ମହିଳା ସଶକ୍ତୀକରଣ ବିଜେଡିର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ନେଇ ଉଦ୍ୟମ ଜାରି ରଖିବୁ
ମିସନ ଶକ୍ତି ଓ ମମତା ଯୋଜନା ରାଜ୍ୟରେ ସଫଳତା ଆଣିଛି
୧୧ ମହିଳାଙ୍କୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦେବୀ ଆୱାର୍ଡ଼

ଭୁବନେଶ୍ବର : ରାଜ୍ୟରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। ମହିଳା ସଶକ୍ତୀକରଣ ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ। ମହିଳା ସଂରକ୍ଷଣ ବିଲ୍‌କୁ ଆଇନରେ ପରିଣତ କରିବାକୁ ବିଜେଡି ସଂସଦରେ ଲଗାତାର ପ୍ରଚେଷ୍ଟା ଜାରି ରଖିବ। ଆଜି ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ଦୈନିକ ଇଂରାଜୀ ଖବରକାଗଜ ପକ୍ଷରୁ ଆୟୋଜିତ ମହିଳା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ‘ଦେବୀ ଆୱାର୍ଡ଼’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ରାଜ୍ୟର ପଞ୍ଚାୟତିରାଜ ଅନୁ୍ଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦେଶରେ ପ୍ରଥମ କରି ମୋ ବାପା ସ୍ବର୍ଗତଃ ବିଜୁ ପଟ୍ଟନାୟକ ଆରମ୍ଭ କରିଥିଲେ। ସେହି ବ୍ୟବସ୍ଥାକୁ ତାଙ୍କ ଦଳ ବିଜେଡି ମଧ୍ୟ କାଏମ ରଖିଛି। ବିଧାନସଭା ଓ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନେଇ ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପ ପାରିତ କରାଇଥିଲେ। ସେହି ଅନୁଯାୟୀ ୨୦୧୯ ନିର୍ବାଚନରେ ବି ବିଜେଡି ଲୋକସଭା ଆସନରେ ୩୩% ମହିଳା ପ୍ରାର୍ଥୀ ଦେଇଥିଲା।’

ରାଜ୍ୟରେ ମହିଳାମାନଙ୍କ ବିକାଶ ପାଇଁ ସରକାର ଦୁଇଟି ସଫଳ ଯୋଜନା ପ୍ରଚଳନ କରିଛନ୍ତି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ମିସନ ଶକ୍ତି’ ଯୋଜନା ମାଧ୍ୟମରେ ଲକ୍ଷାଧିକ ମହିଳାଙ୍କ ଆର୍ଥିକ ବିକାଶ ହେବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସେହିପରି ‘ମମତା’ ଯୋଜନା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ କ୍ଷେତ୍ରରେ ସଫଳ ସାବ୍ୟସ୍ତ ହୋଇଥିବା ସେ ବିଶ୍ବାସ କରନ୍ତି।

ମହିଳାଙ୍କ ବିକାଶ ନେଇ ଆଭିମୁଖ୍ୟ ସମ୍ପର୍କରେ ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ସମ୍ପାଦକ ପ୍ରଭୁ ଚାଵାଲାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ; ବିଜେଡି ଲଗାତାର ଭାବେ ମହିଳାଙ୍କ ସଶକ୍ତୀକରଣ ଉପରେ ଉଦ୍ୟମ ଜାରି ରଖିଆସିଛି। ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ। ମହିଳାମାନଙ୍କୁ କିପରି ସବୁ କ୍ଷେତ୍ରରେ ପ୍ରତିନିଧିତ୍ବ ମିଳିବ ସେଥିପାଇଁ ତାଙ୍କ ଦଳ ସବୁ ପ୍ରକାର ପ୍ରଚେଷ୍ଟା କରିବ ବୋଲି ସେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧ ମହିଳାଙ୍କୁ ଇଣ୍ଡିଆନ ଏକ୍ସପ୍ରେସ୍‌ ଦେବୀ ଆୱାର୍ଡ଼ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର