ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତ ଟାଙ୍ଗରବାହାଳି ଗ୍ରାମରେ ଗତ ୬ ମାସ ହେଲା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଟାଙ୍ଗରବାହାଳି ଗ୍ରାମରେ ୧୫୦ ଟି ପରିବାର ବସବାସ କରୁଛନ୍ତି। ବସୁଧା ଯୋଜନାରେ ୩ ବର୍ଷ ହେଲାଣି ଗ୍ରାମବାସୀଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି । କିନ୍ତୁ ଗତ ୬ ମାସ ହେଲାଣି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଗଭୀର ନାଳକୂପର ପମ୍ପ ଅଚଳ ହୋଇଯାଇଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ଏକ ମାସ ପୂର୍ବରୁ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ବ୍ଲକ୍ରେ ଅଭିଯୋଗ କରିଥିଲେ। ସେତେବେଳେ ମାତ୍ର ୪ ଦିନ ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ପରେ ପୁଣି ବନ୍ଦ ହୋଇଯାଇଛି। ପୁଣି ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ହେଲା ନାହିଁ ।
ଦୀର୍ଘ ୬ ମାସ ହେଲା ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ଥିବାରୁ ଗତକାଲି ୱାର୍ଡ ମେମ୍ବର ବୈଜୟନ୍ତୀ ନାୟକଙ୍କ ସଭାପତିତ୍ୱରେ ଗ୍ରାମରେ ଏକ ବୈଠକ ବସିଥିଲା। ବୈଠକରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦାବି ପାଇଁ ଗ୍ରାମର ସମସ୍ତ ମହିଳା ବ୍ଲକ ଘେରାଉ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଜି ୱାର୍ଡ ମେମ୍ବର ଶ୍ରୀମତୀ ନାୟକଙ୍କ ନେତୃତ୍ବରେ ଶତାଧିକ ମହିଳା ବ୍ଲକ୍ କାର୍ଯ୍ୟାଳୟକୁ ଆସି ତୁରନ୍ତ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଥିଲେ। ପାନୀୟ ଜଳ ଯୋଗାଣ ନକରିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ। ଆଗାମୀ ୫ ଦିନ ମଧ୍ୟରେ ଗ୍ରାମରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପାଇବା ପରେ ମହିଳାମାନେ ଧାରଣାରୁ ଓହରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁକ୍ମଣୀ ସାହୁ, ମମତା ସାହୁ, ଗୀତାଞ୍ଜଳି ନାୟକ, ଦୀପିନୁ ସାହୁ, ରଶ୍ମିତା ସାହୁ, ସୁମିତ୍ରା ସାହୁ, ତିଳୋତ୍ତମା ସାହୁ, ସବିତା ସାହୁ, ରଶ୍ମିତା ସାମଲ, ଜ୍ୟୋତ୍ସ୍ନାରାଣୀ ମହାନ୍ତ, କାଞ୍ଚନ ସାହୁ, ବାସନ୍ତୀ ସାମଲ, ପ୍ରମିଳା ନାୟକଙ୍କ ସମେତ ଶତାଧିକ ମହିଳା ଧାରଣାରେ ସାମିଲ ହୋଇଥିଲେ।