ମାଲକାନଗିରିରେ ଏବେ କିଡନି ରୋଗୀଙ୍କ ପ୍ରବଳ ଭିଡ଼: ମା’କାଳୀଙ୍କ ସ୍ବପ୍ନାଦେଶ ବଳରେ ଲେମ୍ବୁ ଓ ଗୁଡ଼ରେ ଚିକିତ୍ସା କରୁଛନ୍ତି ଚାରୁଲତା !

ମାଲକାନଗିରି: ଏବର ସମୟରେ ବି ଡାକ୍ତରୀ ଚିକିତ୍ସା ଛାଡ଼ି ଲୋକେ ପାରମ୍ପରିକ ହୁକୁମ୍ ଚିକିତ୍ସାକୁ ଆପଣାଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ରାଜ୍ୟର ଉପାନ୍ତ ଜିଲ୍ଲା ମାଲମାନଗିରିର ଏମଭି-୧୦୪ ଗ୍ରାମରେ ମା’କାଳୀଙ୍କ ସ୍ବପ୍ନାଦେଶ କ୍ରମେ କିଡନି ରୋଗର ଚିକିତ୍ସା କରୁଥିବା ଜନୈକା ମହିଳାଙ୍କ ନିକଟକୁ ରାଜ୍ୟରୁ ଓ ରାଜ୍ୟବାହାରୁ ବହୁ ସଂଖ୍ୟାରେ ରୋଗୀ ଛୁଟି ଆସୁଛନ୍ତି। ପ୍ରତି ମଙ୍ଗଳବାର ଓ ଗୁରୁବାିର ତାଙ୍କ ଘରେ ରୋଗୀଙ୍କ ଭିଡ଼ ଜମୁଛି ।

ଚାରୁଲତା ସରକାର। ବୟସ ପାଖାପାଖି ୪୦ । ପରିବାର କହିଲେ ସ୍ବାମୀ ପ୍ରଦୀପ ସରକାର ଏବଂ ଦୁଇ ପିଲା। ଘର ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି-୧ ପଞ୍ଚାୟତର ଏମଭି-୧୦୪ ଗ୍ରାମରେ। ପରିବାରର ଜଞ୍ଜାଳ ମଧ୍ୟରେ ବି ରୋଗୀ ସେବା ପାଇଁ ଉତ୍ସର୍ଗୀକୃତ ଜୀବନ ଜିଉଛନ୍ତି । କିଡନି ରୋଗର ସଫଳ ଚିକିତ୍ସକ ଭାବେ ଭିନ୍ନ ଏକ ପରିଚୟ ନିଜ ଉଦ୍ୟମ ବଳରେ ହାସଲ କରିଛନ୍ତି। ତେଣୁ ମଂଗଳବାର ଓ ଶନିବାର ହେଲେ ତାଂକ ଘରେ ରୋଗୀଙ୍କର ଅସମ୍ଭାଳ ଭିଡ ହୁଏ। ସକାଳୁ ସକାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ରୋଗୀ ଏଠାରେ ପହଞ୍ଚିଯାନ୍ତି।ସକାଳ ୭ଟାରୁ ନିଜର ପାଳିକୁ ଅପେକ୍ଷା କରି ରହିଥାନ୍ତି କିଡନି ରୋଗୀ। ଏତେ ଲୋକଙ୍କୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଲାଗିଲା। କିନ୍ତୁ ରୋଗୀଙ୍କର ଅତୁଟ ବିଶ୍ବାସ ଗ୍ରାମାଞ୍ଚଳର ଏହି ମହିଳାଙ୍କ ପ୍ରତି ରହିଥିବା ସମ୍ମାନକୁ ବୟାନ କରୁଥିଲା। ରୋଗୀଙ୍କୁ ଔଷଧ ଦେବା ବେଳକୁ ଆମ ସହ ସାକ୍ଷାତ କରି ନିଜର ଅନୁଭୁତିକୁ ସେ ବର୍ଣ୍ଣନା କରିଥିଲେ। ତାଂକ କାହାଣୀରେ ରହିଥିଲା ଅନେକ କୁହୁକ ଏବଂ ଚକିତ କଲାଭଳି ଘଟଣା।

ପ୍ରାୟ ୭ ବର୍ଷ ତଳେ ଚାରୁଲତାଙ୍କ ବାପା ଶିବପାଦ ଢାଲି କିଡନି ରୋଗରେ ଆକ୍ରାନ୍ତ ହୋଇଥିଲେ।ତାଂକର ଦୁଇଟିଯାକ କିଡନି ଖରାପ ହୋଇଯାଇଥିଲା। ଡାକ୍ତର କିଡନି ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଥିଲେ। ଘରର ଆର୍ଥିକ ସ୍ଥିତି ଠିକ ନ ଥିବାରୁ ପରିବାର ଲୋକେ ଆଶା ଛାଡି ଦେଇଥିଲେ। ତେବେ ଗୋଟିଏ ଦିନ ରାତିରେ ଚାରୁଲତାଙ୍କୁ ମା’କାଳୀ ସ୍ବପ୍ନରେ ବାପାଙ୍କର ଚିକିତ୍ସା ପାଇଁ ପାରଂପାରିକ ଔଷଧ ଦେବା ପାଇଁ ଆଦେଶ ଦେଲେ।ଏହି ଔଷଧ କେମିତି ପ୍ରସ୍ତୁତ କରିବେ ଏବଂ କେତେବେଳେ ଦେବେ ତାହା ମଧ୍ୟ ସେ କହିଥିଲେ। ୩ଟି ଲେମ୍ବୁକୁ ସେ ପୋଡି ଶିଳରେ ବାଟିବେ ଏବଂ ପରେ ତାକୁ ଗୁଡରେ ମିଶାଇ ବାପାଙ୍କୁ ଦେଲେ। ନିୟମିତ ବ୍ୟବଧାନରେ ଏହି ଔଷଧ ଖାଇବା ପରେ ବାପା ଶିବପାଦଙ୍କ ସ୍ବାସ୍ଥ୍ୟରେ ଆଶ୍ଚର୍ଯ୍ୟ କଲା ଭଳି ପରିବର୍ତ୍ତନ ହେଲା।ସେ ସଂପୂର୍ଣ୍ଣ ରୂପେ ଠିକ ହୋଇଯାଇଥିଲେ।ପୂର୍ବଭଳି କେ କାମ ମଧ୍ୟ ଆରମ୍ଭ କରିଦେଇଥିଲେ।

ଚାରୁଲତାଙ୍କର ଏହି ସ୍ବପ୍ନାଦେଶ ସଂପର୍କରେର ଧୀରେ ଧୀରେ ପ୍ରଚାର ହେଲା।ଆଖପାଖ ଅଂଚଳର କିଡନି ରୋଗୀ ଡାକ୍ତରଙ୍କ ପାଖରୁ ନିରାଶ ହେବା ପରେ ତାଂକ ପାଖରେ ପହଞ୍ଚିଲେ।ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ସପ୍ତାହକୁ ୩ଥର,୧୫ ଦିନକୁ ୩ଥର ଏବଂ ମାସକୁ ତିନିଥର ଲେଖାଏଁ ଔଷଧ ଦେବା ଆରମ୍ଭ କଲେ।ଗତ ୭ ବର୍ଷ ହେଲା ସେ କିଡନି ରୋଗୀଙ୍କୁ ପ୍ରତି ମଂଗଳବାର ଏବଂ ଶନିବାର ଦିନ ଔଷଧ ଦେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ସେ କୌଣସି ପାଉଣା ଦାବି କରନ୍ତି ନାହିଁ। ରୋଗୀ ନିଜର ସକ୍ଷମ ଅନୁଯାୟୀ ଯାହା ଦିଏ ତାକୁ ସେ ପାଖରେ ନ ରଖି ମା’କାଳୀଙ୍କ ନିକଟରେ ଅର୍ପଣ କରିଦିଅନ୍ତି ବୋଲି କହନ୍ତି। ଇତି ମଧ୍ୟରେ ଓଡିଶା ସମେତ ପଡୋଶୀ ଆନ୍ଧ୍ର, ଛତିଶଗଡ ଏବଂ ତେଲେଙ୍ଗାନାର ଶହ ଶହ କିଡନି ରୋଗୀ ଏମଭି-୧୦୪ ଗ୍ରାମକୁ ଆସୁଥିବା ଦେଖିବାକୁ ମିଳିଛି। ଖାଲିପେଟରେ ଏହି ଔଷଧ ସେବନ କରିବାରୁ ବିଧି ରହିଥିବା ଯୋଗୁଁ ସକାଳୁ ହିଁ ଭିଡ ଜମିବାର ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ କିଡନି ରୋଗୀଙ୍କ ବୃଦ୍ଧି ପାଇବାରେ ଲାଗିଛି। ଲୌହ ମିଶ୍ରିତ ପାଣି ହିଁ ତାହାର ମୂଳ କାରଣ। ପ୍ରତିବର୍ଷ ୧୦ରୁ ୧୦ କିଡନି ରୋଗୀ ମୃତ୍ୟୁବରଣ କରୁଥିବା ଏକ ଆକଳନରୁ ଜଣାପଡିଛି।ସ୍ବାସ୍ଥ୍ୟ ବିଭାଗ ଏସବୁ ଜାଣିବା ପରେ ମଧ୍ୟ କୌଣସି ପ୍ରତିକାର କରୁନଥିବା ଜଣାପଡିଛି।ସ୍ବାସ୍ଥ୍ୟ ବିଭାଗ କହୁଛି ଭୂତଳ ଜଳ ସଂପୂର୍ଣ୍ଣ ଭାବେ ଦୂଷିତ ହୋଇଯାଇଛି। ସମଗ୍ର ଜିଲ୍ଲାର ଜଳର ଉତ୍ସଗୁଡିକରେ ଆଇରନ ଭରି ହୋଇ ରହିଥିବା ବେଳେ ଏଠାକାର ଲୋକେ କିଡନି ରୋଗର ଶିକାର ହେଉଥିବା କୁହାଯାଇଛି। ଜିଲ୍ଲାର କୋରକୋଣ୍ଡା,କାଲିମେଳା,ପଡିଆ ଏବଂ ମାଲକାନଗିରି ଭଳି ବ୍ଲକରେ ସବୁଠାରୁ ବେଶୀ କିଡନି ରୋଗୀ ରହିଥିବା ଜଣାପଡିଛି। ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏହି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ ଉପାନ୍ତ ଅଂଚଳ ହୋଇଥିବାରୁ କିଡନି ରୋଗର ସଫଳ ଚିକିତ୍ସା ଲୋକେ କରାଇପାରୁନାହାନ୍ତି। ଜିଲ୍ଲାର ୯୦ ପ୍ରତିଶତ ଲୋକ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ କିଡନି ରୋଗର ଚିକିତ୍ସା ପାଇଁ ବାହାରକୁ ଯାଇପାରୁନାହାନ୍ତି। ଏମଭି-୩୪,ଏମଭି-୩୩ ଭଳି ଗ୍ରାମରେ ଘରେ ଘରେ କିଡନି ରୋଗୀ ରହିଥିବା ଦେଖିବାକୁ ମିଳିଥିଲା।ମାଲକାନଗିରି ଜିଲ୍ଲାର ବହୁ ରୋଗୀ ମାଲକାନଗିରି ଠାରୁ ଆରମ୍ଭ କରି ବଡ ବଡ ମେଡିକାଲରେ ନିଜର ଚିକିତ୍ସା କରାଇସାରିଛନ୍ତି କିନ୍ତୁ ଠିକ ହୋଇନଥିବା କହୁଥିବା ବେଳେ ଚାରୁଲତାଙ୍କର ଔଷଧ ଖାଇବା ପରେ ଠିକ ହୋଇଥିବା କହିଥିଲେ। ଏପରିକି ଛତିଶଗଡ ଅଂଚଳର ରୋଗୀମାନେ ମଧ୍ୟ ଚାରୁଲତାଙ୍କର ଏହି ଆର୍ଶୀବାଦ ନେଇ ଯାଇଛନ୍ତି। ଏବେ ସୁଦ୍ଧା ସେ ୫ ହଜାରରୁ ଉର୍ଦ୍ଧ୍ବ ରୋଗୀ ସେବା କରିସାରିଥିବା କହନ୍ତି।

ସମ୍ବନ୍ଧିତ ଖବର