ଭୁବନେଶ୍ବର: ଆଗାମୀ ଦିନରେ ଫାୟାର ମ୍ୟାନ୍‌ ପଦବିରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକ ସଂଶୋଧନ ଜରିଆରେ ପଦବିକୁ ଫାୟାର ଫାଇଟର୍‌ ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଆଜି ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Advertisment

ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମଣିଷ ଜୀବନ ବଞ୍ଚାଇବା ମହାପୁଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୁଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେନାହିଁ। ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ଗାଡ଼ିଚାଳକ ପଦବି ରହିଛି। ଆଜି ଖାଲିଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡ଼ିଚାଳକ ପଦବି ପୂରଣ ହେଲା। ଗୋଟିଏ ଦିନରେ ସମ୍ପୂର୍ଣ୍ଣ ପଦବି ସଂଖ୍ୟାର ୨୨ ଭାଗ ପୂରଣ ହୋଇଛି। ରାଜ୍ୟରେ ସରକାରୀ ପଦବି ଖାଲି ରହିଲେ ଏହାର ପ୍ରଭାବ ବିଭାଗ ଉପରେ ପଡ଼େ। ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ସଂସ୍ଥାରେ ପଦବି ଖାଲି ରହିବା ଗ୍ରହଣୀୟ ନୁହେଁ। ୯୪୧ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ଼ କରିବ ଓ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ।

୯୪୧ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ
ପ୍ରାୟ ୧୦ ହଜାର ପଦବି ପୂରଣ ଖୁବ୍‌ଶୀଘ୍ର
ଖୁବ୍‌ଶୀଘ୍ର ୨ହଜାର ୪୧୬ ଗୃହରକ୍ଷୀ ନିଯୁକ୍ତି
୫ ବର୍ଷରେ ପୂରଣ ହେବ ୧ଲକ୍ଷ ୫୦ହଜାର ପଦବି

ଆହୁରି ମଧ୍ୟ ଗୃହ ବିଭାଗରେ ଖାଲିଥିବା ପଦବି ଓ ନୂଆ ପଦବି ମିଶି ପ୍ରାୟ ୧୦ହଜାର ପଦବି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତି ବନ୍ଦ ଥିବାରୁ ଏବେ ପ୍ରାୟ ୨ହଜାର ୪୧୬ଟି ପଦବି ଖାଲିପଡ଼ିଛି। ଖୁବ୍‌ଶୀଘ୍ର ଏହା ମଧ୍ୟ ପୂରଣ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ୧ଲକ୍ଷ ୫୦ହଜାର ସରକାରୀ ପଦବି ପୂରଣ ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟତମ ଅତଥି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଅଗ୍ନିଶମବାହିନୀର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜି ଓଡ଼ିଶା ଜାତୀୟ ସ୍ତରରେ ପ୍ରଶଂସିତ। ସହରାଞ୍ଚଳରେ ସୁରକ୍ଷା ପାଇଁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରେ ଥିବା ନିୟମର ସଂଶୋଧନ କରିବାର ଆବଶ୍ୟକତା ରହିଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଗ୍ନିଶମ ବାହିନୀରେ ଝିଅମାନଙ୍କୁ ସୁଯୋଗ ଦେବା ପାଇଁ ପ୍ରସ୍ତାବ ରଖିଥିଲେ। କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।