାନ ଓ ପିଲାଙ୍କ ସଂଖ୍ୟା ଜଣାଇବେ, ମଧ୍ୟାହ୍ନଭୋଜନ ଖାଦ୍ୟ ଗ୍ରହଣ କରିବେ ଓ ଚା‌ଖିବେ, ଏସ୍‌ଏଚ୍‌ଜିଠାରୁ ଖାଲି ବ୍ୟାଗ୍‌କୁ ଗ୍ରହଣ କରିବେ। ପ୍ରଥମେ ଏସ୍‌ଏଚ୍‌ଜି ଓ ବିଇଓଙ୍କ ମଧ୍ୟରେ ଏକ ରାଜିନାମା ହେବ। ଏହାର ଏକ ନକଲ ପ୍ରଧାନଶିକ୍ଷକଙ୍କୁ ଦିଆଯିବ। ଏସ୍‌ଏଚ୍‌ଜିଗୁଡ଼ିକ ଚାଉଳ ଗ୍ରହଣ କରିବେ ଓ ଉପଯୁକ୍ତ ସ୍ଥାନରେ ରଖିବେ, ନିର୍ଦ୍ଧାରିତ ସମୟରେ ମଧ୍ୟାହ୍ନଭୋଜନ ପହଞ୍ଚାଇବେ, ପ୍ରତିଦିନ ଉପସ୍ଥାନ ଖାତାରେ ସମସ୍ତ ତଥ୍ୟ ଲେଖିବେ, ଚାଉଳ ଷ୍ଟକ୍‌ ଖାତା ପରିଚାଳନା କରିବେ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ମଧ୍ୟାହ୍ନ‌ଭୋଜନ ବଣ୍ଟନର ତଥ୍ୟ ବିଇଓଙ୍କୁ ପ୍ରଦାନ କରିବା ସହ ମାସିକିଆ ରିପୋର୍ଟ ମଧ୍ୟ ଦେବେ।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ଖାଦ୍ୟ ପ୍ରସ୍ତୁତିରେ ସ୍ବଚ୍ଛତା ଅବଲମ୍ବନ କରାଯିବ। ଏସ୍‌ଏମ୍‌ସି ଦ୍ବାରା ରୋଷେୟା ଓ ହେଲପର୍‌ ନିଯୁକ୍ତ ହେବେ। ଖାଇବା ଅଞ୍ଚଳକୁ ପରିଷ୍କାର ରଖିବା, ରୋଷେଇ ସରଞ୍ଜାମ ସଫାସୁତୁରା ରଖିବା, ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯିବ। ମଧ୍ୟାହ୍ନ ୧୨ଟା ୩୦ ପୂର୍ବରୁ ଏସ୍‌ଏଚ୍‌ଜି ପକ୍ଷରୁ ପ୍ରଧାନଶିକ୍ଷକ ତଥା ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ମଧ୍ୟାହ୍ନଭୋଜନ ହସ୍ତାନ୍ତର କରାଯିବ। ଉଭୟ ପକ୍ଷ ମଧ୍ୟହ୍ନଭୋଜନ ଗ୍ରହଣ କରିବାର ସମୟରେ ଦସ୍ତଖତ କରିବେ। ସକାଳୁଆ ସ୍କୁଲ ସମୟରେ ୯ଟା ସୁଦ୍ଧା ମଧ୍ୟାହ୍ନଭୋଜନ ପହଞ୍ଚିବ। ଏସ୍‌ଏଚ୍‌ଜିଙ୍କ ତାଲିମ ପାଇଁ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କରାଯିବ। ପ୍ରାଥମିକ ବିଦ୍ୟାଳୟରେ ଜଣେ ପିଲା ପିଛା ୪ଟା ୯୩ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପିଲା ପିଛା ୭ ଟଙ୍କା ୩୬ ପଇସା ପ୍ରଦାନ କରାଯିବ। ଯଦି କୌଣସି ଦିନ ଏସ୍‌ଏଚ୍‌ଜି ପକ୍ଷରୁ ପିଲାଙ୍କୁ ରନ୍ଧା ଖାଦ୍ୟ ଦିଆ ନ ଯିବ ସେକ୍ଷେତ୍ରରେ ପିଲାଙ୍କୁ ଖାଦ୍ୟ ସୁରକ୍ଷା ଭତ୍ତା ପ୍ରଦାନ କରାଯିବ। ଯଦି କୌଣସି ସ୍ଥାନରେ ଏସ୍‌ଏଚ୍‌ଜି, ଏସ୍‌ଏମ୍‌ସି, ପ୍ରଧାନଶିକ୍ଷକ କିମ୍ବା ଅଭିଭାବକଙ୍କ ମଧ୍ୟରେ ବିବାଦ ସୃଷ୍ଟି ‌ହୁଏ ସେକ୍ଷେତ୍ରରେ ବିଇଓ ତଦନ୍ତ କରି ବିବାଦର ସମାଧାନ କରିବେ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି।