ଘୁ.ଉଦୟଗିରି: ସରକାରୀ ଅଧିକାରୀଙ୍କୁ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଜଣାଇବା ପାଇଁ ଏସ୍ଏଚ୍ଜି ମହିଳାଙ୍କୁ ଘଣ୍ଟାଏ କାଳ ବର୍ଷାରେ ଓଦା ହୋଇ ଗେଟ୍ ବାହାରେ ଅପେକ୍ଷା କରିବାକୁ ପଡ଼ିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅଧୀନ କଳିଙ୍ଗା ଠାରେ। ଜଙ୍ଗଲ ବିଭାଗ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କୌଣସି କାମରେ ଘୁ.ଉଦୟଗିରି ବନପାଳ ପ୍ରଶିକ୍ଷଣକେନ୍ଦ୍ରକୁ ଆସିଥିଲେ। ଏହି କ୍ରମରେ ସେ କଳିଙ୍ଗା ସ୍ଥିତ ସ୍ବତନ୍ତ୍ର(ସିଲଭି କଲଚର) ଉଦ୍ୟାନକୁ ପରିଦର୍ଶନରେ ଯାଇଥିବା ବେଳେ କଳିଙ୍ଗା ଅଞ୍ଚଳର ଏସ୍ଏଚ୍ଜି ମହିଳାମାନେ ଏକତ୍ରିତ ହୋଇ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାବିତ ଇକୋ କଟେଜ୍ ନିର୍ମାଣ ସଂପର୍କରେ ଅଭିଯୋଗ ଓ ସମସ୍ୟା ଶୁଣାଇବାକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ପିସିସିଏଫ୍ ନିଜ ଗାଡ଼ିରେ ସିଧା ଉଦ୍ୟାନ ଭିତରକୁ ଚାଲି ଯାଇଥିଲେ। ବର୍ଷାରେ ଓଦା ହୋଇ ମହିଳାମାନେ ଅଧିକାରୀଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରି ରହିଥିଲେ ହେଁ, ବାବୁ କିନ୍ତୁ ଗାଡ଼ିରୁ ଓହ୍ଲାଇ ନଥିଲେ। ଏପରିକି ମହିଳାଙ୍କୁ ବାହାରେ ରହିବାକୁ ନିର୍ଦ୍ଦେଶ ଦେଇ ତାଙ୍କ ଗାଡ଼ି ପଶିବା ପଛେ ପଛେ ଉଦ୍ୟାନର ମୁଖ୍ୟ ଫାଟକ ବନ୍ଦ କରି ଦିଆ ଯାଇଥିଲା। ମହିଳାମାନେ ଯେତେ ବିନତି କରିଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା। ଅନ୍ୟ କିଛି ଉପାୟ ନପାଇ ମହିଳା ମାନେ ସେମିତି ବର୍ଷାରେ ଭିଜି ଭିଜି ପିସିସିଏଫ୍ଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରି ରହିଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ପରେ ଅଧିକାରୀ ଜଣଙ୍କ ଗେଟ୍ ନିକଟକୁ ଆସିବାରୁ ମହିଳାମାନେ ତାଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସରକାରୀ ଅଧିକାରୀଙ୍କର କ'ଣ ମାନବିକତା ହଜିଗଲା କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ସୂଚନା ଥାଉକି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ କଳିଙ୍ଗାରେ ବହୁ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଥିବା ସିଲଭି କଲ୍ଚର୍ ଉଦ୍ୟାନରେ ଇକୋ କଟେଜ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ଇକୋ କଟେଜ୍ ନିର୍ମାଣ ପାଇଁ ସରକାରଙ୍କ ଠାରୁ ମଧ୍ୟ ସୂଚନା ଆସିଛି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହା ବିଳମ୍ବିତ ହୋଇଚାଲିଛି। ତେବେ ଆଜି ବିଭାଗୀୟ ସର୍ବୋଚ୍ଚ ଅଧିକାରୀ ପିସିସିଏଫ ଶ୍ରୀ ବିଶ୍ଵାଳ ଉଦ୍ୟାନ ପରିଦର୍ଶନ ପାଇଁ ଆସିଥିବା ଜାଣି ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ଏସ୍ଏଚ୍ଜିର ୩୦ରୁ ଅଧିକ ମହିଳା ଇକୋ କଟେଜ୍ ନିର୍ମାଣ ସଂପର୍କିତ ଦାବିପତ୍ର ଧରି ଉଦ୍ୟାନ ଗେଟ୍ ନିକଟରେ ପହଞ୍ଚିଥିଲେ। ତେବେ ଏ ସମୟରେ ପ୍ରବଳ ବର୍ଷା ହୋଇଥିଲା। ହେଲେ, ଏହା ସତ୍ତ୍ବେ ମହିଳାଙ୍କୁ ଦେଖା କରିବା ପାଇଁ ଭିତରକୁ ନଛାଡ଼ି ଗେଟ୍ ବାହାରେ ସେମିତି ଅପେକ୍ଷା କରିବା ପାଇଁ କୁହାଯାଇଥିଲା। ଆଉ ଘଣ୍ଟାଏ ବର୍ଷାରେ ଭିଜି ଅପେକ୍ଷା କଲା ପରେ ମହିଳାଙ୍କୁ ବାବୁଙ୍କ ଦେଖା ମିଳିଥିଲା।