ରାଜ୍ୟ‌ରେ ମହିଳା ପିଉଛନ୍ତି ଅଧିକ ଧୂଆଁହୀନ ତମାଖୁ

ଜାତୀୟ ହାରଠାରୁ ରାଜ୍ୟରେ ଏସ୍‌ଏଲଟିର ବ୍ୟବହାର ୪ଗୁଣ ଅଧିକ

ଭୁବନେଶ୍ବର : ଦେଶରେ ମହିଳାମାନଙ୍କ କ୍ଷେତ୍ରରେ ଧୂଆଁହୀନ ତମାଖୁ ବା ଏସ୍‌ଏଲ୍‌ଟିର ବ୍ୟବହାର ସାମାନ୍ୟ ହ୍ରାସ ପାଇଥିଲେ ହେଁ, ଓଡ଼ିଶାରେ ଏହା ବଢ଼ିଥିବା ନଜରକୁ ଆସିଛି। ରାଜ୍ୟରେ ଯେତିକି ସଂଖ୍ୟକ ମହିଳା ଏସ୍‌ଏଲଟିର ବ୍ୟବହାର କରୁଛନ୍ତି ତାହା ଜାତୀୟ ହାରଠାରୁ ୪ଗୁଣା ଅଧିକ। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମ୍‌ଆରସି ପକ୍ଷରୁ ହୋଇଥିବା ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କ କ୍ଷେତ୍ରରେ ଏହି ଏସ୍‌ଏଲଟିକୁ ହ୍ରାସ କରିବାକୁ ହେଲେ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ପୁରୁଷ ମାନଙ୍କ ଭିତରେ ପ୍ରାୟତଃ ତମାଖୁର ବ୍ୟବହାର ଅଧିକ। ମାତ୍ର ଏବେ ବାଳିକା/ମହିଳାଙ୍କ କ୍ଷେତ୍ରରେ ଏସ୍‌ଏଲଟିର ବ୍ୟବହାର ବୃଦ୍ଧି ପାଉଥିବା ନଜରକୁ ଆସିଲାଣି। ବିଶ୍ବ ବୟସ୍କ ତମାଖୁ ସର୍ଭେ ବା ଜିଏଟିଏସ୍‌ ୧ ଓ ୨ ଉପରେ ହୋଇଥିବା ଗବେଷଣାରେ ରାଜ୍ୟରେ ଏସ୍‌ଏଲଟିର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ୭ବର୍ଷ ଭିତରେ ଏହା ୩୪.୪୯ ପ୍ରତିଶତରୁ ବୃଦ୍ଧି ପାଇ ୫୬.୫୩ ପ୍ରତିଶତରେ ପହଞ୍ଚିଛି। ଅପରପକ୍ଷରେ ଜାତୀୟ ସ୍ତରରେ ଏହା ୧୮.୪ ପ୍ରତିଶତରୁ ୧୨.୭୬କୁ ଖସି ଆସିଛି। ହିମାଚଳ ପ୍ରଦେଶରେ ସବୁଠାରୁ କମ୍ ୦.୧୪ ପ୍ରତିଶତ ଥିବା ବେଳେ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଚଣ୍ଡୀଗଡ଼ରେ ଏହା କମ୍ ରହିଛି। ତେବେ ବେକାରୀ ସମସ୍ୟା ସହିତ ଅନେକ କ୍ଷେତ୍ରରେ ଆତ୍ମନିଯୁକ୍ତି ମଧ୍ୟ ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ଧୂଆଁହୀନ ତମାଖୁ ପ୍ରାୟତଃ ଚୋବାଇବା, ସୁଂଘିବା କିମ୍ବା ଛୁଞ୍ଚି ସହାୟତାରେ ନିଆଯାଇଥାଏ। ବିଶ୍ବସ୍ତରରେ ୨୪୮ ମିଲିୟନ୍ ଏସ୍‌ଏଲଟି ବ୍ୟବହାରକାରୀ ଥିବା ବେଳେ ତହିଁରୁ ୯୦ ପ୍ରତିଶତ କେବଳ ଭାରତୀୟ ଉପ-ମହାଦେଶରେ ରହୁଛନ୍ତି।

ଆରଏମ୍‌ଆରସିର ଗବେଷକଙ୍କ ମତରେ ମହିଳାଙ୍କ ପ୍ରଜନନ ସହିତ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାରେ ଧୂମପାନର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯଦିଓ ମହିଳାମାନଙ୍କ କ୍ଷେତ୍ରରେ ଧୂଆଁହୀନ ଧୂମପାନର ମାତ୍ରା ବୃଦ୍ଧି ପାଇଛି, ଏହାସତ୍ତ୍ବେ ବହୁସଂଖ୍ୟାରେ ମହିଳା ଏହାକୁ ଛାଡ଼ିବା ପାଇଁ ଉଦ୍ୟମ କରିଥିବା ଗବେଷଣାରୁ ଜଣାପଡ଼ିଛି। ଏଥିରେ ଝାଡଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଅଧିକ ସଂଖ୍ୟାରେ ଲୋକ ରହିଛନ୍ତି। ଧୂଆଁହୀନ ତମାଖୁ ବର୍ଜନ କିଭଳି ବଢ଼ିପାରିବ ସେଥିପାଇଁ ସରକାରୀସ୍ତରରେ ଅଧିକ ଉଦ୍ୟମ କରାଯିବାର ଆବଶ୍ୟକତା ରହିଥିବା ଗବେଷକ କହିଛନ୍ତି। ସ୍ଥାନୀୟ ସ୍ତରରେ ଲୋକମାନଙ୍କୁ ସଚେତନ କରିବା ଲାଗି ସୂଚନାଧର୍ମୀ ପୁସ୍ତକ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବା ଉପରେ ଗବେଷଣାରେ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର