କୁକୁଡ଼ାଖଣ୍ତି : ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଓ ନିମଖଣ୍ଡି ଫାଣ୍ଡି ଅଧୀନ ଜଗଦଳପୁର ଗ୍ରାମ‌ରେ ୫ ଦିନ ମଧ୍ୟରେ ୨ ଜଣ ମହିଳାଙ୍କୁ ୩ ଥର ମରଣାନ୍ତକ ଆକ୍ରମଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ କେଉଁ କାରଣରୁ ମହିଳାମାନଙ୍କୁ ଟାର୍ଗେଟ୍ କରୁଛନ୍ତି, ଏନେଇ କିଛି ସ୍ପଷ୍ଟ ହୋଇପାରୁନି।  ଗ୍ରାମର କବିତା ପାଢ଼ୀ ନାମକ ଜଣେ ମହିଳା ଦୁଇଥର ଏବଂ ଅନ୍ୟ ଦୁଇ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣର ଶିକାର ହୋଇଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ଏବଂ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଗ୍ରାମରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ଗତ ୧୪ ତାରିଖର ଗୋଲା ସାହିରେ ରହୁ୍ଥିବା କେ.ଭାରତୀ ପାତ୍ର ନାମକ ଜଣେ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ଲୁହାରଡ୍‌ରେ ଆକ୍ରମଣ କରି ଚମ୍ପଟ୍‌ ମାରିଥିଲା। ପୁଣି ୧୬ ତାରିଖରେ ତଳସାହିର କବିତା ପାଢ଼ୀଙ୍କୁ ତାଙ୍କ ଘରର ବାରି ପଛପଟେ କେହି ଦୁର୍ବୃତ୍ତ ଇଟାରେ ମୁଣ୍ଡକୁ ଆଘାତ ଦେଇଥିଲା। ଉଭୟ ମହିଳା ଏଥିରେ ଗୁରୁତର ହୋଇଥିଲେ।

ଏହି ଦୁଇ ଘଟଣା ମନରୁ ନଯାଉଣୁ, ପୁଣି ଆଜି ଜଣେ ଦୁର୍ବୃତ୍ତ କବିତାଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟିଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସିଟି ହସ୍ପିଟାଲ୍‌କୁ ଅଣାଯାଇଥିଲା। ତେବ‌େ ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି। ଲୁଟ୍ ଉଦ୍ଦେଶ୍ୟରେ କେହିଜଣେ ଦୁର୍ବୃତ୍ତ ଏଭଳି କାରନାମା ଘଟାଉଥିବା ଅନୁମାନ କରାଯାଉଛି। କିନ୍ତୁ ସେ ଧରା ପଡ଼ି ନଥିବାରୁ ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ଆଜି ଘଟଣା ପରେ ବ୍ରହ୍ମପୁର ଅତିରିକ୍ତ ଏସ୍‌.ପି. ରମେଶ ସେଠୀ, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ସଦର ଥାନାଅଧିକାରୀ ମହେନ୍ଦ୍ର ସାହୁ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ପ୍ରମୁଖ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଘଟଣା ବିଷୟରେ କବିତାଙ୍କଠୁ ତଥ୍ୟ ସଂଗ୍ରହ କରିଥିଲେ। ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରାରୁ ମଧ୍ୟ ପୁଲିସକୁ କୌଣସି ସୁରାକ୍ ମିଳିନି। ଖବର ମିଳିବା ସୁଦ୍ଧା ଗ୍ରାମରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି।