କେସ୍‌ ଲଢ଼ିବାକୁ ଗହଣା ଲୁଟି ମହିଳାଙ୍କ ସହ ସୁନାବେପାରୀ ଗିରଫ

ପ୍ରେମିକ ସହ ମିଶି ସ୍ବାମୀ ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ

ଖଲ୍ଲିକୋଟ : ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ। ପୁଲିସ ଦ୍ବାରା ଗିରଫ ହୋଇ ୧୮ ମାସ ଜେଲ୍‌ରେ ରହିବା ପରେ ଜାମିନରେ ଫେରିଥିଲେ। ହେଲେ ମାମଲା ଲଢ଼ିବାକୁ ଟଙ୍କା ଯୋଗାଡ଼ କରିବା ମୁସ୍କିଲ ହେଲା। ଶେଷରେ ଲୁଟେରା ସାଜି ପୁଣି ପୁଲିସ ହାତରେ ଧରାପଡିଛନ୍ତି। ପ୍ରାୟ ୪ ଲକ୍ଷ ଟଙ୍କା ଗହଣା ଲୁଟିଥିବା ଦୁର୍ଦ୍ଦାନ୍ତ ମହିଳା ରୀନାଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଛି। ରୀନାଙ୍କଠାରୁ ଚୋରି ସମସ୍ତ ସୁନାଗହଣା ଜବତ ହୋଇଛି। ଗହଣା କିଣିଥିବା କୋଦଳା ଥାନା ବେଗୁନିଆପଡ଼ାର ସୁନା ବେପାରୀ କେ.ଶଙ୍କର ପାତ୍ର (୪୨)ଙ୍କୁ ପୁଲିସ ଧରିଛି। ନଂ ୬୧୦/୨୧ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ସେକେଣ୍ଡ୍‌ ଅଫିସର୍‌ ଅମ୍ବିକା ବେଣିଆ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଗତ ୨୦୧୭ ମସିହାର କଥା। ପୋଲସରା ଥାନା ଚଢ଼େୟାପଡ଼ା ଗ୍ରାମର କୁକୁ ସାହୁଙ୍କୁ ରୀନା ବିବାହ କରିଥିଲେ। ପରକିଆ ପ୍ରୀତିରୁ ନିଜ ପ୍ରେମିକ ସହ ମିଶି ସ୍ୱାମୀ କୁକୁଙ୍କୁ ଅତ୍ୟଧିକ ମଦମାଂସ ଖୁଆଇ ନୃଶଂସ ଭାବେ ପ୍ରଥମେ ଖଣ୍ଡାରେ ଗୋଡ଼ ହାତ କାଟି ଦେଇଥିଲେ। ପରେ ଗଣ୍ଡିରୁ ମୁଣ୍ଡ ଅଲଗା କରି ଶବକୁ ଖଣ୍ଡ ଖଣ୍ଡ କାଟି ଫିଙ୍ଗି ଦେଇଥିଲେ। ଏହି ମାମଲାରେ ଅଭିଯୁକ୍ତ ରୀନା ୧୮ ମାସ କୋଦଳା ଜେଲରେ ରହିବା ପରେ ଜାମିନରେ ବାହାରିଥିଲେ। ହତ୍ୟା ମାମଲା ପରିଚାଳନା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ହେବାରୁ ପଇସା ଯୋଗାଡ଼ ପାଇଁ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳ ଘୂରି ବୁଲିଥିଲେ। ଅର୍ଥ ଆଦାୟ କରିବା ପାଇଁ ବିଭିନ୍ନ ବସ୍‌ଷ୍ଟାଣ୍ଟରେ ପଇଁତରା ମାରିବା ସହ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସୁଯୋଗ ଉଣ୍ଡୁଥିଲେ।

ଗତ ୬ ମାସ ତଳେ କୋଦଳା ବସ୍‌ଷ୍ଟାଣ୍ଡରେ ରୀନା ଏକ ଅଟୋରେ ବସିଥିବା ଖଲ୍ଲିକୋଟ ଥାନା ବିକ୍ରମପୁର ଗ୍ରାମର ନିରୁପମା ସାହୁ ବେକରେ କିଛି ସୁନା ଅଳଙ୍କାର ପିନ୍ଧିଥିବା ଦେଖିଥିଲେ। ନିରୁପମାଙ୍କୁ ଲିଫ୍ଟ ମାଗି ତାଙ୍କର ଫୋନ୍‌ ନମ୍ବର ଓ ଠିକଣା ମାଗି ନେଇଥିଲେ। ପରେ ବିଶ୍ବାସ ଜନ୍ମାଇ ମିଛ କାହାଣୀ କହି ତାଙ୍କ ଘରକୁ ଯିବା ଆସିବା କରି ନିରୁପମାଙ୍କ ଧର୍ମ ଝିଅ ବନି ଯାଇଥିଲେ। କିଛିଦିନ ପରେ ନିରୁପମାଙ୍କ ଘରକୁ ଯାଇ ରାତି ରହିଥିଲେ। ନିରୁପମା ପୁଅ ବାହାଘର ପାଇଁ ରଖିଥିବା ସୁନା ଦେଖିଥିଲେ। ତେବେ ନିରୁପମା ଓ ତାଙ୍କ ପରିବାର ବାହାରକୁ ଯାଇଥିବା ବେଳେ ବିଶ୍ବାସରେ ବିଷ ଦେଇ ଅଭିଯୁକ୍ତ ରୀନା ସମସ୍ତ ସୁନା ଅଳଙ୍କାର ଲୁଟି ଚମ୍ପଟ୍‌ ମାରିଥିଲେ। ଏ ନେଇ ଥାନାରେ ଏତଲା ହେବା ପରେ ପୁଲିସ ରୀନାର ଫୋନ୍‌ ଟ୍ରାକିଂ କରି ଶୁକ୍ରବାର ବସ୍‌ ଯୋଗେ ପଳାଉଥିବା ବେଳେ କାବୁ କରିଥିଲା।

ସମ୍ବନ୍ଧିତ ଖବର