ଭୁବନେଶ୍ବର : ଓଡ଼ିଶାରେ ମହିଳାଙ୍କ ସଶକ୍ତୀକରଣ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇଛି। ସେମାନେ ରୋଷେଇ ଘର ଭିତରେ ସୀମିତ ନରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ସ୍ବାବଲମ୍ବୀ ହେବେ। ଏହି ମହାନ ଲକ୍ଷ୍ୟ ନେଇ ୨୦୦୧ ମସିହାରେ ରାଜ୍ୟରେ ଆରମ୍ଭ କରାଯାଇଥିବା ଏସ୍ଏଚ୍ଜି ଆନ୍ଦୋଳନକୁ ସରକାର ଆଉ ପାଦେ ଆଗକୁ ନେଇଛନ୍ତି। ମହିଳା ଏସ୍ଏଚ୍ଜି ସହିତ ଯୋଡ଼ି ହୋଇଥିବା ସଦସ୍ୟାମାନଙ୍କୁ ସରକାର ଦେଶବିଦେଶର ଖ୍ୟାତନାମା ଉଦ୍ୟୋଗୀରେ ପରିଣତ କରିବେ। ଏଥିପାଇଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ର ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ କେତୋଟି ବଡ଼ ଘୋଷଣା କରିଛନ୍ତି।
ରାଜ୍ୟ ସରକାର ପ୍ରତି ଜିଲ୍ଲାର ଏସ୍ଏଚ୍ଜି ଫେଡେରେସନକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ଯୋଗାଇ ଦେବେ। ସେହଭଳି ବ୍ଲକ ସ୍ତରରେ ପ୍ରତି ଫେଡେରେସନକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଏହି ଫେଡେରେସନଗୁଡ଼ିକ ଉକ୍ତ ଅର୍ଥକୁ ଋଣ ଆକାରରେ ପ୍ରଦାନ କରି ସୁଧ ପାଇପାରିବେ। ଏହା ସେମାନଙ୍କ ବିକାଶରେ ସହାୟକ ହେବା ସହିତ ମହିଳା ଉଦ୍ୟୋଗୀଙ୍କୁ ଅଧିକ ସଶକ୍ତ କରିବ। ମିସନ ଶକ୍ତି ଫେଡେରେସନ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ ହୋଇପାରିବେ। ଅର୍ଥାତ୍ ମିନି ବ୍ୟାଙ୍କ ଭାବେ କାର୍ଯ୍ୟ କରିବ। ଏଥିସହିତ ଗ୍ରାମପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଓ ନିଜସ୍ବ ଅଫିସ ଗୃହ ନିର୍ମାଣ ହେବ। ପ୍ରତ୍ୟେକ ଜିଲ୍ଲାରେ ଏସ୍ଏଚ୍ଜିଙ୍କ ପାଇଁ ମାଇକ୍ରୋ ଓ ମିନି ଶିଳ୍ପ ପାର୍କ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ପ୍ରତ୍ୟେକ ଜିଲ୍ଲା ସଂଗଠନକୁ କୋଟିଏ ଲେଖାଏଁ ଆବର୍ତ୍ତନ ପାଣ୍ଠି
ପ୍ରତି ବ୍ଲକ ସଂଗଠନକୁ ୫୦ ଲକ୍ଷ ଟଙ୍କା
ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଓ ଅଫିସ ଘର
୫ ସଂସ୍ଥା ସହ ମିସନ ଶକ୍ତି ବିଭାଗର ଏମ୍ଓୟୁ
ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୧ ରେ ଆରମ୍ଭ ହୋଇଥିବା ମିସନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ ମାନଙ୍କର ଏକ ମହାଶକ୍ତି ହୋଇଛି। ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ପବିତ୍ର ଦାୟିତ୍ବ ଏବଂ ନନ୍ ନେଗୋସିଏବଲ୍ କୋଡ୍। ମା’ ମାନଙ୍କୁ ସଶକ୍ତ କରା ନଗଲେ କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ଆଗକୁ ବଢ଼ିପାରିବ ନାହିଁ। ଓଡ଼ିଶାରେ ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। ଏହି ଏସ୍ଏଚ୍ଜି ଗୁଡ଼ିକୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଯାହାକିଛି ଅଧିକ କରିବାକୁ ହେବ ସେଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମିସନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତ ନିଷ୍ପତ୍ତି ଦ୍ୱାରା ଓଡିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ୱାରା ପ୍ରାୟ ଏକ ଲକ୍ଷ ଏସ୍ଏଚ୍ଜି ଉପକାର ପାଉଛନ୍ତି। ଓଡିଶାର ରୂପାନ୍ତରଣରେ ମା’ ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା’ ମାନଙ୍କର ସାମଗ୍ରିକ ସଶକ୍ତୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିସନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ୍, ‘ମିସନ ଶକ୍ତି-ସ୍କେଲିଂ ଅପ୍’ ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରିଣୀ ଏସ୍ଏଚ୍ଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସ୍ଏଚ୍ଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ। ସେହିପରି ଏସ୍ଏଚ୍ଜି ମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ମିସନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମା' ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମିସନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ ମିସନ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ମହିଳାମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ।
ମିସନ ଶକ୍ତି ବିଭାଗ ପକ୍ଷରୁ ଯେଉଁ ୫ଟି ସଂସ୍ଥା ଯଥା ବିୟୁଟି ଆଣ୍ଡ ୱେଲନେସ ସେକ୍ଟର ସ୍କିଲ ଡେଭଲପମେଣ୍ଟ କାଉନସିଲ, ରବର ଆଣ୍ଡ ପେଟ୍ରୋକେମିକାଲ ସେକ୍ଟର ଡେଭଲପମେଣ୍ଟ କାଉନସିଲ, ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ, ପ୍ରଦାନ ଏବଂ ଏନ୍ଟିଏଫସି ପ୍ରଡ୍ୟୁସ। ଏହି ସଂସ୍ଥାଗୁଡ଼ିକ ରାଜ୍ୟର ମହିଳାମାନଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବେ ଏବଂ ଉଦ୍ୟୋଗୀ ହେବାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଜଣାଯାଇଛି।