ଇବଥର୍ମାଲ : ବନହରପାଲି ଥାନା ସରଣ୍ଡାମାଲ ଲଞ୍ଚାୟତ ଅନ୍ତର୍ଗତ ଗଣେଶନଗର ଗ୍ରାମର ପୁଷ୍ପାଞ୍ଜଳି ବାଗ୍ (୨୮)ଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୋମବାର ପୁରୁଷୋତ୍ତମ ବାଗ(୩୩), ପତ୍ନୀ ପୁଷ୍ପାଞ୍ଜଳି ଓ ତାଙ୍କ ପୁଅ (୩ ବର୍ଷ) ବାଇକ୍‌ ଯୋଗେ ସମ୍ବଲପୁରରୁ ଗଣେଶନଗର ଆସୁଥିଲେ। କୁମ୍ଭାରବନ୍ଧ ସମଲେଇ ମନ୍ଦିର ଉଠାଣିଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ପୁଷ୍ପାଞ୍ଜଳି ବାଇକ୍‌ରୁ ପଡି ଯାଇଥିଲେ। ପୁରୁଷୋତ୍ତମ ଏ ବାବଦର ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଜଣାଇବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କୁମ୍ଭାରବନ୍ଧ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ପୁଷ୍ପାଞ୍ଜଳିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

Advertisment

ପୁଷ୍ପାଞ୍ଜଳିଙ୍କର ଅମ୍ଳଜାନ ଆବଶ୍ୟକ ପଡ଼ିବାରୁ ବହୁ ବିଳମ୍ବରେ ଷ୍ଟୋରରୁ ଏକ ପୁରୁଣା ସିଲିଣ୍ଡର ମିଳିଥିଲା। ମାତ୍ର ତାହା ୫ ମିନିଟ୍‌ରେ ସରିଯାଇଥିଲା ବୋଲି ସରଣ୍ଡାମାଳ ନାଏବ ସରପଞ୍ଚ ପଞ୍ଚାନନ ସା କହିଛନ୍ତି। ଏକଘଣ୍ଟା ବିଳମ୍ବରେ ଆମ୍ବୁଲାନ୍‌ସ ପହଞ୍ଚିଥିଲା। ଫଳରେ ପୁଷ୍ପାଞ୍ଜଳିଙ୍କୁ ବୁର୍ଲା ନେବାରେ ବିଳମ୍ବ ହୋଇଥିଲା। ବୁର୍ଲାରେ ପହଞ୍ଚିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସାଲେଗ୍ରାମ ନାଏକ ଅଭିଯୋଗ କରିଛନ୍ତି ଯେ କୁମ୍ଭାରବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ସାମାନ୍ୟତମ ସୁବିଧା ନାହିଁ।

ସେହିପରି ଶ୍ରୀ ସା କହିବା କଥା ସ୍ବାସ୍ଥ୍ୟମନ୍ତ୍ରୀ ତୃତୀୟ ଜୋନ୍‌ର ଜନସାଧାରଣଙ୍କ ସକାଶେ ଏକ ଆମ୍ବୁଲାନ୍‌ସ ଦେଲେ ଯାହାକି ବନ୍ଧବାହାଲଠାରେ ରହୁଛି। ୧୧ ଟି ପଞ୍ଚାୟତର ଲୋକ କୁମ୍ଭାରବନ୍ଧ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଆମ୍ବୁଲାନ୍‌ସ ଥିଲେ ଗୋଟିଏ ଜୀବନ ବଞ୍ଚିପାରିଥା’ନ୍ତା। କୋଟିକୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରାଯାଉଛି ହେଲେ ତୃତୀୟ ଜୋନ୍‌ରେ ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଚରମ ଅବହେଳା ଯୋଗୁଁ ଦୁର୍ଘଟଣାମାନ ଘଟି ଧନଜୀବନ ନଷ୍ଟ ହେଉଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟନ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି। ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ଖବର ପରେ ସମଗ୍ର ଗଣେଶନଗର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।