ମମିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ମହିଳା କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନାରୀମାନଙ୍କ ଉପରେ କ୍ରମାଗତ ଭାବେ ନିର୍ଯାତନା ବଢ଼ି ଚାଲିଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି।

ଅଖିଳ ଭାରତ ମହିଳା କଂଗ୍ରେସର ଅନୁମୋଦନକ୍ରମେ ପ୍ରଦେଶ ମହିଳା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ବୁଧବାର ଦିନ ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା। ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଉଦ୍‌ଘାଟନ କରିଥିଲେ। ପିସିସି ଉପ-ସଭାପତି ସସ୍ମିତା ବେହେରା ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦିକା ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟରେ ମହିଳାମାନଙ୍କ ସମସ୍ୟାର ସମାଧାନ ଲାଗି ସଂଗଠନକୁ ସକ୍ରିୟ କରିବାକୁ ଆହ୍ବାନ ଦେଇଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଯଜ୍ଞେଶ୍ବର ବାବୁ ଓ ଅନ୍ୟମାନେ ସାମିଲ ହୋଇଥିଲେ। ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ ଦେଇଥିଲେ।

ପରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ାଙ୍କ ନେତୃତ୍ବରେ ଏକ ଜନଜାଗରଣ ଅଭିଯାନ ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ଭୁବନେଶ୍ବର ପରିକ୍ରମା କରିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ତୈଳଦର ବୃଦ୍ଧି ସାଙ୍ଗକୁ ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତକୁ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି‌ ବୋଲି ବିକ୍ଷୋଭକାରୀ ମତ ଦେଇଥିଲେ। ବିକ୍ଷୋଭରେ ରଶ୍ମି ମହାପାତ୍ର, ଶ୍ରୀୟାସ୍ମତା ପଣ୍ଡା, କୁସୁମ ପ୍ରଧାନ, ନିରୁପମା ପାତ୍ର, ସସ୍ମିତା ‌ବେହେରା, ଗୀତାଞ୍ଜଳି ମହାନ୍ତି, ନିରୁପମା ପାତ୍ର, ସ୍ବରୂପା ତ୍ରିପାଠୀ, ନିରୁପମା ଦାସ, ପ୍ରତିମା ମଲ୍ଲିକ, ନିର୍ମଳା ବଳିଆରସିଂ, ମମତାଞ୍ଜଳି ବେହେରା, ସବିତା ଚାନ୍ଦ, ସସ୍ମିତା ଘୋଷାଲ, ପ୍ରଜ୍ଞା ପରମିତା ମହାନ୍ତି, ଉର୍ବଶୀ ମିଶ୍ର, ପ୍ରଭାବତୀ ପଟ୍ଟନାୟକ, ସ୍ବାଧୀନବାଳା ଦାସ ସମେତ ଶତାଧିକ ମହିଳା କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର