ମାଲକାନଗିରି : ଦୁର୍ବଳ ସ୍ବାସ୍ଥ୍ୟସେବା ପାଇଁ ବଦନାମ ମୁଣ୍ଡାଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଏସ୍ଏନ୍ସିୟୁ ଭିତରେ ମହିଳା କର୍ମଚାରୀଙ୍କ ମଜଲିସ ସମୟର ଭିଡିଓ ପଦାକୁ ଆସିଛି। ଶହେ ପାଖାପାଖି ଭିଡିଓ ଟିକ୍ଟକ୍ରେ ଭାଇରାଲ ହେବାପରେ ତତ୍ପରତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ଅନ୍ୟପଟେ ପ୍ରଶାସନ ବି ଘଟଣାର ଗୁରୁତ୍ବକୁ ବୁଝିବା ପରେ ତଦନ୍ତ ଆରମ୍ଭ କରିଛି। ସଂପୃକ୍ତ ମହିଳା କର୍ମଚାରୀମାନେ ଏସ୍ଏନ୍ସିୟୁ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଏହିଭଳି ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ୭ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲେ। ଏହାପରେ ନୂଆ ନୂଆ ବିବାଦରେ ଛନ୍ଦି ହେବାରେ ଲାଗିଛି ଏହି ହସ୍ପିଟାଲ। ନିମ୍ନମାନର କୋଠା ନିର୍ମାଣ ଓ ରକ୍ତ ଅଭାବ ଯୋଗୁଁ ବିଗତଦିନରେ ଅପବାଦ ମୁଣ୍ଡାଇଥିଲା। ଏମିତି ଗୋଟିଏ ପରେ ଗୋଟିଏ ବିବାଦ ଲାଗି ରହିଥିବାବେଳେ ଏବେ ହସ୍ପିଟାଲ କର୍ମଚାରୀଙ୍କ ଟିକ୍ଟକ୍ ଭିଡିଓ ଏବେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଏସ୍ଏନ୍ସିୟୁ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ କିଭଳି ନିଜର ଦାୟିତ୍ବକୁ ଭୁଲି ଟିକ୍ଟକ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ, ତାହା ଏବେ ସାମ୍ନାକୁ ଆସିଛି।
ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲେ ଏସ୍ଏନ୍ସିୟୁରେ ଭର୍ତି କରାଯାଏ। ୨୪ ଘଣ୍ଟିଆ ଯତ୍ନ ନେବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ କର୍ମଚାରୀଙ୍କୁ ନିୟୋଜିତ କରାଯାଏ। ଏପରିକି ଏହି ବିଭାଗକୁ ଯିବା ପାଇଁ କିଛିଟା କଟକଣା ରହିଛି। ତେବେ, ନର୍ସଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ୍ ହେବାପରେ ଏସ୍ଏନ୍ସିୟୁର ଭିତିରି ଦୃଶ୍ୟ ବି ପଦାକୁ ଆସିଛି। ପ୍ରଥମତଃ, ନବଜାତକଙ୍କ ଭିଡିଓ ତ କରାଯାଉଛି। ଦ୍ବିତୀୟରେ, ନର୍ସମାନେ ଗ୍ଲୋବ୍ ନପିନ୍ଧି କଅଁଳା ଶିଶୁଙ୍କୁ ଧରୁଛନ୍ତି। ସେହିଭଳି, ମହିଳା କର୍ମଚାରୀ ବା ନର୍ସ ନବଜାତକଙ୍କୁ ଦୁଇ ହାତରେ ଟେକି ଚୁମ୍ବନ କରୁଛନ୍ତି। ଏହାବ୍ୟତୀତ କିଛି କର୍ମଚାରୀ ଲୁଡୋ ଖେଳିବା ବି ଦେଖିବାକୁ ମିଳିଛି। ସାଦା ପୋଷାକରେ ବି ଏସ୍ଏନ୍ସିୟୁ ସହ ଅନ୍ୟ ୱାର୍ଡଗୁଡ଼ିକରେ କର୍ମଚାରୀମାନେ ଅବାଧରେ ବୁଲୁଥିବା ଉତ୍ତୋଳିତ ଭିଡିଓରୁ ଜଣାପଡ଼ିଛି, ଯାହାକି ଭାଇରାଲ ହେବା ପରେ ଚର୍ଚ୍ଚା ଜୋର୍ ଧରିଛି।
ଏନେଇ ସିଡିଏମଓ ଅଜିତ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେଉଁ କର୍ମଚାରୀ ଏଭଳି ଭିଡିଓ କରିଛନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯିବ। ସେମାନଙ୍କ ଉତ୍ତର ମିଳିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି।
ଅନ୍ୟପଟେ ଭିଡିଓ ଗୁଡ଼ିକ ଭାଇରାଲ ହେବାପରେ ପ୍ରଶାସନ ବି ତତ୍ପରତା ପ୍ରକାଶ କରିଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ମେଡିକାଲକୁ ଯାଇ ତଦନ୍ତ କରିଛନ୍ତି। ମେଡିକାଲ କର୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ ବି ନିର୍ଦେଶ ଦେଇଛନ୍ତି।